
ଆତ୍ମନିର୍ଭର ଭାରତ : ଶିଳ୍ପ ଭାଗିଦାରୀ ମାଧ୍ୟମରେ ଅତ୍ୟାଧୁନିକ ମଧ୍ୟମ ଲଢ଼ୁଆ ବିମାନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଢାଞ୍ଚାକୁ ମଞ୍ଜୁର କଲେ ପ୍ରତିରକ୍ଷା ମନ୍ତ୍ରୀ
• ପ୍ରତିଯୋଗିତାମୂଳକ ଭିତ୍ତିରେ ଘରୋଇ ଏବଂ ସରକାରୀ କ୍ଷେତ୍ର ପାଇଁ ସମାନ ସୁଯୋଗ
• ଭାରତୀୟ କମ୍ପାନୀ ସ୍ୱାଧୀନ ଭାବରେ / ଯୌଥ ଉଦ୍ୟୋଗ ଭାବରେ / ମିଳିତ ଭାବରେ ବିଡ୍ ଦାଖଲ କରିପାରିବେ
ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତ୍ୟାଧୁନିକ ମଧ୍ୟମ ଲଢ଼ୁଆ ବିମାନ (ଏଏମସିଏ) କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଢାଞ୍ଚାକୁ ଅନୁମୋଦନ କରିଛନ୍ତି । ଏରୋନଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ଶିଳ୍ପ ସହଭାଗୀତା ମାଧ୍ୟମରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବାକୁ ପ୍ରସ୍ତୁତ ରହିଛି । ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବା ଏବଂ ଏକ ଦୃଢ଼ ଘରୋଇ ଏରୋସ୍ପେସ୍ ଶିଳ୍ପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ଏହି କାର୍ଯ୍ୟକାରିତା ମଡେଲ ଦୃଷ୍ଟିକୋଣ ପ୍ରତିଯୋଗିତାମୂଳକ ଆଧାରରେ ଘରୋଇ ଏବଂ ସରକାରୀ ଉଭୟ କ୍ଷେତ୍ରକୁ ସମାନ ସୁଯୋଗ ପ୍ରଦାନ କରିଥାଏ । ସେମାନେ ସ୍ୱାଧୀନ ଭାବରେ / ଯୌଥ ଉଦ୍ୟୋଗ ଭାବରେ / ମିଳିତ ଭାବରେ ବିଡ୍ ଦାଖଲ କରିପାରିବ। ସଂସ୍ଥା/ବିଡର ଭାରତୀୟ କମ୍ପାନୀ ହୋଇଥିବା ଆବଶ୍ୟକ ଏବଂ ଦେଶର ଆଇନ ଓ ନିୟମକୁ ପାଳନ କରୁଥିବା ଆବଶ୍ୟକ । ଏହା ସ୍ୱଦେଶୀ ବିଶେଷଜ୍ଞତା, କ୍ଷମତା ଏବଂ ସାମର୍ଥ୍ୟକୁ ଉପଯୋଗ କରି ଏଏମସିଏ ପ୍ରୋଟୋଟାଇପ୍ ବିକଶିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ମହାକାଶ କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଏକ ପ୍ରମୁଖ ମାଇଲଖୁଣ୍ଟ ହେବ । ଏରୋନଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି ଖୁବଶୀଘ୍ର ଅତ୍ୟାଧୁନିକ ମଧ୍ୟମ ଲଢ଼ୁଆ ବିମାନ ବିକାଶ ପାଇଁ ଆଗ୍ରହ ଅଭିବ୍ୟକ୍ତି (ଇଓଆଇ) ଜାରି କରିବ ।