
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ସମାହିତ ହୋଇଆସୁଥିବା ପ୍ରସିଦ୍ଧ ଶିବବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ଅବସରରେ ଆୟୋଜିତ ପର୍ବ ସମ୍ଭାରରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇଛନ୍ତି । ଏହି ପୂଣ୍ୟ ପର୍ବାଣୀରେ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଆଶିଷ ଲାଭ କରିବା ସାଙ୍ଗକୁ ବିଭୂକୃପା ଲାଭ କରିଛନ୍ତି । ଅନ୍ୟପକ୍ଷରେ ଶୀତଳ ଷଷ୍ଠୀ ଉତ୍ସବ ଅବସରରେ ଆୟୋଜିତ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ଟିକରପଡାର ରାମାୟଣ ମଞ୍ଚସ୍ଥ ନାଟକ କାର୍ଯ୍ୟକ୍ରମକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସନାତନ ଧର୍ମ ଓ ସଂସ୍କୃତି ରକ୍ଷା କରିବାରେ ଗ୍ରାମବାସୀଙ୍କର ସଫଳ ପ୍ରଚେଷ୍ଟାକୁ ବିଧାୟକ ଖୁବ୍ ପ୍ରଶଂସା କରିଥିଲେ । ଆୟୋଜିତ ସଭାରେ ଶିବ ମନ୍ଦିର ମୁଖ୍ୟ ଟ୍ରଷ୍ଟି ଅମରେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସଭାରେ ସମ୍ମାନୀତ ଅତିଥି ରୂପେ ଟାଙ୍ଗଣାପଲ୍ଲୀ ସରପଞ୍ଚ ବି.ସୁଦାମ, ସମିତିସଭ୍ୟା ମୀନା କୁମାରୀ ସାହୁ ଯୋଗଦେଇ ଅନୁଷ୍ଠାନର ପ୍ରଚେଷ୍ଟାକୁ ସାଧୁବାଦ ଜଣାଇ ଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ବକ୍ତା ରୂପେ ଯୋଗଦେଇ ରାମାୟଣରେ ସମସ୍ତ ଚରିତ୍ର ଭୋଗତ୍ରାଗ ଓ ମୋହତ୍ରାଗ ଉପରେ ବକ୍ତବ୍ୟ ରଖିଥିଲେ । ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା,ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ, ସଂପାଦକ ଗଗନ ବିହାରୀ ସାହୁ, ଯୁବ ସମାଜ ସେବୀ ସମ୍ପଦ ନାହାକ, ଯୁବ ନେତା ବିକ୍ରମ ପାଣିଗ୍ରାହୀ, ସନ୍ତୋଷ କୁମାର ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ ପ୍ରମୁଖ ଯୋଗଦେଇ ଗ୍ରାମ ବାସୀ ଶତାଧିକ ବର୍ଷର ସଂସ୍କୃତି ବଜାୟ ରଖିଥିବା ଯୋଗୁଁ ପ୍ରଶଂସା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିଲେ ।