ବରଗଡ଼ ମହିଳା ସମିତିରେ ଋଷ ପର୍ଯ୍ୟଟକ

  • ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱ ପାଇଁ ଶିକ୍ଷା ଓ ଦୀକ୍ଷା ହେବା ଉଚିତ୍

ବରଗଡ଼, (ନିରୋଜ କୁମାର ପାଣୀ) : ଋଷ ଦେଶରୁ ଭାରତ ଭ୍ରମଣରେ ଆସିଥିବା ଜଣେ କର୍ମଜୀବୀ ନିଗିନା ଦାଭଲାତମାମାଦୋଭା ସନ୍ଧ୍ୟାରେ ବରଗଡ଼ ମହିଳା ସମିତି ପରିଦର୍ଶନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଭାରତୀୟ ସଂସ୍କୃତି ସମ୍ପର୍କରେ ଯାହା ପଢ଼ିଥିଲି ଓ ଶୁଣିଥିଲି ପ୍ରକୃତରେ ତାଠୁ ଢେର୍ ଗୁଣ ଅଧିକ ପ୍ରତ୍ୟକ୍ଷ ଅନୁଭବ ଏହି ଯାତ୍ରାରେ କରିଛି ବୋଲି କହିଥିଲେ । ଭାରତର ବିଭିନ୍ନ ଅଞ୍ଚଳର ପ୍ରାକୃତିକ ବିଭବରେ ସେ ଅବିଭୂତ ହୋଇଥିବା ଏବଂ ବିଭିନ୍ନତାର ନୁହେଁ ବରଂ ଏକତାର ଦେଶ ଭାବେ ପାଇଛି ବୋଲି ଦର୍ଶାଇ ଭାରତୀୟ ସଂସ୍କୃତି ସମଗ୍ର ମାନବ ସମାଜ ପାଇଁ ଶିକ୍ଷା ଓ ଦୀକ୍ଷା ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ମସ୍କୋରେ ରହୁଥିବା ବରଗଡ଼ର ସନ୍ତୋଷ କୁମାର ମିଶ୍ର ମଧ୍ୟ ତାଙ୍କ ସହ ସାମିଲ୍ ହୋଇ ‘ସାଂପ୍ରତିକ ପରିସ୍ଥିତି ଓ ଋଷୀୟ ସଂସ୍କୃତି’ ଉପରେ ବକ୍ତବ୍ୟ ରଖିଥିଲେ । ଉଭୟେ ସାଂପ୍ରତିକ ଋଷୀୟ ସଂସ୍କୃତି, ଶିକ୍ଷା ପଦ୍ଧତି, କ୍ରୀଡା, ଯୁଦ୍ଧ ସ୍ଥିତି ସମ୍ପର୍କରେ ସମିତିର ସଦସ୍ୟା ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ମହିଳା ସଶକ୍ତିକରଣର ଅନନ୍ୟ ଉଦାହରଣ ବରଗଡ଼ ମହିଳା ସମିତି ବୋଲି ଭୂୟସୀ ପ୍ରଶଂସା କରିଥିଲେ । ସମିତିର ସଭାନେତ୍ରୀ ଅଞ୍ଜନା ଦାସଙ୍କ ସଭାପତିତ୍ୱରେ ମମତା ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦିକା ସୁଧାଂଶୁବାଲା ଦାଶ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଉଭୟ ଅତିଥିଙ୍କୁ ସମିତି ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ସହ ସଂପାଦିକା ସଂଗୀତା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.