- ୨୦୪୭ ସୁଦ୍ଧା ୨,୧୦୦ ଗିଗାୱାଟ୍ ହାସଲ ପାଇଁ ସମସ୍ତ ଶକ୍ତି କ୍ଷେତ୍ରର ଅଂଶୀଦାରମାନେ ସହଯୋଗ କରିବେ : ମନୋହର ଲାଲ୍
- ଅଧିକ ବିବିଧ ଏବଂ ସ୍ୱଚ୍ଛ ଶକ୍ତି ମିଶ୍ରଣ ଆଡକୁ ଶୀଘ୍ର ଅଗ୍ରସର ହେବାର ଆବଶ୍ୟକତା ରହିଛି : ଶ୍ରୀପଦ ୟେସୋ ନାୟକ
- ଜାତୀୟ ବିଦ୍ୟୁତ୍ ଯୋଜନା (ଟ୍ରାନ୍ସମିସନ୍)ର ଶୁଭାରମ୍ଭ : ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଏବଂ ୨୦୩୨ ସୁଦ୍ଧା ୬୦୦ ଗିଗାୱାଟରୁ ଅଧିକ ନବୀକରଣୀୟ ଶକ୍ତି ସ୍ଥାପନ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ନୂଆଦିଲ୍ଲୀ ଠାରେ ଭାରତୀୟ ଶକ୍ତି କ୍ଷେତ୍ରର ପରିଦୃଶ୍ୟ ୨୦୪୭ ଉପରେ ବିଚାର ବିମର୍ଶ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଭାରତୀୟ ଶକ୍ତି କ୍ଷେତ୍ର ପରିଦୃଶ୍ୟ ୨୦୪୭ ଉପରେ ଦୁଇ ଦିନିଆ ବିଚାର ବିମର୍ଶ ଅଧିବେଶନରେ କେନ୍ଦ୍ର ଶକ୍ତି ଏବଂ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ସ୍ୱଚ୍ଛ ଶକ୍ତି ଉତ୍ସକୁ ପରିବର୍ତ୍ତନ କରିବା ସହିତ ଦେଶର ବଢୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାରଙ୍କ ରଣନୀତି ବିଷୟରେ ଆଲୋକପାତ କରିଥିଲେ । “୨୦୪୭ ସୁଦ୍ଧା ଆମର ବିଦ୍ୟୁତ ଚାହିଦା ୭୦୮ ଗିଗାୱାଟରେ ପହଞ୍ଚିବ ବୋଲି ଆମେ ଅନୁମାନ କରୁଛୁ । ଏହାକୁ ପୂରଣ କରିବା ପାଇଁ, ଆମକୁ ଆମର କ୍ଷମତାକୁ ୪ ଗୁଣା ଅର୍ଥାତ୍ ୨୧୦୦ ଗିଗାୱାଟକୁ ବୃଦ୍ଧି କରିବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ମନୋହର ଲାଲ କହିଛନ୍ତି । ଏହା କେବଳ କ୍ଷମତା ବୃଦ୍ଧି ପାଇଁ ନୁହେଁ, ଏହା ହେଉଛି ଆମର ସମଗ୍ର ଶକ୍ତି ପରିଦୃଶ୍ୟକୁ ପୁନଃକଳ୍ପନା କରିବା ବିଷୟ ସମ୍ବନ୍ଧୀୟ ବୋଲି ସେ ଉଲ୍ଲେଖ କରିଛନ୍ତି । ଭାରତର ଭବିଷ୍ୟତ ଶକ୍ତି ମିଶ୍ରଣରେ ଅକ୍ଷୟ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । “୨୦୩୦ ସୁଦ୍ଧା ଆମେ ୫୦୦ ଗିଗାୱାଟ ଅଣ-ଜୀବାଶ୍ମ ଶକ୍ତି କ୍ଷମତାର ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛୁ, ଯାହା ଆମର ବର୍ତ୍ତମାନର କ୍ଷମତାକୁ ପ୍ରଭାବଶାଳୀ ଭାବରେ ଦ୍ୱିଗୁଣିତ କରିବ ବୋଲି ସେ କହିଛନ୍ତି । ସବୁଜ ଶକ୍ତି ଦିଗରେ ଏହି ପଦକ୍ଷେପ ୨୦୩୦ ସୁଦ୍ଧା କାର୍ବନ ନିର୍ଗମନକୁ ଏକ ବିଲିୟନ ଟନ୍ ହ୍ରାସ କରିବା ଏବଂ ୨୦୭୦ ସୁଦ୍ଧା ନିଟ୍- ଶୂନ୍ୟ ନିର୍ଗମନ ହାସଲ କରିବାକୁ ଭାରତର ପ୍ରତିବଦ୍ଧତା ସହିତ ଯୋଡ଼ି ହୋଇଛି । ଏହି ଅଧିବେଶନରେ ଶୁଭାରମ୍ଭ ହୋଇଥିବା ଜାତୀୟ ବିଦ୍ୟୁତ୍ ଯୋଜନା ସମ୍ପର୍କରେ ଉଦାହରଣ ଦେଇ ମନୋହର ଲାଲ ଏହି କ୍ଷେତ୍ରର ଭବିଷ୍ୟତ ଗଠନରେ ସିଇଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା କରିଥିଲେ । “ଏହି ଯୋଜନା ରାଜ୍ୟ ସରକାର ଏବଂ ନିବେଶକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ ଦେବ ଏବଂ କ୍ଷେତ୍ରର ବିକାଶ ଦିଗରେ ସହଯୋଗୀ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି । ବିଭିନ୍ନ ଅଂଶୀଦାରଙ୍କ ସହ ପରାମର୍ଶ କରି ବିକଶିତ ହୋଇଥିବା ଜାତୀୟ ବିଦ୍ୟୁତ ଯୋଜନା (ଟ୍ରାନ୍ସମିସନ)ରେ ସରକାରଙ୍କ ଶକ୍ତି ପରିବର୍ତ୍ତନ ଲକ୍ଷ୍ୟ ହାସଲ ପାଇଁ ଏକ ବ୍ୟାପକ ରଣନୀତିର ରୂପରେଖ ଦିଆଯାଇଛି । ଏଥିରେ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତାକୁ ସମର୍ଥନ କରିବା ପାଇଁ ଆବଶ୍ୟକ ଟ୍ରାନ୍ସମିସନ ଭିତ୍ତିଭୂମିର ବିବରଣୀ ଦିଆଯାଇଛି, ଯାହା ୨୦୩୨ ସୁଦ୍ଧା ୬୦୦ ଗିଗାୱାଟକୁ ବୃଦ୍ଧି ପାଇବ । ଏହି ଯୋଜନାରେ ଅପତଟୀୟ ପବନ ଖେତର ୧୦ ଗିଗାୱାଟ୍, ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ୪୭ ଗିଗାୱାଟ୍ ଏବଂ ୩୦ ଗିଗାୱାଟ୍ ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟର ଏକୀକରଣ ଭଳି ଅଭିନବ ଉପାଦାନ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଗ୍ରୀନ ହାଇଡ୍ରୋଜେନ ଏବଂ ଗ୍ରୀନ ଆମୋନିଆ ଉତ୍ପାଦନ କେନ୍ଦ୍ରର ଶକ୍ତି ଆବଶ୍ୟକତାକୁ ମଧ୍ୟ ପୂରଣ କରେ ଏବଂ ଏଥିରେ ସୀମାପାର ଆଭ୍ୟନ୍ତରୀଣ ସଂଯୋଗ ଅନ୍ତର୍ଭୁକ୍ତ । ଆଗାମୀ ଦଶନ୍ଧି ମଧ୍ୟରେ ୧,୯୦,୦୦୦ ସର୍କିଟ କିଲୋମିଟର ଟ୍ରାନ୍ସମିସନ ଲାଇନ ଏବଂ ୧,୨୭୦ ଜିପିଏ ରୂପାନ୍ତରଣ କ୍ଷମତା ଯୋଡ଼ିବା ସହିତ ଏହି ଯୋଜନା ଟ୍ରାନ୍ସମିସନ କ୍ଷେତ୍ରରେ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ସୁଯୋଗ ପ୍ରଦାନ କରିବ । ଉନ୍ନତ ଷ୍ଟୋରେଜ୍ ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ ଗ୍ରୀଡରେ ପରିବର୍ତ୍ତନଶୀଳ ଅକ୍ଷୟ ଶକ୍ତି ଉତ୍ସଗୁଡିକୁ ସମନ୍ୱିତ କରିବାର ଆହ୍ୱାନର ସମାଧାନ ସମ୍ପର୍କରେ ସମ୍ବୋଧିତ କରିଥିଲେ । ଆମ ନାଗରିକମାନଙ୍କୁ ୨୪ ଘଣ୍ଟିଆ ବିଜୁଳି ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଆମେ ପମ୍ପ ଷ୍ଟୋରେଜ୍ ସୁବିଧା ଏବଂ ବ୍ୟାଟେରୀ ଷ୍ଟୋରେଜ୍ରେ ଅଭିନବ ଜ୍ଞାନକୌଶଳ ଅନୁସନ୍ଧାନ କରୁଛୁ ବୋଲି କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ବିଦ୍ୟୁତ ଚାହିଦା ଉପରେ ଦ୍ରୁତ ସହରୀକରଣ ଏବଂ ଶିଳ୍ପାୟନର ପରିବର୍ତ୍ତନଶୀଳ ପ୍ରଭାବକୁ ସ୍ୱୀକାର କରି ସରକାର ଗ୍ରିଡ୍ ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ଆଧୁନିକୀକରଣକୁ ସମର୍ଥନ କରିବା ପାଇଁ ଏକ ଦକ୍ଷ କର୍ମଚାରୀ ଗୋଷ୍ଠୀ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତ, “ଏକବିଂଶ ଶତାବ୍ଦୀର ଶକ୍ତି ବ୍ୟବସ୍ଥାର ଚାହିଦା ପୂରଣ କରିବାରେ ସକ୍ଷମ ଏକ କାର୍ଯ୍ୟବଳ ବିକଶିତ କରିବା ଆବଶ୍ୟକ” । ଏହି ଅବସରରେ ଶକ୍ତି ଏବଂ ନୂତନ ଏବଂ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ ଶକ୍ତି କ୍ଷେତ୍ରକୁ ଉଦୀୟମାନ ପ୍ରାଥମିକତା ସହିତ ଯୋଡ଼ିବା ପାଇଁ ସୁଚିନ୍ତିତ ଯୋଜନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଉଚ୍ଚାକାଂକ୍ଷୀ ସ୍ଥାୟୀତ୍ୱ ଲକ୍ଷ୍ୟ ଦ୍ୱାରା ପରିଚାଳିତ ଏକ ବିବିଧ ଏବଂ ସ୍ୱଚ୍ଛ ଶକ୍ତି ମିଶ୍ରଣ ଦିଗରେ ଦ୍ରୁତ ପରିବର୍ତ୍ତନ ପାଇଁ ସେ ଆହ୍ୱାନ ଦେଇଥିଲେ । ଅକ୍ଷୟ ଜ୍ଞାନକୌଶଳ, ଶକ୍ତି ସଂରକ୍ଷଣ ସମାଧାନ ଏବଂ ଗ୍ରିଡ୍ ଆଧୁନିକୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶର ଆବଶ୍ୟକତା ରହିଛି ବୋଲି ଶ୍ରୀ ନାୟକ କହିଛନ୍ତି । ଜାତୀୟ ବିଦ୍ୟୁତ୍ ଯୋଜନା ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ବୈଷୟିକ ମାନଦଣ୍ଡ ସ୍ଥାପିତ କରିବା ପର୍ଯ୍ୟନ୍ତ ଏହାର ବ୍ୟାପକ ଦାୟିତ୍ୱକୁ ଉଲ୍ଲେଖ କରି ସେ ଏହି କ୍ଷେତ୍ରର ରୂପାନ୍ତରଣରେ କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ବିକଶିତ ଶକ୍ତି ପରିଦୃଶ୍ୟକୁ ପରିଚାଳନା କରିବା ପାଇଁ ନୂତନ ଦକ୍ଷତା, ନିୟାମକ ଢାଞ୍ଚା ଏବଂ ବଜାର ଢାଞ୍ଚା ବିକଶିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ, ବିଦ୍ୟୁତ୍ କେବଳ ଏକ ଦ୍ରବ୍ୟ ନୁହେଁ, ଏହା ଅଭିବୃଦ୍ଧି, ବିକାଶ ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଏକ ଉତପ୍ରେରକ । ଉଦ୍ଘାଟନୀ ଅଧିବେଶନରେ ଅନ୍ୟବକ୍ତାମାନଙ୍କ ମଧ୍ୟରେ ଶକ୍ତି ମନ୍ତ୍ରଣାଳୟର ସଚିବ ପଙ୍କଜ ଅଗ୍ରୱାଲ ଏକ ଆଧୁନିକ, ଶକ୍ତି-ଦକ୍ଷ ଶକ୍ତି କ୍ଷେତ୍ର ପାଇଁ ଭାରତର ରୋଡ୍ ମ୍ୟାପ୍ ବିଷୟରେ ଆଲୋକପାତ କରିଥିଲେ ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରିଡ୍ର ଦୃଷ୍ଟିକୋଣରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଶକ୍ତି ନିରାପତ୍ତାର ବହୁମୁଖୀ ପ୍ରକୃତି ଉପରେ ଆଲୋକପାତ କରି କହିଥିଲେ ଯେ, ଏଥିରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅନ୍ତର୍ଭୁକ୍ତ : ସୁଲଭତା, ପର୍ଯ୍ୟାପ୍ତତା ସହିତ ବିଶ୍ୱସନୀୟତା ଏବଂ ସ୍ଥାୟୀତା । ନିକଟରେ ପ୍ରକାଶିତ ଜି- ୨୦ ନୂଆଦିଲ୍ଲୀ ଲିଡର୍ସ ଡିକଲାରେସନରେ ସେ ଏହି କ୍ଷେତ୍ର ପାଇଁ ଧାର୍ଯ୍ୟ କରାଯାଇଥିବା ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ଜି-୨୦ ସଦସ୍ୟମାନେ ଅକ୍ଷୟ ଶକ୍ତି କ୍ଷମତାକୁ ତିନି ଗୁଣ କରିବା ଏବଂ ଶକ୍ତି ଦକ୍ଷତାରେ ଉନ୍ନତି ହାରକୁ ଦ୍ୱିଗୁଣିତ କରିବାକୁ ସଂକଳ୍ପ ନେଇଛନ୍ତି ବୋଲି ସେ କହିଥିଲେ । ସିଓପି-୨୯କୁ ଦୃଷ୍ଟିରେ ରଖି ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ସଂରକ୍ଷଣ କ୍ଷମତାରେ ୬ ଗୁଣ ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଆମେ ଅନୁମାନ କରୁଛୁ । ବିଦ୍ୟୁତ୍ କ୍ରୟ ଚୁକ୍ତିର ନମନୀୟତା ଏବଂ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଖର୍ଚ୍ଚ ହ୍ରାସ କରିବାକୁ ଆହ୍ୱାନ ଦେବା ସହିତ ଚାହିଦାକୁ ଉତ୍ତମ ଏବଂ ସୁରକ୍ଷିତ ଭାବରେ ପୂରଣ କରିବା ପାଇଁ ଏକ ବ୍ୟାପକ ଯୋଜନା ଢାଞ୍ଚାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗର