ଅଧ୍ୟକ୍ଷ/ଉପାଧ୍ୟକ୍ଷ ଓ ନାଏବ ସରପଞ୍ଚଙ୍କ ପାଇଁ ପରୋକ୍ଷ ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାନୁଆରୀ ୧୧ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ସଂଖ୍ୟା ୨୪୬, ୨୬୦ ଏବଂ ୨୭୪ ଅନୁସାରେ ନାଏବ ସରପଞ୍ଚ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି/ଉପସଭାପତି ପଦଗୁଡ଼କ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବ । ଆସନ୍ତା ମାର୍ଚ୍ଚ ମାସ ୧୧ ତାରିଖରେ ସମସ୍ତ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ପଦ ପାଇଁ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ନିମନ୍ତେ ମାର୍ଚ୍ଚ ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ମାର୍ଚ୍ଚ ୧୩ ତାରିଖରେ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପଦବୀ ପାଇଁ ମାର୍ଚ୍ଚ ୨୩ ତାରିଖରେ ଓ ଜିଲ୍ଲା ପରିଷଦର ଉପସଭାପତି ପଦବୀ ନିମନ୍ତେ ମାର୍ଚ୍ଚ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ପରୋକ୍ଷ ନିର୍ବାଚନ ମାଧ୍ୟମରେ ଉପରୋକ୍ତ ପଦବୀଗୁଡ଼ିକୁ ପୂରଣ ହେଉଥିବାରୁ ଏଥି ନିମନ୍ତେ ନିର୍ବାଚନ ଅଧିକାରୀମାନେ ସଭ୍ୟମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ଡାକିବେ ଓ ପରୋକ୍ଷ ନିର୍ବାଚନ ନସରିବା ପର୍ଯ୍ୟନ୍ତ ସଭ୍ୟମାନେ ସଭାଗୃହରୁ ବାହାରକୁ ଆସିପାରିବେ ନାହିଁ । ଉପରୋକ୍ତ ପଦବୀ ପୂରଣ ନିମନ୍ତେ ଧାର୍ଯ୍ୟ ଦିନଗୁଡ଼ିକରେ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ସକାଳ୧୦.୩୦ରୁ ୧୧.୩୦ ମଧ୍ୟରେ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦେବେ ଓ ୧୧.୩୦ରୁ ୧୨.୩୦ ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ଅପରାହ୍ନ ୧ ଘଣ୍ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୧.୩୦ ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ସଂପୃକ୍ତ ପଦବୀ ନିମନ୍ତେ ଭୋଟ ଗ୍ରହଣ କରାଯିବ । ଭୋଟ ଗ୍ରହଣ ପରେ ପରେ ଭୋଟଗଣତି କରାଯିବ ବୋଲି ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.