ପ୍ରଳୟ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ କଲା ଡିଆରଡିଓ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପ୍ରଳୟ କ୍ଷେପଣାସ୍ତ୍ର ପ୍ରଣାଳୀର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ କରିଛି । ଓଡ଼ିଶା ଉପକୂଳସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଜୁଲାଇ ୨୮ ଏବଂ ୨୯ ତାରିଖ ଦୁଇ ଦିନ ଧରି ଏହି ପରୀକ୍ଷଣ କରାଯାଇଥିଲା । ସର୍ବାଧିକ ଏବଂ ସର୍ବନିମ୍ନ ଦୂରତାରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଲକ୍ଷ୍ୟଭେଦ କ୍ଷମତାକୁ ପ୍ରମାଣିତ କରିବା ଲାଗି ବ୍ୟବହାରକାରୀ ମୂଲ୍ୟାଙ୍କନ ପରୀକ୍ଷଣର ଅଂଶବିଶେଷ ସ୍ୱରୂପ ଏହି ପରୀକ୍ଷଣ କରାଯାଇଥିଲା । କ୍ଷେପଣାସ୍ତ୍ରଗୁଡ଼ିକ ନିର୍ଦ୍ଦିଷ୍ଟ ଗତିପଥକୁ ସଠିକ୍ ଭାବରେ ଅନୁସରଣ କରିଥିଲେ ଏବଂ ସମସ୍ତ ପରୀକ୍ଷଣ ଉଦ୍ଦେଶ୍ୟ ପୂରଣ କରି ସମ୍ପୂର୍ଣ୍ଣ ସଠିକତା ସହିତ ଲକ୍ଷ୍ୟଭେଦ କରିଛନ୍ତି । ସମସ୍ତ ଉପ-ପ୍ରଣାଳୀ ଆଶା ଅନୁଯାୟୀ କାଂର୍ଯ୍ୟ କରିଥିଲା । ନିର୍ଦ୍ଦିଷ୍ଟ ପ୍ରଭାବ ବିନ୍ଦୁ ନିକଟରେ ଅବସ୍ଥିତ ଜାହାଜରେ ନିୟୋଜିତ ଉପକରଣଗୁଡ଼ିକ ସମେତ ସମନ୍ୱିତ ପରୀକ୍ଷଣ ଘାଟି ଦ୍ୱାରା ନିୟୋଜିତ ବିଭିନ୍ନ ଟ୍ରାକିଂ ସେନ୍ସର ଦ୍ୱାରା ସଂଗୃହିତ ପରୀକ୍ଷଣ ତଥ୍ୟ ବ୍ୟବହାର କରି ଏହାକୁ ଯାଞ୍ଚ କରାଯାଇଥିଲା । ପ୍ରଳୟ ହେଉଛି ଏକ ସ୍ୱଦେଶୀ ଭାବରେ ବିକଶିତ କଠିନ ପ୍ରପେଲାଣ୍ଟ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଉଚ୍ଚ ସଠିକତା ସୁନିଶ୍ଚିତ କରିବା ପାଇଁ ଏହା ଅତ୍ୟାଧୁନିକ ମାର୍ଗଦର୍ଶନ ଏବଂ ଦିଗ ନିର୍ଣ୍ଣୟ ପ୍ରଣାଳୀକୁ ବ୍ୟବହାର କରିଥାଏ । ଏହି କ୍ଷେପଣାସ୍ତ୍ର ବିଭିନ୍ନ ଲକ୍ଷ୍ୟ ବିରୁଦ୍ଧରେ ସଂଖ୍ୟାଧିକ ପ୍ରକାରର ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ । ପ୍ରତିରକ୍ଷା ଗବେଷଣା ଓ ବିକାଶ ପରୀକ୍ଷାଗାର, ଉନ୍ନତ ପ୍ରଣାଳୀ ପରୀକ୍ଷାଗାର, ଅସ୍ତ୍ରଶସ୍ତ୍ର ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ଉଚ୍ଚ ଶକ୍ତି ସାମଗ୍ରୀ ଗବେଷଣା ପରୀକ୍ଷାଗାର, ପ୍ରତିରକ୍ଷା ଧାତୁ ଗବେଷଣା ପରୀକ୍ଷାଗାର, ଟର୍ମିନାଲ ବାଲିଷ୍ଟିକ୍ସ ଗବେଷଣା ପରୀକ୍ଷାଗାର, ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଇଞ୍ଜିନିୟର) ଏବଂ ଆଇଟିଆର ଇତ୍ୟାଦି ଡିଆରଡିଓର ବିଭିନ୍ନ ପରୀକ୍ଷାଗାର ଏବଂ ରିସର୍ଚ୍ଚ ସେଣ୍ଟର୍ ଇମାରତ୍ ସମେତ ଭାରତ ଡାଇନାମିକ୍ସ ଲିମିଟେଡ, ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଏବଂ ଅନ୍ୟ ଶିଳ୍ପ ଓ ଏମଏସଏମଇ ଅଂଶୀଦାରଙ୍କୁ ନେଇ ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ବିକଶିତ କରାଯାଇଛି । ଡିଆରଡିଓର ବରିଷ୍ଠ ବୈଜ୍ଞାନିକ, ବ୍ୟବହାରକାରୀ ପ୍ରତିନିଧି ରୂପେ ଭାରତୀୟ ବାୟୁସେନା ଏବଂ ସ୍ଥଳସେନାର ବରିଷ୍ଠ ଅଧିକାରୀଙ୍କ ସହିତ ଶିଳ୍ପ ପ୍ରତିନିଧିମାନେ ଉଡ଼ାଣ ପରୀକ୍ଷଣ ଦେଖିଥିଲେ । ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓ, ସଶସ୍ତ୍ର ବାହିନୀ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଶଂସା କରିଛନ୍ତି । ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି କ୍ଷେପଣାସ୍ତ୍ର ବିପଦ ବିରୁଦ୍ଧରେ ଦେଶର ସେନାବାହିନୀକୁ ଆହୁରି ପ୍ରଯୁକ୍ତି ଆଧାରିତ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି । ପ୍ରତିରକ୍ଷା ଗବେଷଣା ତଥା ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଥିବା ଦଳଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ପର୍ଯ୍ୟାୟ-୧ ଉଡ଼ାଣ ପରୀକ୍ଷଣର ସଫଳ ସମାପ୍ତି ନିକଟ ଭବିଷ୍ୟତରେ ସଶସ୍ତ୍ର ବାହିନୀରେ ଏହି ପ୍ରଣାଳୀକୁ ସାମିଲ କରିବା ପାଇଁ ପଥ ପ୍ରଶସ୍ତ କରୁଛି ।

jittmm
Leave A Reply

Your email address will not be published.