ସ୍ୱଚ୍ଛ ସହର ଭାବେ ଆସ୍କା ଓ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱିତୀୟ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନଗର ଉନ୍ନୟନ ଓ ସହରାଞ୍ଚଳ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଜଉଗଡ ସମ୍ମିଳନୀ କକ୍ଷରେ ସ୍ୱଚ୍ଛ ସର୍ବେକ୍ଷଣ -୨୦୨୪ ଉତ୍କର୍ଷ ପ୍ରଦର୍ଶନ କରିଥିବା ରାଷ୍ଟ୍ରପତି ପୁରସ୍କୃତ ସ୍ଥାନୀୟ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ (ଡୁଡା) ଦେବଦତ୍ତ ପଣ୍ଡା ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ସ୍ଵଚ୍ଛ ସହରରେ ପରିଣତ ହେବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ମତବ୍ୟକ୍ତ କରିଥିଲେ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଜୁନ୍ ୧୭ , ୨୦୨୫ରେ ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତରୀୟ ସ୍ୱଚ୍ଛତା ପ୍ରତିଯୋଗିତା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୪ରେ ଗଞ୍ଜାମ ଜିଲ୍ଲାର ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ୱଚ୍ଛ ସହର ଭାବେ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ରାଜ୍ୟର ୩୦ ଗୋଟି ଆବର୍ଜନାମୁକ୍ତ ସହର ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧୫ ଗୋଟି ଆବର୍ଜନା ମୁକ୍ତ ସହର । ସେଗୁଡିକ ହେଲା ହିଞ୍ଜିଳିକାଟୁ, ଗୋପାଳପୁର, ଦିଗପହଣ୍ଡି, ସୋରଡା, ଭଞ୍ଜନଗର, ପୋଲସରା, ଛତ୍ରପୁର, ରମ୍ଭା, ଗଞ୍ଜାମ, କୋଦଳା, ବେଲଗୁଣ୍ଠା, ପୁରୁଷୋତ୍ତମପୁର, ଖଲ୍ଲିକୋଟ । ଉପରୋକ୍ତ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଦେବୀ କଲ୍ୟାଣ ମହାପାତ୍ର ଓ ସବ୍ୟସାଚୀ ପ୍ରଧାନ ସହଯୋଗ କରିଥିଲେ । ଏହି ସମ୍ବର୍ଦ୍ଧନା ସମାରୋହରେ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସମସ୍ତ ସାମ୍ବାଦିକ ବନ୍ଧୁଗଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.