ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋ ଝିଅକୁ ମାରି ଦେଇଛନ୍ତି । ମୋ ଝିଅକୁ ନ୍ୟାୟ ମିଳୁ । ଏପରି ଏକ ଅଭିଯୋଗ ନେଇ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦେଓଗାଁ ଥାନା ଅନ୍ତର୍ଗତ କଛାରପାଲି ଗାଁର ମକରଧ୍ୱଜ ସାହୁ । ମକରଧ୍ୱଜଙ୍କ କହିବାନୁସାରେ ଗତ ୨୦୨୧ ମସିହାରେ ତାଙ୍କ ଝିଅ ରେଶ୍ମା ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅର୍ନ୍ତଗତ ବାଞ୍ଜିପାଲି ଗ୍ରାମର କ୍ଷେତ୍ର ସାହୁଙ୍କ ସହ ବିବାହ କରାଇଥିଲେ । ସାମର୍ଥ୍ୟ ଅନୁଯାୟୀ ମକରଧ୍ୱଜ ଝିଅ ରେଶ୍ମାଙ୍କୁ ଯୌତୁକ ଦେଇଥିଲେ । ହେଲେ ଉକ୍ତ ଯୌତୁକ ସାମଗ୍ରୀରେ ସନ୍ତୁଷ୍ଟ ନ ହୋଇ ଝିଅ ରେଶ୍ମାଙ୍କୁ ତାଙ୍କ ଶାଶୁଘର ଲୋକେ ନିଯ୍ୟାତନା ଦେବା ଆରମ୍ଭ କରିଥିଲେ । ତାଙ୍କ ଗର୍ଭରୁ ଶିଶୁପୁତ୍ର ଟିଏ ଜନ୍ମ ହେବା ସତ୍ତ୍ୱେ ସେହି ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ । ହେଲେ ଏହି ଅଗଷ୍ଟ ୧୫ ତାରିଖରେ ସକାଳୁ ସକାଳୁ ଝିଅ ରେଶ୍ମା ଆମ ଘରକୁ ଫୋନ୍ କରି ମୋତେ ମୋ ଶାଶୁଶ୍ୱଶୁର ଓ ମୋ ସ୍ୱାମୀ ଏହି ଯୌତୁକ ସାମଗ୍ରୀକୁ ନେଇ ପ୍ରବଳ ମାରପିଟ କରିବା ସହ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଛନ୍ତି କହି କଲ କାଟି ଦେଇଥିଲେ । କିଛି ସମୟ ଗଲା ପରେ ଲୋଇସିଂହା ଥାନାରୁ କଲ୍ ଆସିଲା ଯେ ତମ ଝିଅ ମରିଯାଇଛି ବୋଲି । ଘଟଣାସ୍ଥଳକୁ ଯାଇ ଦେଖିଲା ବେଳକୁ ମୋ ଝିଅକୁ ମାରି ଆତ୍ମହତ୍ୟା ରୂପ ଦେବା ପାଇଁ ଚକ୍ରାନ୍ତ କରୁଥିଲେ ହତ୍ୟାକାରୀ ସାଜିଥିବା ତା ଶାଶୁ ଘରେ ଲୋକେ । ଏହି ଘଟଣାକୁ ନେଇ କି ଆମେ ସଙ୍ଗେ ସଙ୍ଗେ ଲୋଇସିଂହା ଥାନାରେ ଅଭିଯୋଗ କରିଥିଲୁ । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ବି ରୁଜୁ କରିଥିଲା । ହେଲେ ସେହି ମାମଲାକୁ ରଫାଦଫା କରିବା ପାଇଁ ସେହି ଅଞ୍ଚଳର କିଛି ନାମୀଦାମୀ ଲୋକ ଲାଗିଛନ୍ତି । ଏହା ସହ ଆମେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ସନ୍ତୁଷ୍ଟ ନାହୁଁ । ଯେଉଁଥି ପାଇଁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ସହ ମୋ ଝିଅକୁ ଉଚିତ ନ୍ୟାୟ ମିଳୁ ଓ ଦୋଷୀ ବିରୋଧରେ କୋଠରରୁ କୋଠର କାର୍ଯ୍ୟାନୁଷ୍ଠାନ ହେଉ ବୋଲି ମକରଧ୍ୱଜ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇ ଦାବି କରିଛନ୍ତି ।

Leave A Reply

Your email address will not be published.