
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠ ମା’ରାମଚଣ୍ଡୀ ପୀଠର ବିକାଶ ନିମନ୍ତେ ବରିଷ୍ଠ ନେତୃବୃନ୍ଦଙ୍କ ରବିବାର ପରିଦର୍ଶନ ହୋଇଛି । ନବନିର୍ମିତ ମନ୍ଦିର ଏବଂ ବେଢ଼ା ପରିସରରେ ଉନ୍ନୟନ ଯୋଜନା ସରକାରୀ ଓ ବେସରକାରୀ ସ୍ତରରେ ପ୍ରଗତି ହୋଇଆସିଛି । ସୂଚନା ଯୋଗ୍ୟ ଯେ, ରବିବାର ଦିନ ଏହି ମନ୍ଦିର ପରିସରରେ ଏକ ନବନିର୍ମିତ ଶୌଚାଳୟର ଆନୁଷ୍ଠାନିକ ଉଦ୍ଘାଟନ ହୋଇଛି । ଏହା ସାଂଗକୁ ଏଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ଓ ରୋଷେଇଶାଳା ନିମନ୍ତେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ତଥା ପ୍ରାକ୍ତନ ବିଧାନସଭା ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ବହୁ ଗଣ୍ୟମାନ୍ୟ ନେତ୍ତୃବର୍ଗ ଏହି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ଉଦ୍ଘାଟନୀ ଓ ଭିତ୍ତିପ୍ରସ୍ତର କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କ୍ୟୁୟର୍ସ ପକ୍ଷରୁ ଅରୁଣ ଶତପଥୀଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଗଣ୍ୟମାନ୍ୟ ନେତୃବର୍ଗ ଏହି ମାଙ୍ଗଳିକ କାର୍ଯ୍ୟରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ବର୍ଗ ସର୍ବଶ୍ରୀ ବିନୋଦ ପାଢ଼ୀ, ବସନ୍ତ କୁମାର ମହାରଣା, କମଳ କୁମାର ପଣ୍ଡା, ରବୀନ୍ଦ୍ର କୁମାର ପଣ୍ଡା, ରବୀନ୍ଦ୍ର ନାଥ ପଣ୍ଡା, କ୍ଷୀରୋଦ ଚନ୍ଦ୍ର ସାହୁ, ପ୍ରଶାନ୍ତ ମହାରଣା, ସନ୍ତୋଷ କୁମାର ପାଢ଼ୀ, ଶତ୍ରୁଘ୍ନ ମହାରଣା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।
