- ମାଇଗଭ୍ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ
ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ଅଭିନବ ମତବିନିମୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚା (ପିପିସି) ନିଜର ୮ମ ସଂସ୍କରଣ ନେଇ ପୁଣି ଆସିଛି । ଏହା ଜାନୁଆରୀ ୨୦୨୫ରେ, ସାରାଦେଶରେ ବାର୍ଷିକ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ, ଅନୁଷ୍ଠିତ ହେବ । ପରୀକ୍ଷା ଚାପ କମାଇବା, ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ଜୀବନକୁ ଏକ “ଉତ୍ସବ”ଭାବେ ପାଳନ କରିବାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ପରିକଳ୍ପନା କରାଯାଇଥିବା ପିପିସି ଗତ ସାତ ବର୍ଷ ହେଲା ଉଲ୍ଲେଖନୀୟ ସଫଳତା ପାଇଛି । ପିପିସିର ୭ମ ସଂସ୍କରଣ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଭାରତ ମଣ୍ଡପମରେ ଟାଉନ ହଲ ଫର୍ମାଟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସାରାଦେଶ ଓ ବିଦେଶରୁ ଅଂଶଗ୍ରହଣକାରୀମାନେ ଉତ୍ସାହର ସହ ଯୋଗ ଦେଇଥିଲେ ।
ପିପିସି ୨୦୨୫ର ପଞ୍ଜୀକରଣ ପଦ୍ଧତି
ପିପିସି ୨୦୨୫ ପାଇଁ ପଞ୍ଜୀକରଣ ୧୪ ଡିସେମ୍ବର ୨୦୨୪ରୁ MyGov.in ଆରମ୍ଭ ହୋଇସାରିଛି ଏବଂ ୧୪ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ ।
ନିମ୍ନଲିଖିତ ପଦ୍ଧତି ଅନୁସାରେ ପଂଜୀକରଣ କରିହେବ :
MyGov.in ପୋର୍ଟାଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା (ଏମ୍ସିକ୍ୟୁ ଫର୍ମାଟ୍) ପ୍ରସ୍ତୁତ କରାଯାଇଛି ।
ପିପିସି ୨୦୨୫ରେ ପଚରାଯିବାକୁ ଥିବା ପ୍ରଶ୍ନ ଚୟନ :
କ. ପଞ୍ଜୀକରଣ ପ୍ରକ୍ରିୟା ସମୟରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ପ୍ରଶ୍ନ ଦାଖଲ କରିପାରିବେ ଯାହା ସେମାନେ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛନ୍ତି । ପ୍ରଶ୍ନଗୁଡ଼ିକ ପରୀକ୍ଷା ଚାପ, କ୍ୟାରିୟର, ଭବିଷ୍ୟତର ସ୍ୱପ୍ନ କିମ୍ବା ସାଧାରଣ ଜୀବନ ସଂପର୍କିତ ହୋଇପାରେ ।
ଖ. ଅନଲାଇନ୍ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିବା ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ଚୟନ କରାଯିବ ।
ଗ. ପ୍ରଧାନମନ୍ତ୍ରୀଙ୍କ ସହ ମତବିନିମୟ ପାଇଁ ଭାରତର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ଦ୍ୱାରା ବିଭିନ୍ନ ବିଷୟରୁ ପ୍ରଶ୍ନ ଚୟନ ଲାଗି ପ୍ରୟାସ କରାଯିବ । ପୂର୍ବ ବର୍ଷ ଭଳି ବିଦେଶରେ ଥିବା ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ।
ପଂଜୀକରଣ ପାଇଁ ଲିଙ୍କ୍ ଏଠାରେ ଦିଆଗଲା : https://innovateindia1.mygov.in/
ମୁଖ୍ୟାଂଶ :
• ୨୦୨୪ରେ ଏହି କାର୍ଯ୍ୟକ୍ରମରେ ୨.୨୬ କୋଟି ଅଂଶଗ୍ରହଣକାରୀ (୨.୦୬ କୋଟି ଛାତ୍ରଛାତ୍ରୀ, ୧୪.୯୩ ଲକ୍ଷ ଶିକ୍ଷକ ଏବଂ ୫.୬୯ ଲକ୍ଷ ଅଭିଭାବକ) ଯୋଗ ଦେଇଥିଲେ ।
• ପିପିସି ୨୦୨୫ ପାଇଁ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଦୁଇ ଜଣ ଛାତ୍ରଛାତ୍ରୀ (ନବମରୁ ଦ୍ୱାଦଶ ଶ୍ରେଣୀ) ଓ ଜଣେ ଶିକ୍ଷକ ଏବଂ କଳା ଉତ୍ସବର ବିଜେତା ଏବଂ ବୀର ଗାଥା, ପ୍ରେରଣା ଆଲୁମିନି ଏବଂ ପିଏମ ଶ୍ରୀ ବିଦ୍ୟାଳୟର ପ୍ରତିଯୋଗୀମାନଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯିବ । ପରୀକ୍ଷାକୁ “ଉତ୍ସବ” ଭାବରେ ପାଳନ
ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ଉତ୍ସାହ ବଢ଼ାଇବା ଉଦ୍ଦେଶ୍ୟରେ ୧୨ ଜାନୁଆରୀ ୨୦୨୫ (ଜାତୀୟ ଯୁବ ଦିବସ)ରୁ ୨୩ ଜାନୁଆରୀ ୨୦୨୫ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ) ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।
୧. ଦେଶୀୟ ଖେଳ ଅଧିବେଶନ
୨. ମାରାଥନ୍ ଦୌଡ଼
୩. ମିମ୍ ପ୍ରତିଯୋଗିତା
୪. ପଥପ୍ରାନ୍ତ ନାଟକ
୫. ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଭିଡିଓ ଏବଂ ପ୍ରଶଂସାପତ୍ର
୬. ଛାତ୍ର ଉପସ୍ଥାପକ ଏବଂ ଅତିଥି – ମଡେଲ ପିପିସି ଅଧିବେଶନ
୭. ଯୋଗ-ଧ୍ୟାନ ଅଧିବେଶନ
୮. ସିବିଏସ୍ଇ, କେଭିଏସ୍ ଓ ଏନଭିଏସ୍ ତରଫରୁ ସଂଗୀତ ପରିବେଷଣ
୯. ପୋଷ୍ଟର ତିଆରି ପ୍ରତିଯୋଗିତା
୧୦. ସ୍ୱତନ୍ତ୍ର ଅତିଥିଙ୍କ ସହ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ / କର୍ମଶାଳା
୧୧. ପ୍ରେରଣାଦାୟୀ ଚଳଚ୍ଚିତ୍ର ସିରିଜର ସ୍କ୍ରିନିଂ
ସକାରାତ୍ମକତା ଓ ଆତ୍ମବିଶ୍ୱାସର ସହ ପରୀକ୍ଷା ଦେବାର ବାର୍ତ୍ତା ଦେଉଥିବା ପିପିସି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।