ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ କରି ମାନବିକତାର ପରିଚୟ ଦେଲେ ମୁସଲିମ ମହିଳା । ଘଟଣା କ୍ରମେ ଗତକାଲି ଶୁକ୍ରବାର ଦିନ ସାଂସଦଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ସ୍ଵରୂପ ପାତ୍ର ଖବର ପାଇ ବୀରମହାରାଜପୁର ଅଞ୍ଚଳର ଜଣେ ଅସହାୟ ରୋଗୀଙ୍କ ପାଇଁ ସୋସିଆଲ ମିଡିଆରେ ଏକ A+ ଗ୍ରୁପ ରକ୍ତ ଜରୁରୀ ଆବଶ୍ୟକତା ପାଇଁ ପୋଷ୍ଟ କରିଥିଲେ । ସୋସିଆଲ ମିଡିଆରୁ ଦେଖି କିଛି ସମୟ ପରେ ରକ୍ତଦାନ ପାଇଁ ହଠାତ୍ ପହଞ୍ଚି ଯାଇଥିଲେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ମୁସଲିମ ଯୁବତୀ ଜହର ବିବି । ବର୍ତ୍ତମାନ ରକ୍ତ ଭଣ୍ଡାରରେ ରକ୍ତର ବହୁଳ ଅଭାବ ରହିଥିବା ବେଳେ ଜହର ବିବି ରକ୍ତଦାନ କରି ଜଣେ ଅସହାୟ ମହିଳାଙ୍କ ଜୀବନ ବଞ୍ଚାଇ ଥିବାରୁ ସାଂସଦଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ସ୍ୱରୂପ ପାତ୍ରଙ୍କ ସମେତ ସହରର ବୁଦ୍ଧିଜୀବୀଙ୍କ ଠାରୁ ପ୍ରଶଂସା ସାଉଁଟିଛନ୍ତି ସମ୍ପୃକ୍ତ ମୁସଲିମ ଯୁବତୀ । ସୋସିଆଲ ମିଡିଆରେ କହୁଛନ୍ତି ଯେ, ମୁସଲମାନ ଭଉଣୀ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଇଏ ହେଉଛି ଅସଲ ଭାରତର ଏକତା । ଆଉ କିଏ କହୁଛନ୍ତି ଭଲ ମଣିଷ ଆଜି ବି ଅଛନ୍ତି । ଏକତା ଆଜି ବି ଜୀବନ୍ତ ଅଛି । ମାନବିକତା ଆଜି ବି ବଞ୍ଚିଛି । ଯେଉଁ ଦିନ ଆମ ଭିତରେ ମନୁଷ୍ୟ ମନୁଷ୍ୟକୁ ଭଲପାଇବା ଆସିଯିବ ସେଦିନ ଭାରତ ଶ୍ରେଷ୍ଠ ଓ ବିକଶିତ ଭାରତ ହେଇଯିବ ଇତ୍ୟାଦି ଇତ୍ୟାଦି ।
Prev Post