jayashree

ରେଳ ଉପଭୋକ୍ତା ସଂଘର ରେଳଷ୍ଟେସନ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଷ୍ଟେସନ ପରିଦର୍ଶନରେ ଯାଇଥିଲେ । ବର୍ଷେ ତଳେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ଆଜି ପର୍ଯ୍ୟନ୍ତ ଅଣଦେଖା ହୋଇପଡିଛି । ବରିଷ୍ଠ ନାଗରିକ ରୋଗୀ, ମହିଳାଙ୍କ ପାଇଁ ଲିଫ୍ଟ ଓ ବାରଫୁଟିଆ ର‍୍ୟାମ୍ପ ଫେବୃୟାରୀ ୨୦୨୪ରେ କାର୍ଯ୍ୟକ୍ଷମ ହେବ ବୋଲି ମହାପ୍ରବନ୍ଧକ ଲିଖିତ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଡିଆରଏମ୍‌ଙ୍କ କାର୍ଯ୍ୟାଳୟରୁ ଅନୁମୋଦିତ ହୋଇ କୌଣସି ଆର୍କିଟେକ୍‌ଚରାଲ ନକସା ଆସିନାହିଁ ବୋଲି ସ୍ଥାନୀୟ ବିଭାଗ ଯନ୍ତ୍ରୀ ଅସହାୟ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ବରଗଡ ଓ ନୂଆପଡାରେ ମାସେ ହେଲା ଲିଫ୍ଟ କାମ ଆରମ୍ଭ ହେଲାଣି । ଯାତ୍ରୀମାନଙ୍କ ପାଇଁ କ୍ଲକ ରୁମ୍‌ର ସୁବିଧା ଅଛି ବୋଲି ଚିଠିରେ ଦର୍ଶାଇଥିବା ସ୍ଥଳେ ଷ୍ଟେସନର କୌଣସି ସ୍ଥାନରେ ଫଳକ ନାହିଁ । କମର୍ସିଆଲ ମ୍ୟାନେଜରଙ୍କ କହିବା ଅନୁସାରେ ମାସକୁ ଦୁଇ ତିନି ଜଣ ସଚେତନ ଯାତ୍ରୀ ଟିକଟ କାଉଣ୍ଟରରୁ ରସିଦ ଆଣି ତାଙ୍କ କାର୍ଯ୍ୟାଳୟରେ ସାମାନ ରଖନ୍ତି । ଉଚ୍ଚଶ୍ରେଣୀ ପ୍ରତିକ୍ଷାଳୟକୁ ଲାଗିଥିବା କ୍ୟାଣ୍ଟିନରେ ସନ୍ଧ୍ୟାରେ ବିଲକୁଲ ଥଣ୍ଡା ଜଳଖିôଆ ପରୋଷା ଯାଉଛି । ଜନତା ମିଲ ସାଇନବୋର୍ଡରେ ଲେଖାଥିଲେ ମଧ୍ୟ ତିଆରି ହେଉନାହିଁ । ଦ୍ୱିତୀୟ ଶ୍ରେଣୀ ପ୍ରତିକ୍ଷାଳୟକୁ ପଶିଲେ ନାକ ଫାଟିଯାଉଛି । ରାତ୍ରିକାଳୀନ ଟ୍ରେନରେ ୨ ଓ ୩ ଫ୍ଲାଟଫର୍ମରେ ଇଞ୍ଜିନକୁ ଲାଗି ଦୁଇ ତିନୋଟି ବଗି ପାଖରେ ଲାଇଟ ଜଳୁନଥିବାରୁ ଏବଂ ରେଳବାଇ ସୁରକ୍ଷା କର୍ମୀ ପ୍ରାୟ ନ ଥିବା ଯୋଗୁଁ ଯାତ୍ରୀମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ବଲାଙ୍ଗିର ପ୍ରତି ରେଲବାଇ ବିଭାଗର ଏହି ବୈମାତୃକ ମନୋଭାବ ଯୋଗୁଁ ଏକ ଜନ ଆନ୍ଦୋଳନକୁ ବାଧ୍ୟ କରୁଛି ବୋଲି ସଭ୍ୟମାନେ ମତବ୍ୟକ୍ତ କରିଛନ୍ତି । ଦୁଇ ଦିନ ତଳେ ବନାରସରୁ ସମ୍ବଲପୁର ଯାଉଥିବା ଟ୍ରେନ ସଂପ୍ରସାରିତ ହୋଇ ବଲାଙ୍ଗିର ଦେଇ ଦୁଇ ଦିନ ଯିବାକୁ ଥିବାରୁ ସଂଘ ଉଭୟ ମନ୍ତ୍ରୀ ଏବଂ ସାଂସଦ ସଙ୍ଗିତା ସିଂଦେଓଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି । ପରିଦର୍ଶନ ସମୟରେ ରେଳ ଉପଭୋକ୍ତା ସଂଘର ସଂପାଦକ ଦିବାକର ହୋତା, କୋଷାଧ୍ୟକ୍ଷ ଅଶୋକ ଚାନ୍ଦ, କାର୍ଯ୍ୟକାରିଣୀ ସଭ୍ୟ ସୁରେନ୍ଦ୍ର ନେଗୀ, ନରେନ୍ଦ୍ର କବାଟ, ପ୍ରଫେସର ନବ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.