କୋଭିଡ ଟିକାକରଣ କେନ୍ଦ୍ର ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ସମ୍ପୂର୍ଣ୍ଣ ଭାବେ ଲୋକଙ୍କୁ ଟିକାକରଣ ସୁବିଧାକୁ ଦୃଷ୍ଟିରେ ରଖି ପାଇକମାଲରେ ଦୁଇଟି, ମାଣ୍ଡୋସିଲରେ ଗୋଟିଏ, ଲଖମରାରେ ଗୋଟିଏ ଏବଂ ହେର୍ଡକ୍ୱାଟର ବୁକୁରାମୁଣ୍ଡାରେ ସମୁଦାୟ ୫ ଗୋଟି କୋଭିଡ ଟିକାକରଣ ଶିବିର ଆୟୋଜନ କରାଯାଉଛି ବୋଲି ବୁକୁରାମୁଣ୍ତା ଗୋଷ୍ଠୀ ପିଏଚଓ ତୁଷ କୁମାର ଚନ୍ଦ୍ରକାର ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଏ ପରିପ୍ରେକ୍ଷୀରେ ସରକାରଙ୍କ ନିୟମାନୁସାରେ ସମସ୍ତେ ଟିକା ନେଇ ପାରିବେ ଏପରିକି ଗର୍ଭବତୀ ମହିଳାଙ୍କୁ ମଧ୍ୟ ଏଇ ମହାମାରୀ କରୋନା ଟିକା ଦିଆଯିବ ବୋଲି ନିର୍ଦ୍ଦେଶ ଆସିବା ପରେ ଗର୍ଭବତୀ ମହିଳାମାନେ ଉତ୍ସାହର ସହ ଟିକାକରଣ କେନ୍ଦ୍ରରେ ଆସି କୋଭିଡ ଟିକା ନେଉଥିବାର ସୂଚନା ମିଳୁଛି । ଟିକାକରଣ କେନ୍ଦ୍ରକୁ ଆଜି ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ କବିତାଞ୍ଜଳି ଦାଶ ଅଚାନକ ପହଞ୍ଚି ଅଯଥାଟାରେ ଭିଡ଼ ନ ଜମାଇ ଶୃଙ୍ଖଳିତ ଭାବେ ଧାଡ଼ି ହୋଇ ଟିକାକରଣ କେନ୍ଦ୍ରରେ ଟିକା ଦେଉଥିବା ମହିଳା ସ୍ବାସ୍ଥ୍ୟକର୍ମୀ ଦ୍ୱୟଙ୍କୁ ସହାୟତା କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ବିଶେଷ ସମେତ ଗର୍ଭବତୀ ମହିଳା ମାନେ ଯେଉଁମାନେ ଟିକା ନେଇ ସାରିଛନ୍ତି କିମ୍ବା ନେବାକୁ ଧାଡ଼ିରେ ଅପେକ୍ଷା କରିଛନ୍ତି ସେମାନେ ଟିକା ନେଇ ସାରିଲା ପରେ ଅଧଘଣ୍ଟା ବିଶ୍ରାମ ନେଇ ଯାଇ ଘରକୁ ପ୍ରତ୍ୟାବର୍ତ୍ତନ କରିବାକୁ ଜଣାଇଥିଲେ । ଆଜି ଟିକାକରଣ କେନ୍ଦ୍ରରେ ମହିଳା ସ୍ବାସ୍ଥ୍ୟକର୍ମୀ ମମତା ବେହେରା ଲୋକଙ୍କୁ କୋଭିଡ ଟିକା ଦେଉଥିବା ବେଳେ ମହିଳା ସ୍ବାସ୍ଥ୍ୟକର୍ମୀ ଅନୀତା ବାରିକ ଲୋକଙ୍କ ନାମ ପଞ୍ଜିକରଣ କରିବାର ଦେଖିବାକୁ ମିଳିଥିଲା । ସମୁଦାୟ ୨୦୪ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିବା ବେଳେ ତନ୍ମଧ୍ୟରୁ ୧୮ ଜଣ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଥିଲା ।

Leave A Reply

Your email address will not be published.