ଅନାସ୍ଥା ଭୋଟ୍‌ରେ ପଦବୀ ହରାଇଲେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୀର୍ଘ ୪ ମାସ ଧରି ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲି ଥିବା ନାଟକର ଅନ୍ତ ଘଟିଛି । ମଙ୍ଗଳବାର ପ୍ରସ୍ତାବ ଉପରେ ଅନୁଷ୍ଠିତ ମତଦାନରେ ପରାଜିତ ହୋଇଛନ୍ତି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି । ୧୩ ଜଣ କାଉନ୍‌ସିଲର୍‌ଙ୍କ ମଧ୍ୟରୁ ୧୧ ଜଣ ମତଦାନରେ ଅଂଶଗ୍ରହଣ କରିଥିଲେ । ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ୍‌ ଦେଇଥିବା ବେଳେ ଗୋଟିଏ ଭୋଟ୍‌ ନାକଚ ହୋଇଥିଲା । ବିଜେପିର ଦୁଇ କାଉନ୍‌ସିଲର୍‌ ଆଜିର ବୈଠକରେ ଅନୁପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ, ସ୍ମିତାରାଣୀ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ପୌରାଧ୍ୟକ୍ଷା ହୋଇଥିଲେ । ବର୍ତ୍ତମାନ ଫୁଲବାଣୀ ପୌର ପରିଷଦରେ ବିଜେଡିର ୭ ଜଣ କାଉନ୍‌ସିଲର୍‌ ଥିବାବେଳେ ବିଜେପିର ୪ ଜଣ ଅଛନ୍ତି । ଦୁଇ ସ୍ୱାଧୀନ କାଉନ୍‌ସିଲର୍‌ ବିଜେଡିକୁ ସମର୍ଥନ ଦେଉଛନ୍ତି । ଗତ ଏପ୍ରିଲ ୧୦ ତାରିଖରେ ବିଜେଡିର ୭, ବିଜେପିର ୨ ଓ ୨ ସ୍ୱାଧୀନ କାଉନ୍‌ସିଲର୍‌ଙ୍କୁ ମିଶାଇ ସମୁଦାୟ ୧୧ ଜଣ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ । ଏନେଇ ବୈଠକ ପୂର୍ବରୁ ଦୁଇଥର ବିଭିନ୍ନ କାରଣରୁ ବାତିଲ ହୋଇ ଶେଷରେ ଆଜି ଅନାସ୍ଥା ଉପରେ ଆଲୋଚନା ସହ ମତଦାନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ ବୈଠକ ପରିଚାଳନା କରିଥିଲେ ।

Leave A Reply

Your email address will not be published.