oom

ଦାଦନ ଖଟିବାକୁ ଯାଇ ସନ୍ଦେହ ଜନକ ଭାବେ ଶ୍ରମିକଙ୍କ ମୃତ୍ୟୁ : ପରିବାର ବେସାହାରା

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦାଦନ ଶ୍ରମିକଙ୍କୁ ଟଙ୍କା ଆଗରୁ ଦେଇଥିବାରୁ କାମ କରାଇ ମାରିଦେଲେ ଇଟାଭାଟି ମାଲିକ ଓ ଦାଦନ ସର୍ଦ୍ଦାର, ଘରକୁ ଶବ ହୋଇ ଫେରିଲା ଘରୁ ସୁସ୍ଥ ସବଳ ହୋଇଯାଇଥିବା ମଣିଷ । ଏମିତି ଅଭିଯୋଗ ଆସିଛି ଖପ୍ରାଖୋଲ ଥାନା ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଡୁଡୁମଧରା ଗ୍ରାମରୁ । ଗ୍ରାମର କୁଶ ଶଗଡିଆ(୫୫)କୁ ଇଟାଭାଟିରେ କାମ କରିବାକୁ ଦାଦନ ସର୍ଦ୍ଦାର ବରୁଣ ମାଝୀ ଓରଫ (କେଟି) କଟକ ଅଞ୍ଚଳକୁ ବେଆଇନ ଭାବେ ପଠାଇଥିଲେ । ଗତ ୧୬ ତାରିଖ ରବିବାର ଦିନ ଅଚାନକ ତାଙ୍କର ମୃତ୍ୟୁ ଘଟିଛି । ଯଦି ଦେହ ଅସୁସ୍ଥ ଥିଲା ତେବେ ମାଲିକ ଓ ଦାଦନ ସର୍ଦ୍ଦାରଙ୍କ ପାଖରେ କ୍ରୀତଦାସ ପରି କାମ କରି ଜୀବନ ହାରିଲେ ବିଚରା କୁଶ ଶଗଡିଆ । ଉପଯୁକ୍ତ କାଗଜ ପତ୍ର ନକରି ସର୍ଦ୍ଦାର ଜଣକ ଇଟାଭାଟିରେ କାମ କରାଇବାକୁ ନେଇଥିବା ବେଳେ ବର୍ତ୍ତମାନ ଗରିବ ପରିବାର ବେସାହାରା ହୋଇ ପଡିଛନ୍ତି । ପରିବାର ଲୋକଙ୍କ କହିବାନୁସାରେ କୁଶ ଶଗଡିଆଙ୍କ ଦେହ ସୁସ୍ଥ ଥିଲା ଅଚାନକ ତାଙ୍କର ମୃତ୍ୟୁ ହୋଇଥିବା ଘଟଣାକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି । ମୃତ୍ୟୁ ଘଟଣା ଖବର ପାଇଲା ପରେ ପରିବାର ଲୋକ ଗତକାଲି ସୋମବାର ସନ୍ଧ୍ୟା ୮ଟା ସମୟରେ ଖପ୍ରାଖୋଲ ଥାନାକୁ ଦାଦନ ସର୍ଦ୍ଦାର ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଆସିଥିଲେ । ଗ୍ରାମର ଜଣେ ପଡୋଶୀ ଏବଂ ଦାଦନ ସର୍ଦ୍ଦାର ବରୁଣ ମାଝୀ କଟକ ମେଡିକାଲରୁ କୁଶ ଶଗଡ଼ିଆଙ୍କ ମୃତଶରୀରକୁ ଘରକୁ ନେଇଁ ପଖାପାଖି ବଲାଙ୍ଗିର ପହଞ୍ଚି ସାରିଥିଲେ । କିନ୍ତୁ ପରିବାର ଲୋକ ସର୍ଦ୍ଦାର ବିରୁଦ୍ଧରେ ଅଭିଯୋଗ କରିବା ପରିବର୍ତ୍ତେ ଶବକୁ କେମିତି ଗାଁରେ ପହଞ୍ଚିବ ତାହା ଅଭିଯୋଗରେ ଲେଖିଲେ । ଆଶ୍ଚର୍ୟ୍ୟର କଥା କାହା ଚାପରେ ସେମାନଙ୍କ ଅଭିଯୋଗ ବଦଳିଗଲା । ମୃତ ଶରୀର ଖପ୍ରାଖୋଲ ପହଞ୍ଚିଲା ପରେ ଦାଦନ ସର୍ଦ୍ଦାର ବରୁଣ ମାଝୀକୁ ଥାନାରେ ଅଟକ ରଖାଯାଇଥିବା ପରିବାର ଲୋକେ କହିଥିବା ବେଳେ ମଙ୍ଗଳବାର ଖପ୍ରାଖୋଲ ପୋଲିସ ତରଫରୁ ଗୋଟିଏ ୟୁଡି କେସ ପଞ୍ଜିକୃତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଏପଟେ ଦାଦନ ସର୍ଦ୍ଦାରକୁ ଛାଡି ଦେଇଥିବା ବେଳେ ସେପଟେ ପରିବାର ଲୋକ ବେସାହାରା ହୋଇ ଭାଙ୍ଗି ପଡିଛନ୍ତି । ଘରେ ଗୋଟିଏ ୧୫ ବର୍ଷର ନାବାଳିକା ଝିଅ ଏବଂ ମାନସିକ ବିକୃତ ପୁଅକୁ ନେଇଁ ଘର କେମିତି ଚଳିବ ସେ ଚିନ୍ତାରେ ମୃତକଙ୍କ ସ୍ତ୍ରୀ କିଛି କହିପାରୁ ନାହାନ୍ତି । ଜିଲ୍ଲା ପ୍ରଶାସନ ଏବଂ ସରକାର ଏଦିଗରେ ଦୃଷ୍ଟି ଦେଇ ପରିବାର ଲୋକଙ୍କୁ ନ୍ୟାୟ କିପରି ମିଳିବ ତାର ପଦକ୍ଷେପ ନେଲେ ଭଲ ହେବ ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.