- ରାସ୍ତା ଓ ଡ୍ରେନ ବ୍ୟବସ୍ଥିତ କରିବାରେ ପୌର ପରିଷଦ କରୁଛି ଅବହେଳା : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୩ ଓ ୪ର ବିଭିନ୍ନ ରାସ୍ତା ଓ ଡ୍ରେନରେ ଥିବା ଅବ୍ୟବସ୍ଥାକୁ ନେଇ ପୌର ଅଧିକାରୀଙ୍କୁ ସାଙ୍ଗରେ ନେଇ ପରିଦର୍ଶନରେ ଯାଇଥିଲେ । ଏହି ଉଭୟ ୱାର୍ଡର ଅନେକ ଅଂଚଳରେ ରାସ୍ତା ଓ ଡ୍ରେନ୍ ଘୋର ଅବ୍ୟବସ୍ଥାରେ ପଡି ରହିଛି । ଦୀର୍ଘ ଦିନରୁ ସରକାରୀ ଦଳ ଅଧୀନରେ ଥିବା ପୌର ପରିଷଦ ଦାୟିତ୍ୱହୀନତା ଓ ଦୂରଦର୍ଶିତାର ଅଭାବ ଯୋଗୁଁ ରାସ୍ତା ଓ ଡ୍ରେନ ସମସ୍ୟା କୌଣସି ସମାଧାନ ବାହାରି ପାରୁନାହିଁ । କେବଳ ବର୍ଷା ଦ୍ୱାରା ପାଣି ଜମା ରହିଲେ ଶସ୍ତା ରାଜନୀତି କରିବା ପାଇଁ ସ୍ଥାନୀୟ ସରକାରୀ ଦଳର ନେତାମାନେ ପହଞ୍ଚି ଯାଉଛନ୍ତି କିନ୍ତୁ ପରେ ଯେଉଁ ଦୂରବସ୍ଥାକୁ ସେହି ଦୂରବସ୍ଥା । ତେଣୁ ଏହାର ସ୍ଥାୟୀ ସମାଧାନର ରାସ୍ତା ବାହାର କରିବା ପାଇଁ ଉଭୟ ୱାର୍ଡର କାଉନସିଲର ଏବଂ ଜନସାଧାରଣ ବିଧାୟକଙ୍କୁ ସେ ଅଂଚଳର ସମସ୍ୟା ବାବଦରେ ଅବଗତ କରାଇବା ପାଇଁ ଡାକିଥିଲେ । ବିଧାୟକ ଶ୍ରୀ ମିଶ୍ର ସେ ଅଂଚଳର ସମସ୍ୟା ଦେଖି ସାଙ୍ଗରେ ଥିବା ପୌର ଅଧିକାରୀଙ୍କୁ ରାସ୍ତା ଓ ଡ୍ରେନ ସଂଲଗ୍ନ ଅଂଚଳକୁ ଭଲ ଭାବରେ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ତଳି ଅଂଚଳରୁ କେମିତି ପାଣି ସଠିକ୍ ଭାବେ ନିଷ୍କାସନ ହୋଇ ପାରିବ ଏବଂ ବର୍ଜ୍ୟ ଜଳ ବନ୍ଧ ପୋଖରୀକୁ ନ ପଶିବ ସେ ଉପରେ କୁଶଳି ଯନ୍ତ୍ରୀମାନଙ୍କୁ ନେଇ ଏ ସମସ୍ୟାର ବାଟ ଶୀଘ୍ର ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତାହା ସହ ପୌର ପରିଷଦ ତରଫରୁ ଦିଆଯାଉଥିବା ଷ୍ଟ୍ରିଟ ଲାଇଟ ଲୋକଙ୍କ ଅନେକ ଅଭିଯୋଗ ସତ୍ତେ୍ୱ ମଧ୍ୟ ଅଚଳ ଲାଇଟକୁ ମରାମତି କରାଯାଉ ନ ଥିବାରୁ ୱାର୍ଡ ନଂ.୩ ରେ ଅନେକ ଆଇନ ଶୃଙ୍ଖଳା ପରିସ୍ଥିତି ଏପରିକି ଗୋଟିଏ ସ୍ଥାନରେ ଅନ୍ଧାର ଯୋଗୁଁ ଦୁଇ ଥର ଲୁଟ ଘଟଣା ଘଟିଯାଇଥିବାର ଉପସ୍ଥିତ ମହିଳାମାନେ ଅଭିଯୋଗ କରିଥିଲେ । ଉପସ୍ଥିତ ପୌର ଅଧିକାରୀ ବ୍ରଜ କିଶୋର ମିଶ୍ରଙ୍କୁ ଯେତେ ଶୀଘ୍ର ହେବ ଷ୍ଟ୍ରିଟ ଲାଇଟ ସମସ୍ୟା ଦୂର କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେବା ସହ ଦରକାର ପଡିଲେ ଏ ସମସ୍ତ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ପରାମର୍ଶ ଗ୍ରହଣ କରିବାକୁ ପୌର ଅଧିକାରୀଙ୍କୁ କହିଥିଲେ । ଆଜିର ଏହି ଗସ୍ତ ସମୟରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଉଭୟ କାଉନସିଲର ଯଥା ରଜନୀ ବନଛୋର, ଅରବିନ୍ଦ ପରୁଆ, ବୁଲୁ ଦାନୀ, ବଜରଂଗ ବନଛୋର, ଅଜୟ ବାଲି, ଅଙ୍କିତ ସାହୁ, ମନୋରଂଜନ ବିଶ୍ୱାଲ, ସାନୁ ମନହୀରା, ଚନ୍ଦନ ସାହୁ, ରୁପେଶ ନାଗ, ଚିନ୍ମୟ ସାହୁ, ରୋସନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।