
ବରଗଡ, (ମୁନ୍ନା ସାହୁ) : ଜାତି ପ୍ରଥାର ଘୃଣ୍ୟ ରୂପ । ଅନ୍ୟଜାତିରେ ବାହା ହୋଇଥିଲା ବୋଲି ମୃତ୍ୟୁ ପରେ ନିଜ ରକ୍ତ ସମ୍ପର୍କୀୟ ବି ପର କଲେ । ଶବ ସତ୍କାର ପାଇଁ କେହି ଆସିଲେ ନାହିଁ । ଶବ ସତ୍କାର କଲା ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ । ସୂଚନା ମୁତାବକ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସାନ ସରେଇପାଲିର ସୀମନ୍ତ ମିର୍ଦ୍ଧା କାମ ଅନ୍ୱେଷଣରେ ୬ ବର୍ଷ ତଳେ ଝାରସୁଗୁଡା ଜିଲ୍ଲା ବେଲପାହାଡ ଅଞ୍ଚଳକୁ ଚାଲିଯାଇଥିଲେ । ସେଠାରେ ସେ ଅନ୍ୟ ଏକ ଜାତିର ଝିଅ ସହିତ ପ୍ରେମ ବିବାହ କରିଥିଲେ । ଅନ୍ୟଜାତିରେ ପ୍ରେମ ବିବାହ କରିଥିବାରୁ ଘରେ ଜାତି ସମାଜରେ ବାସନ୍ଦ ହୋଇଥିଲେ । ସାମାନ୍ୟ ଘର ଭାଗ ବଣ୍ଟାକୁ ନେଇ ସାନ ଭାଇ ରାମକୃଷ୍ଣ ମିର୍ଧା(୩୫)ଙ୍କ ସୀମନ୍ତ ମିର୍ଦ୍ଧାଙ୍କ ସହିତ ବଚସା ହୋଇଥିଲା । ବଚସା ଏତେ ଜୋର୍ ହୋଇଥିଲା ଯେ ଘଟଣାଟି ମରଣାତ୍ମକ ଆକ୍ରମଣ ଯାଏ ପହଁଞ୍ଚିଥିଲା ଓ ଶେଷରେ ସାନ ଭାଇ ରାମକୃଷ୍ଣଙ୍କ ଠେଙ୍ଗା ମାଡ଼ରେ ବଡ ଭାଇ ସୀମନ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଘଟଣାସ୍ଥଳରେ ସୀମନ୍ତ ଟଳି ତଳେ ପଡି ଯାଇଥିଲେ । ଏତିକିରେ ଖବର ପାଇଁ ଅମ୍ବାଭୋନା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିବା ସହିତ ରାମକୃଷ୍ଣ ମିର୍ଦ୍ଧାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସୀମନ୍ତଙ୍କ ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ହେଲେ ସୀମନ୍ତ ଅନ୍ୟଜାତିରେ ବାହା ହୋଇଥିବାରୁ ପରିବାର ସମାଜରେ କେହି ଧରାଛୁଆ ଦେଇନଥିଲେ । ମୃତଦେହ ହସ୍ପିଟାଲ ବାରଣ୍ଡାରେ ପଡି ରହିଥିବା ବେଳେ ଅମ୍ବାଭୋନା ପୋଲିସର ଅନୁରୋଧ କ୍ରମେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ସ୍ଥାନୀୟ ପିପଲମୁଣ୍ଡା ସ୍ୱର୍ଗଦ୍ୱାରରେ ସସମ୍ମାନେ ସୀମନ୍ତଙ୍କ ଶବ ଶତ୍କାର କରଯାଇଥିଲା । ସୀମନ୍ତଙ୍କ ସ୍ତ୍ରୀ ଓ ମାଁ ସମେତ ୬ ବର୍ଷର ଝିଅ ମୃତ୍ୟୁ ସମୟରେ ଉପସ୍ଥିତ ରହିଥିବା ବେଳେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ଅନନ୍ତ ସାହୁ, ଶେଷଦେବ ପଧାନ, ଶଶାଙ୍କ ଦିୱାନ, ଜି. ରମେଶ ପ୍ରମୁଖ ଶବ ଶତ୍କାର କରିଥିଲେ ।