ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

  • ମାନବାଧିକାର ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାରେ ସମାନତା ସମ୍ପର୍କିତ ପଦକ୍ଷେପକୁ ନେଇ ଏମ୍ସକୁ ପ୍ରଶଂସା

ଭୁବନେଶ୍ୱର, (ପିଆଇବି) : ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆରସି)ର ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ (ମାନବାଧିକାର ଶିକ୍ଷା ଏବଂ ଲିଙ୍ଗ ସମାନତା) ପ୍ରଫେସର କହ୍ନେୟା ତ୍ରିପାଠୀ ଗତକାଲି ଏମ୍ସ ଭୁବନେଶ୍ୱର ପରିଦର୍ଶନ କରିଥିଲେ। ଏହି ଅବସରରେ ଶ୍ରୀ ତ୍ରିପାଠୀ ମାନବାଧିକାର ଶିକ୍ଷା, ରୋଗୀସେବାରେ ସମାନତା ଏବଂ ଲିଙ୍ଗ-ସମ୍ବେଦନଶୀଳ ସ୍ୱାସ୍ଥ୍ୟସେବା ଅଭ୍ୟାସ କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଥିଲେ। ଏଥିସହିତ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସଙ୍କ ସମେତ ବରିଷ୍ଠ ଅଧ୍ୟାପକ, ପ୍ରାଶାସନିକ ଅଧିକାରୀ ଏବଂ ବିଭାଗୀୟ ପ୍ରତିନିଧିଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ।

ସମସ୍ତଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନ, ନିୟମିତ ଚିକିତ୍ସା ଅଭ୍ୟାସରେ ମାନବାଧିକାର ନୀତିଗୁଡ଼ିକର ଉତ୍ତମ ଅନୁପାଳନ ନିମନ୍ତେ ଏମ୍ସ ଭୁବନେଶ୍ବରକୁ ପ୍ରଶଂସା କରିଥିଲେ ଏନ୍ଏଚ୍ଆରସି ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ। ସ୍ୱାସ୍ଥ୍ୟସେବା ପାଇଁ ସମାନ ପ୍ରବେଶ, ସୂଚିତ ସମ୍ମତି, ରୋଗୀ ସମ୍ମାନ ଏବଂ ଅଣ-ପାକ୍ଷିକତା ଭଳି ପ୍ରମୁଖ ଦିଗଗୁଡ଼ିକୁ ଏକ ଅଧିକାର-ଭିତ୍ତିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଅତ୍ୟାବଶ୍ୟକ ଉପାଦାନ ଭାବରେ ଆଲୋକପାତ କରିଥିଲେ ଶ୍ରୀ ତ୍ରିପାଠୀ।

ଏହି ଅବସରରେ ଏମ୍ସ ଭୁବନେଶ୍ବରରେ ଏକ ଉତ୍ସର୍ଗୀକୃତ ମାନବାଧିକାର ପ୍ରକୋଷ୍ଠ ସ୍ଥାପନ ନେଇ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରକୋଷ୍ଠ ରୋଗୀଙ୍କ ଅଭିଯୋଗକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା, ସଚେତନତା ଏବଂ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ପରିଚାଳନା କରିବା, ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ତାଲିମ ଅଧିବେଶନ ଆୟୋଜନ କରିବା, ଏନ୍ଏଚ୍ଆରସି ନିର୍ଦ୍ଦେଶାବଳୀର ପାଳନ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିବ।

ରୋଗୀ ସେବା ପ୍ରଦାନରେ ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ସହିତ ଏପରି ମାନବାଧିକାର ପ୍ରକୋଷ୍ଠ ସ୍ଥାପନ ନେଇ ସମର୍ଥନ ପ୍ରକାଶ କରିଥିଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ। ଏନ୍ଏଚ୍ଆରସିର ନିର୍ଦ୍ଦେଶାବଳୀ ସହିତ ସମନ୍ୱୟ ରଖି, ପ୍ରଚଳିତ ବ୍ୟବସ୍ଥାକୁ ଦୃଢ଼ କରିବାର ପୂର୍ଣ୍ଣ ସହଯୋଗର ପ୍ରତିଶୃତି ଦେଇଥିଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ। ଏହି ବୈଠକରେ ଡିନ୍ ଡ. ପି. ଆର. ମହାପାତ୍ର, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, କୁଳସଚିବ ଡ. ସୁଦୀପ୍ତ ରଞ୍ଜନ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.