ସଚିବ ଶ୍ରୀମତୀ ଦେବଶ୍ରୀ ମୁଖାର୍ଜୀ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଜଳ ଏବଂ ଶକ୍ତି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ନିରନ୍ତର ଶକ୍ତି ସମାଧାନର ଆବଶ୍ୟକତା ଏବଂ ୨୦୪୭ ପାଇଁ ଜଳବିଦ୍ୟୁତ ବିକାଶରେ ସିଇଏ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟରେ ଘନିଷ୍ଠ ସହଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ପ୍ରଶାନ୍ତ କୁମାର ସିଂହ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତର ମହତ୍ୱାକାଂକ୍ଷୀ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ, ସୌର, ପବନ ଏବଂ ବିକଶିତ ଭାରତକୁ ଶକ୍ତି ଯୋଗାଇବା ପାଇଁ ଅଭିନବ ସବୁଜ ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଶକ୍ତି ମନ୍ତ୍ରଣାଳୟର ପୂର୍ବତନ ସଚିବ ଆର୍. ଭି. ସାହି ଭାରତର ଶକ୍ତି କ୍ଷେତ୍ର ଅଭିବୃଦ୍ଧିରେ ଆର୍ଥିକ ଯୋଜନା ଏବଂ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସିଇଏର ଅଧ୍ୟକ୍ଷ ଘନଶ୍ୟାମ ପ୍ରସାଦ ଶକ୍ତି କ୍ଷେତ୍ରର ବିକାଶ ପାଇଁ ଏକ ବିସ୍ତୃତ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ, ସ୍ୱାଧୀନତା ସମୟରେ ଏହାର ଅଭିବୃଦ୍ଧି ମାତ୍ର ୧ ଗିଗାୱାଟ୍ ସର୍ବୋଚ୍ଚ ଚାହିଦାରୁ ବର୍ତ୍ତମାନ କ୍ଷମତା ଠାରୁ ୪ ଗୁଣକୁ ବୃଦ୍ଧି , ଅର୍ଥାତ୍ ୨୦୪୭ ସୁଦ୍ଧା ୨୦୫୩ ଗିଗାୱାଟ୍ କରିବାକୁ ଲକ୍ଷ୍ୟ ରହିଛି ବୋଲି କହିଥିଲେ । ୨୦୪୭ ସୁଦ୍ଧା ୧୨୦୦ ଗିଗାୱାଟ ସୌର ଏବଂ ୪୦୦ ଗିଗାୱାଟରୁ ଅଧିକ ପବନ ଶକ୍ତି ଉତ୍ପାଦନ ଲକ୍ଷ୍ୟ ନେଇ ଏହି ମହତ୍ୱାକାଂକ୍ଷୀ ଯୋଜନାରେ ଅକ୍ଷୟ ଶକ୍ତି ଦିଗରେ ଉଲ୍ଲେଖନୀୟ ପରିବର୍ତ୍ତନ ଅନ୍ତର୍ଭୁକ୍ତ । ହାଇଡ୍ରୋ ପମ୍ପ ଷ୍ଟୋରେଜ୍ ପ୍ଲାଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି, ଯାହାର କ୍ଷମତା ବର୍ତ୍ତମାନର ୪.