jayashree

ହାତୀ ଆକ୍ରମଣରେ ମୃତ ମାଛୁଙ୍କ ପରିବାର ପାଖକୁୁ ପହଞ୍ଚିଲେ ନରସିଂହ

  • ହାତୀପଲ ଦ୍ୱାରା ଫସଲ କ୍ଷୟକ୍ଷତିର ଠିକ ଭରଣା ଦେଉ ସରକାର – ନରସିଂହ
  • ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପାଇଁ ଚାଲିଛି ଚେଷ୍ଟା – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତିନି ଚାରି ଦିନ ତଳେ କୁଲତାପଡା ପଞ୍ଚାୟତ ଅନ୍ତର୍ଗତ ଖଇରଗୁଡା ଗାଁର ମାଛୁ ମହାନନ୍ଦଙ୍କ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୃତକଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପାଖକୁ ପହଞ୍ଚି ସମବେଦନା ଜଣାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସୁଲିଆ ଜଙ୍ଗଲ ତଥା ଆଖ ପାଖ ଅଂଚଳରେ ଥିବା ଧାନ କିଆରିର ଧାନ ଖାଇବା ପାଇଁ ଏକ ବଡ ହାତୀପଲ ଏ ଅଂଚଳରେ ବିଗତ କିଛି ଦିନ ହେବ ବିଚରଣ କରିବା ଦେଖିବାକୁ ମିଳିଥିଲା । ମୃତକ ମାଛୁ ମହାନନ୍ଦ ଜମିରେ ଫସଲ ଜଗିଥିବା ସମୟରେ ପଛପଟୁ ହାତୀ ଆକ୍ରମଣ କରି ତାଙ୍କୁ ଦଳି ଦେଇଥିଲା । ଆଜି ଶ୍ରୀ ମିଶ୍ର ମୃତକଙ୍କ ବିଧବା ସ୍ତ୍ରୀ ଶୁକାନ୍ତି ମହାନନ୍ଦ ଓ ପୁଅ ମହକୁ ମହାନନ୍ଦଙ୍କୁ ବିଧାୟକ ଦେଖା କରି ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ତା’ସହ ଜିଲ୍ଲା ବନାଧିକାରୀଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାର ଯେମିତି ଉଚିତ କ୍ଷତିପୂରଣ ରାଶି ପାଇ ପାରିବେ ତା’ ଉପରେ ସବିଶେଷ ଆଲୋଚନା କରିଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ମୃତକଙ୍କ ପରିବାର ଅନୁକମ୍ପାମୂଳକ ରାଶି ବାବଦରେ ୪୦ହଜାର ଟଙ୍କା ପାଇଥିବା ସ୍ଥଳେ କିଛି ଦିନ ଭିତରେ ଆଉ ତିନି ଲକ୍ଷ ୬୦ହଜାର ଟଙ୍କା ଅନୁକମ୍ପାମୂଳକ କ୍ଷତିପୂରଣ ପାଇବେ । ପରେ ପରେ ଗାଁରେ ସମାବେତ ହୋଇଥିବା ଗରିବ ଚାଷୀ ପରିବାର ହାତୀପଲ ଦ୍ୱାରା ଫସଲ କ୍ଷୟକ୍ଷତି ସମ୍ବନ୍ଧରେ ବିଧାୟକଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ । ଏହି ହାତୀପଲ ଦ୍ୱାରା ଏହି ଅଂଚଳର ଅନେକ ଚାଷୀ ତାଙ୍କର କଷ୍ଟ ଉପାର୍ଜିତ ଫସଲ ହରାଇଥିବା ଅଭିଯୋଗରୁ ଜଣା ପଡୁଛି । ତେଣୁ ଯେଉଁସବୁ ଚାଷୀମାନଙ୍କର ଫସଲ ହାତୀପଲ ଦ୍ୱାରା ନଷ୍ଟ ହୋଇଛି ସେସବୁର ସଠିକ ଆକଲନ ଯେପରି ହୋଇପାରିବ ସେ ଉପରେ ଏକ ଦରଖାସ୍ତ ବନ ବିଭାଗକୁ ଲେଖିବା ସହ ଏହାର ନକଲ ବିଧାୟକଙ୍କୁ ପ୍ରଦାନ କରିବାକୁ କହିଥିଲେ । ଏହା ସହ ଗାଁର ରାସ୍ତା, କମ୍ୟୁନିଟି ସେଣ୍ଟରକୁ ନେଇ ଲୋକେ କରିଥିବା ଦାବୀ ଉପରେ ଶୁଣି ସେସବୁର ଏକ ଦରଖାସ୍ତ ପଠାଇବାକୁ ଉପସ୍ଥିତ ଗ୍ରାମବାସୀଙ୍କୁ ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଉପାଧ୍ୟକ୍ଷା ସୁର୍ଯ୍ୟକାନ୍ତି ଛତ୍ରିଆ, ରାମଜୀ ଚୌଧୁରି, କାନ୍ତେଶ୍ୱର ପ୍ରଧାନ, ପପୁ ପାତ୍ର, କୁନା ସାହୁ, ଅନନ୍ତ ଚୌହାନ, ପ୍ରଫୁଲ୍ଲ ଦାଶ, ସାଧୁ ମହାକୁର, ବିକାଶ ସାହୁ, ମନୋରଞ୍ଜନ ସାହୁ, ହିମାଂଶୁ ଗଡତିଆ, କନିଷ୍ଟ ମହାନନ୍ଦ, ମୟ ପଧାନି, ମନବୋଧ ସୁନା ଏବଂ ଅସିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.