କୁଳପତିଙ୍କ ଡିଏଭି କଲେଜ ପରିଦର୍ଶନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିର ସହିତ ଅନୁବନ୍ଧିତ ଏକ ମାତ୍ର ସ୍ୱୟଂ ଶାସିତ କଲେଜର ଗୌରବ ଅର୍ଜନ କରିଥିବା ଡିଏଭି କଲେଜ, ଟିଟିଲାଗଡ଼କୁ କୁଳପତି ପ୍ରଫେସର ଡକ୍ଟର ଉମା ବଲ୍ଲଭ ମହାପାତ୍ର ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର କଲେଜ ଡେଭ୍‌ଲପ୍‌ମେଣ୍ଟ କାଉନସିଲ ତଥା ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ବିଘ୍ନେଶ ପ୍ରସାଦ ମିଶ୍ର ମଧ୍ୟ ଏକ ଦିନିଆ ପରିଦର୍ଶନରେ ଆସିଥିଲେ । ଡିଏଭି (ସ୍ୱୟଂ ଶାସିତ) ମହାବିଦ୍ୟାଳୟ ତରଫରୁ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଫେସର ଡ ଦୋଳଗୋବିନ୍ଦ ବିଶି, ପ୍ରିନ୍ସିପାଲ ଡ. ମେଜର ମଧୁସୂଦନ ମିଶ୍ର, ଆଡମିନିଷ୍ଟ୍ରେଟିଭ ବୁର୍ସାର୍ ପ୍ରଫେସର ବିଧାନ ଚନ୍ଦ୍ର ମିଶ୍ର, ସେକ୍ରେଟାରୀ ଷ୍ଟାଫ୍ କାଉନସିଲ ପ୍ରଫେସର ଡ ପ୍ରଣବ କିଶୋର ପୁରୋହିତ, ପରୀକ୍ଷା ନିୟନ୍ତ୍ରକ ଡ ଉମେଶ ଚନ୍ଦ୍ର ସାହୁ, ଆଇ. କ୍ୟୁ. ଏ. ସି. କୋର୍ଡିନେଟର ପ୍ରଧ୍ୟାପିକା ସସ୍ମିତା ପାଣିଗ୍ରାହୀ ପ୍ରମୁଖ ସ୍ୱାଗତ କରିଥିଲେ । ଏହି ଉପଲକ୍ଷେ ଏନ୍‌ସିସି କ୍ୟାଡେଟଙ୍କ ତରଫରୁ ମଧ୍ୟ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । କୁଳପତି ଶ୍ରୀ ମହାପାତ୍ର ସେମିନାର ହଲରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ପରିଶ୍ରମୀ ହେବାକୁ ଏବଂ ସୁ ନାଗରିକ ହେବାକୁ ଉପଦେଶ ଦେଇଥିଲେ । ପରେ ପ୍ରଧ୍ୟାପକ ଡ. ରମାକାନ୍ତ ବେହେରା ଏବଂ ଅଧ୍ୟାପକ ଜୟଦେବ କରଙ୍କ ତତ୍ତ୍ଵାବଧାନରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୁଳପତି ଶ୍ରୀ ମହାପାତ୍ର ଏବଂ ସିଡ଼ିସି ନିର୍ଦ୍ଦେଶକ ଶ୍ରୀ ମିଶ୍ର ଓଡ଼ିଆ, ରାଜନୀତି ବିଜ୍ଞାନ ଏବଂ ରସାୟନ ବିଜ୍ଞାନର ସ୍ନାତକୋତ୍ତର ବିଭାଗ ଏବଂ ଅନ୍ୟସବୁ ବିଷୟର ସ୍ନାତକ ବିଭାଗ ପରିଦର୍ଶନ କରିଥିଲେ । ପରେ ସମସ୍ତ ପ୍ରଧ୍ୟାପକ ଏବଂ ଅଧ୍ୟାପକଙ୍କୁ ସୋମନାଥ ଭବନରେ ଉଦ୍‌ବୋଧନ ଦେଇ ଆଗାମୀ ଶିକ୍ଷା ବର୍ଷରୁ ଡିଏଭି ମହାବିଦ୍ୟାଳୟରେ ସମସ୍ତ ବିଷୟରେ ସ୍ନାକୋତ୍ତର ପାଠ୍ୟକ୍ରମ ଖୋଲାଯିବାର ସୂଚନା ଦେଇଥିଲେ । ଏହି ଉପଲକ୍ଷେ ସୋମନାଥ ଭବନରେ ହୋଇଥିବା ସମ୍ବର୍ଦ୍ଧନା ସଭାରେ କୁଳପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଧ୍ୟାପିକା ଶ୍ରୀମତୀ ଅଳକନନ୍ଦା ମଲ୍ଲ ଏବଂ ବନ୍ଦନା କର ସ୍ଵାଗତ କରିଥିଲେ । ପରେ କଲେଜ ତରଫରୁ ମାନପତ୍ର ଏବଂ ଉପଢୌକନ ଦେଇ କୁଳପତିଙ୍କୁ ସମ୍ମାନିତ କରାଯାଇଥିଲା ।
ପ୍ରଧ୍ୟାପକ ଡ. ରମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.