୭ ଗିଗାୱାଟରୁ ୧୧୬ ଗିଗାୱାଟକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ଯୋଜନାରେ ତାପଜ ଏବଂ ପରମାଣୁ ପ୍ଲାଣ୍ଟର ନମନୀୟ ପରିଚାଳନା, ଦକ୍ଷତା ବିକାଶ, ଗବେଷଣା ଏବଂ ବିକାଶ, ଶକ୍ତି ପରିବର୍ତ୍ତନ ପାଇଁ ଅର୍ଥ ଯୋଗାଣ ଏବଂ ପ୍ରସାରଣ ଏବଂ ବିତରଣରେ ଅଭିନବ ସମାଧାନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସମ୍ବୋଧିତ କରାଯାଇଛି । ଦେଶର ସ୍ୱାଧୀନତାର ଶତବାର୍ଷିକୀ ଅବସରରେ ୨୦୪୭ ସୁଦ୍ଧା ଏକ ବିଶ୍ୱସ୍ତରୀୟ ଭାରତୀୟ ଶକ୍ତି କ୍ଷେତ୍ରର ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗୀ ଆଭିମୁଖ୍ୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଫିକିର ପୂର୍ବତନ ସଭାପତି ତଥା ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଥିଲେ, ଭାରତର ଶକ୍ତି କ୍ଷେତ୍ର ଯାହା ବର୍ତ୍ତମାନ ୪୫୦+ ଗିଗାୱାଟ୍ କ୍ଷମତା ସହିତ ଅତିରିକ୍ତ କ୍ଷମତାସମ୍ପନ୍ନ, ୨୦୭୦ ସୁଦ୍ଧା ସ୍ୱଚ୍ଛ ଶକ୍ତିକୁ ପରିବର୍ତ୍ତନ କରିବାରେ ବିପୁଳ ସୁଯୋଗ ପ୍ରଦାନ କରୁଛି । ବିସ୍ତାରିତ ଅକ୍ଷୟ ଶକ୍ତି କ୍ଷେତ୍ର ଆଶାଜନକ ଅଭିବୃଦ୍ଧି ସମ୍ଭାବନା ପ୍ରଦାନ କରୁଛି । ସ୍ଥାନୀୟ ଉତ୍ପାଦନ ଏବଂ ଗବେଷଣା ଓ ବିକାଶ ପୁଞ୍ଜିନିବେଶ ବୃଦ୍ଧି ଉଦ୍ଭାବନ ଏବଂ ଶିଳ୍ପ ବିକାଶ ପାଇଁ ନୂତନ ବାଟ ଖୋଲିବ, ବ୍ୟବସାୟକୁ ସହଜ କରିବା, ଆଇଏସ୍ଟି ଛାଡ଼କୁ ବଢ଼ାଇବା ଏବଂ ଟ୍ରାନ୍ସମିସନ ଏବଂ ପାୱାର ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି କ୍ଷେତ୍ରର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ନିବେଶକମାନଙ୍କ ଲାଗି ଏବଂ ବ୍ୟବସାୟ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ । ଫିକି ଏବଂ ସିବିଆଇପି ସମେତ ବିଭିନ୍ନ ଅଂଶୀଦାରଙ୍କ ସହଯୋଗରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି, ଯେଉଁମାନେ କାର୍ଯ୍ୟକ୍ରମ ଅଂଶୀଦାର ଭାବରେ କାର୍ଯ୍ୟ କରନ୍ତି ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକ ଏହାର ଶିଳ୍ପବ୍ୟାପୀ ମହତ୍ତ୍ୱକୁ ପ୍ରତିଫଳିତ କରୁଛନ୍ତି । ସ୍ଥାୟୀ ଅଭିବୃଦ୍ଧି, ବୈଷୟିକ ଉଦ୍ଭାବନ ଏବଂ ଦ୍ରୁତ ବିସ୍ତାରିତ ଅର୍ଥନୀତିର ଆହ୍ୱାନର ମୁକାବିଲା ଉପରେ ଗୁରୁତ୍ୱ ଦେଇ ସିଇଏ ୨୦୪୭ ସୁଦ୍ଧା ଶକ୍ତି କ୍ଷେତ୍ରର ବିକାଶ ପାଇଁ ଏହାର ଦୃଷ୍ଟିକୋଣକୁ ଅନାବରଣ କରିଛି ।