
ଜିଲ୍ଲା ପରିଷଦ ସଦସ୍ୟଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ
ବାଙ୍କୀ : ଗତକାଲି ଡମପଡ଼ା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ସ୍ଥାନୀୟ ୩୮ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ ଓ ୩୭ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ମିନତୀ ମହାପାତ୍ର ପରିଦର୍ଶନରେ ଯାଇଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟର ପାରିପାର୍ଶ୍ବିକ ଅବସ୍ଥା, ବିଦ୍ୟାଳୟ ପରିସର ପରିଦର୍ଶନ, ସ୍ୱଚ୍ଛତା ନିରିକ୍ଷଣ, ମଧ୍ୟାହ୍ନ ଭୋଜନ ଉପରେ ଦୃଷ୍ଟିପାତ ଏବଂ ଶ୍ରେଣୀଗୃହରେ ପିଲାମାନଙ୍କୁ ବିଭିନ୍ନ ବିଷୟଗତ ପ୍ରଶ୍ନ ପଚାରି ଅଧ୍ୟୟନର ଶୈଳୀ ଓ ଶିକ୍ଷାର ମାନ ସମ୍ପର୍କରେ ପଚାରି ବୁଝିଥିଲେ ।
ସେହିପରି ବିଦ୍ୟାଳୟର ଅଧ୍ୟକ୍ଷ, କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟମାନେ ବିଦ୍ୟାଳୟର ପଠନ ଶୈଳୀ ଓ କେତେକ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ବିଦ୍ୟାଳୟରେ ଲାଇବ୍ରେରୀ ଓ ବିଜ୍ଞାନଗାରର ଆବଶ୍ୟକ ସରଞ୍ଜାମ ନଥିବାରୁ ବିଜ୍ଞାନ ଭିତ୍ତିକ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି । ସେହିପରି ପରିଦର୍ଶକମାନେ ବିଦ୍ୟାଳୟରେ ବିଭିନ୍ନ ସମୟରେ ଦେଖା ଦେଉଥିବା ଅନିୟମିତତାକୁ ସଂଶୋଧନ କରି ବୌଦ୍ଧିକ ଶିକ୍ଷାପ୍ରତି ଦୃଷ୍ଟି ଦେବା ପାଇଁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟର ସ୍ୱଚ୍ଛତା ଓ ପରିବେଶ ପ୍ରତି ଦୃଷ୍ଟି ଦେବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ବିଦ୍ୟାଳୟର ଶିକ୍ଷା ପଦ୍ଧତିକୁ ଉଚ୍ଚମାନର ପ୍ରଣାଳୀରେ ଶିକ୍ଷା ପ୍ରଦାନ କରିବା ପାଇଁ ଅନୁରୂପ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଗୋବିନ୍ଦପୁର ସରପଞ୍ଚ ଜ୍ୟୋସ୍ନାରାଣୀ ଦାସ ଏବଂ ନାଏବ ସରପଞ୍ଚ ବିଭୂତୀ ଭୂଷଣ ଦାସ ଉପସ୍ଥିତ ରହି ବିଦ୍ୟାଳୟର ସମସ୍ୟା ଏବଂ ସ୍ଥାନୀୟ ଅଞ୍ଚଳର ମେଧାବୀ ଗରିବ ଛାତ୍ର ଛାତ୍ରୀମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ପାଇଥିବାରୁ ସରକାରଙ୍କୁ ଅନୁରୂପ କୃତଜ୍ଞତା ଜଣାଇଛନ୍ତି ।