ହାଇଦ୍ରାବାଦରେ ଦଣ୍ଡ ନୃତ୍ୟ ପରିବେଷଣ ସହ “ଓସାକା’ ର ପୁଷପୁନି ଭେଟଘାଟ ପାଳିତ

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ “ଓସାକା” ତରଫରୁ ୮ ଫେବୃଆରୀ ଦିନ ବେଗମ୍ ପେଟ୍‌ସ୍ଥିତ ସେସ୍‌ଅଡିଟୋରିୟମରେ ପାରମ୍ପାରିକ ଶୈଳୀରେ ପୁଷ୍‌ପୁନି ଭେଟ୍‌ଘାଟ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ପ୍ରାଚୀନ ଲୋକକଳା “ଦଣ୍ଡ ” (ଡଁଣ୍ ) କୁ ରାଜ୍ୟ ବାହାରେ ପ୍ରଚାର ପ୍ରସାର ପାଇଁ ଓସାକା ପ୍ରୟାସ୍ କରିଥିଲା । ଏହି ଅବସରରେ ଦଣ୍ଡ ମହର୍ଷି ଗୁରୁ ବିପିନ ଜାଲଙ୍କ “ମା’ ସୁରେଶ୍ଵରୀ ଦଣ୍ଡ ନୃତ୍ୟ” ସୁବର୍ଣ୍ଣପୁର ଦଣ୍ଡ ପରିବେଷଣ ବେଶ୍ ଆକର୍ଷଣୀୟ ଥିଲା । କୁନୀ ଛାତ୍ରୀ ସୁଶ୍ରୀ ସୃଷ୍ଟି ପ୍ରଧାନ ଏବଂ ଆନିନ୍ଦ୍ୟ ମିଶ୍ରଙ୍କ ନୃତ୍ୟ ତଥା ନମ୍ରତା ପାଣିଗ୍ରାହୀଙ୍କ ସମ୍ବଲପୁରୀ ଗୀତ ପରିବେଷଣ ମନଛୁଆଁ ଥିଲା । ଏ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଇକି ସରକାରୀ ମେଡିକାଲ୍ ସିଟ୍ ପାଇଥିବା ଶଶାଙ୍କ ଶେଖର ଗଡତ୍ୟା ଏବଂ ମାଟ୍ରିକ୍ ପରୀକ୍ଷାରେ ୯୭ ପରସେଣ୍ଟ୍ ମାର୍କ ରଖିକି କୃତକାର୍ଯ୍ୟ ହେଇଥିବା ବିବେକ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଶ୍ଚିମ ଓଡ଼ିଶାର ପର୍ବ ପର୍ବାଣୀ ତଥା ମହାପୁରୁଷଙ୍କ ଜୟନ୍ତୀ ଉପରେ ସୂଚନା ନିମନ୍ତେ ବରଗଡ ଜିଲ୍ଲା ବୁଗ୍ ବୁଗାରୁ ପ୍ରକାସିତ ସମ୍ବଲପୁରୀ/ କୋଶଲୀ କେଲେଣ୍ଡର ୨୦୨୬ ଉପସ୍ଥିତ ପରିବାର ମାନଙ୍କୁ ପ୍ରଦାନ କରାଯାଇଥିଲା । ପୁଷପୁନି ଅବସରରେ ହଜି ଯାଉଥିବା ମହାନ ପରମ୍ପରା “ଛେର୍ ଛେରା” କୁ ବଞ୍ଚାଇ ରଖିବା ପାଇଁ ଓସାକାର ପ୍ରୟାସରେ ଛୋଟ ଛୋଟ ଛୁଆମାନେ ବିଶେଷ ଉତ୍ସାହର ସହ ଭାଗ ନେଇଥିଲେ । ଆୟକର ବିଭାଗର ଅତିରିକ୍ତ କମିଶନର ଆଶୁତୋଷ ପ୍ରଧାନ ଏବଂ ଯୁଗ୍ମ କମିଶନର ରଂଜନ ଅଗରୱାଲ ମଧ୍ୟ ଯୋଗଦେଇଥିଲେ । ଓସାକାର ସଭାପତି ସୁନୀଲ କୁମାର ଗଡତ୍ୟାଙ୍କ ପୁଷପୁନି ବାର୍ତ୍ତା ସହ ଦଣ୍ଡ ଗୁରୁ ବିପିନ ଜାଲ ଏବଂ ତାଙ୍କ ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଶତାଧିକ ଲୋକଙ୍କର ସହଯୋଗ ପାଇଁ ସାଧାରଣ ସମ୍ପାଦକ ସମୀର ପାଢୀ ଧନ୍ୟବାଦ ଦେବା ସହ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଓସାକାର ଉଦ୍ୟମରେ ସମସ୍ତଙ୍କୁ ସାମିଲ ହେବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.