ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଉତ୍ସବରେ ଯୋଗଦେବା ପୂର୍ବରୁ ମଣ୍ଡି ପରିଦର୍ଶନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆସନ୍ତା ୧୮ ତାରିଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଳାହାଣ୍ଡି ଉତ୍ସବ ଘୁମୁରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମଣ୍ଡି ପରିଦର୍ଶନ କରି ଚାଷୀମାନଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ଯୁବ ଛାତ୍ର ବିଜେଡି ଦ୍ୱାରା ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଏହା ସହିତ ଉପ ମୁଖ୍ୟମନ୍ତ୍ରୀ କେ. ଭି. ସିଂହ ଦେଓଙ୍କ ଚାଷୀକୁଳ ପ୍ରତି ବାରମ୍ବାର ତାତ୍ସଲ୍ୟ ଓ ଅପମାନ ଜନକ ମନ୍ତବ୍ୟକୁ ନିନ୍ଦା କରାଯାଇଛି । ଆସନ୍ତା ଜାନୁଆରୀ ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଗସ୍ତ କରି ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରାରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କଳାହାଣ୍ଡି ଜିଲ୍ଲାର ଉତ୍ସବରେ ସେ ଯୋଗଦେବା ପାଇଁ ସହମତି ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ଆଗମନକୁ ସ୍ୱାଗତ କରୁଛୁ । କିନ୍ତୁ କଳାହାଣ୍ଡି ଉତ୍ସବରେ ଯୋଗଦାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭବାନୀପାଟଣା ଓ ଧର୍ମଗଡ ସବଡିଭିଜନର ଅନ୍ତତଃ ଦୁଇଟି ଧାନ ମଣ୍ଡିକୁ ନିଜେ ଅଚାନକ ପରିଦର୍ଶନ କରି ସେଠାକାର ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦାବି କରାଯାଇଛି । ଜିଲ୍ଲା ପ୍ରଶାସନ ଚାଲବାଜି ନକରି ମୁଖ୍ୟମନ୍ତ୍ରୀଙ୍କୁ ମଣ୍ଡି ପରିଦର୍ଶନ କରାଇବା ସହ ପ୍ରକୃତ ଚାଷୀଙ୍କ ସହ ଆଲୋଚନା କରାଇଲେ ହିଁ ଚାଷୀଙ୍କ ପ୍ରକୃତ ଦୁଃଖ ମୁଖ୍ୟମନ୍ତ୍ରୀ ବୁଝିପାରିବେ । କଳାହାଣ୍ଡିର ସାଂସ୍କୃତିକ ବୈଭବକୁ ମନେ ପକାଇବା କିମ୍ବା ଆଗକୁ ନେବା ପାଇଁ ପ୍ରଥମେ ଚାଷୀଙ୍କ ଦୁଃଖ ବୁଝିବା ନିତାନ୍ତ ଆବଶ୍ୟକ । କଳାହାଣ୍ଡିର ପରମ୍ପରା, ସଂସ୍କୃତିକୁ ଆଗକୁ ନେବା ପାଇଁ କଳାହାଣ୍ଡି ଜିଲ୍ଲାର ଅନ୍ନଦାତା ତଥା ଚାଷୀ ପରିବାରର ପ୍ରମୁଖ ଭୂମିକା ରହିଛି । ଏଣୁ ମୁଖ୍ୟମନ୍ତ୍ରୀ ମଣ୍ଡିକୁ ଯାଇ ନିଜେ ମଣ୍ଡିର ସ୍ଥିତି ପରଖନ୍ତୁ ଏବଂ ସମାଧାନ କରନ୍ତୁ ବୋଲି ଯୁବ ବିଜେଡି ନେତା ଅବିନାଶ ଠାକୁର କହିଛନ୍ତି । ଚାଷୀଙ୍କ କଷ୍ଟ ଉପାର୍ଜିତ କୁଇଣ୍ଟାଲ କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ଏବେବି ପଡ଼ିରହିଛି । କାହାକୁ ଟୋକନ ମିଳିନି ତ କାହାର ପୁଣି ଟୋକନ ଲେପ୍ସ ହୋଇଯାଇଛି । ଟୋକନ୍ ଲେପ୍ସ ଭୟରେ ଚାଷୀ ମିଲର୍ସ ମାନଙ୍କୁ ସିଧାସଳଖ କମ୍ ରେଟରେ ଧାନଦେବା ଆରମ୍ଭ କଲେଣି । ଧାନର ଅଭାବୀ ବିକ୍ରି ଆହୁରି ଉତ୍କଟ ସ୍ଥିତିର ପ୍ରମାଣ ଦେଉଛି । ଅନ୍ୟପଟେ କଟନି ଛଟନୀରେ ୮କେଜି ପର୍ଯ୍ୟନ୍ତ ଧାନ କାଟୁଥିବା ବେଳେ ମାତ୍ର ୪୦୦ ଗ୍ରାମର ବସ୍ତାକୁ ୧ କେଜି ଓଜନ ପକାଯାଇ ଚାଷୀଙ୍କୁ ଲୁଟ୍ କରାଯାଉଛି । କଳାହାଣ୍ଡି ଜିଲ୍ଲାରେ ଏବେ ସୁଦ୍ଧା ୫୪ ଲକ୍ଷ କୁଇଣ୍ଟାଲ ଧାନ ଟାର୍ଗେଟ ଥିବାବେଳେ ପ୍ରାୟ ୩୨ ଲକ୍ଷ କୁଇଣ୍ଟାଲ ଧାନ ଏପର୍ଯ୍ୟନ୍ତ ଉଠିପାରିଛି । ଖରିଫରେ ଅନ୍ତତଃ ୭୦ଲକ୍ଷ କୁଇଣ୍ଟାଲ ଧାନ ଉଠିବା କଥା । ଏପଟେ ରାଜ୍ୟ ସରକାର ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାସହ ସବସିଡି ଟଙ୍କା ଦେବୁ ବୋଲି କହିଥିବା ପ୍ରତିଶୃତି ଆଜି ପାଣିର ଗାର ଭଳି ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି । ଏଣୁ ଚାଷୀ କୂଳର ସାମୁହିକ ହିତପାଇଁ ସରକାର ୧୫୦ କୁଇଣ୍ଟାଲରୁ ଅଧିକ ଧାନ ଉପାର୍ଜନ କରିଥିବା ଚାଷୀମାନଙ୍କୁ ଇନପୁଟ୍ ସବସିଡି ପାଇବାରୁ ବଞ୍ଚିତ ନ କରନ୍ତୁ ବୋଲି ଯୁବ ଛାତ୍ର ବିଜେଡି ତରଫରୁ ଦାବି କରାଯାଇଛି । ଏପରିକି ବର୍ଦ୍ଧିତ ଏମଏସପି ୬୯ ଟଙ୍କା ମଧ୍ୟ ଆଜି ଚାଷୀ ପାଇବାରୁ ବଞ୍ଚିତ ହେଉଛି । ୨୩୬୯ ଟଙ୍କା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ଥିବା ବେଳେ ଇନପୁଟ୍ ସବସିଡିକୁ ମିଶାଇ ଚାଷୀଙ୍କୁ ୩୧୦୦ ଟଙ୍କା ଦିଆଯାଉଛି । ସେହିଭଳି, ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ପ୍ରାୟ ୬୩୦ କୋଟି ଟଙ୍କାର ବ୍ୟୟ ଅଟକଳରେ ପ୍ରସ୍ତୁତ ପ୍ରସ୍ତାବିତ ପ୍ରକଳ୍ପର ଡିପିଆର ବୈଷୟିକ କମିଟିରେ ପଡ଼ିରହିଛି । ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଆହୁରି ପ୍ରକଳ୍ପରେ ବିଳମ୍ବ ହେଉଛି । ତେଣୁ ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରି ପ୍ରକଳ୍ପ ଆରମ୍ଭ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ମଣ୍ଡି ପରିଦର୍ଶନ, ଚାଷୀଙ୍କ ସହ ଆଲୋଚନା ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ନେଇ ଜିଲ୍ଲାର ମହୋତ୍ସବରେ ଯୋଗଦେଲେ କଳାହାଣ୍ଡିର ଚାଷୀମାନଙ୍କ ପ୍ରତି ନ୍ୟାୟ ହୋଇପାରିବ ବୋଲି ଯୁବ ବିଜେଡି କହିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସର ଅନ୍ତେବାସୀ ପ୍ରାୟ ୨୦୦ ଜଣ ଛାତ୍ରୀମାନଙ୍କୁ କେଉଁ ଆଧାରରେ ଓ କାହା ଅନୁମତିରେ ରାତିରେ ନେବାପାଇଁ ଯୋଜନା କରାଯାଉଛି ବୋଲି ଯୁବ ନେତାମାନେ ପ୍ରଶ୍ନ କରିଛନ୍ତି । ଲୋକ ମହୋତ୍ସବରେ ଅନ୍ତତଃ ଜିଲ୍ଲା ପ୍ରଶାସନ ଲୋକ ବୁହାକରି ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ କରୁଥିବା ଉଦ୍ୟମରୁ କ୍ଷାନ୍ତ ରହିବାକୁ ଯୁବ ଛାତ୍ରଙ୍କୁ ବିଜେଡି ପରାମର୍ଶ ଦେଇଛି । ଯଦି ମୁଖ୍ୟମନ୍ତ୍ରୀ ମଣ୍ଡି ପରିଦର୍ଶନ ନ କରନ୍ତି ଓ ଚାଷୀଙ୍କ କଥା ନ ବୁଝିବେ ତେବେ କଳାହାଣ୍ଡିର ଯୁବକ ଓ କୃଷକ ତାଙ୍କୁ ଉଚିତ୍ ସମୟରେ ଜବାବ ଦେବେ ବୋଲି ବିଜେଡି ନେତାମାନେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ତଥା ଯୁବନେତା ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ନିଳାମ୍ବର ସାହୁ, ଯୁବନେତା ସେନାପତି ନାଏକ, ସାମନ୍ତ ଖମାରୀ, କ୍ଷିରସିନ୍ଧୁ ନାଏକ, ଶିବା ସାହୁ, ଦିନେଶ ବଗର୍ତ୍ତି, ରାଜୀବ ଲୋଚନ ଶତପଥୀ, ମହେନ୍ଦ୍ର ରାଉତ, ନବୀନ ନାୟକ, ପିତବାସ ବେହେରା ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.