- କାଦୁଅ ପଚପଚ ରାସ୍ତାରେ ଧାନ ଗଛ ଲଗାଇଲେ ଗ୍ରାମର ଶହ ଶହ ମହିଳା
ବୋରିଗୁମ୍ମା, (ଏସ୍. ସୁନ୍ଦରମ୍) : ପ୍ରଶାସନର ନଜରକୁ ଆଣିବା ପାଇଁ ଅଭିନବ ଉପାୟରେ ପ୍ରତିବାଦ କରି କାଦୁଅ ପଚପଚ ରାସ୍ତାରେ ଧାନ ଗଛ ଲଗାଇଲେ ଗ୍ରାମର ଶହ ଶହ ମହିଳା । ଏଭଳି ଏକ ନିଆଁରା ପ୍ରତିବାଦର ସ୍ୱର ଉଠାଇଛନ୍ତି ବୋରିଗୁମ୍ମା ବ୍ଲକର ରାମପାତ୍ରପୁଟ ଗାଁର ମହିଳା । ସ୍ୱାସ୍ଥ୍ୟସେବା ପାଇଁ ୨ କିଲୋମିଟର ବଦଳରେ ଯିବାକୁ ପଡ଼ୁଛି ୧୦ କିଲୋମିଟର ବାଟ । ଗାଁକୁ ଯିବା ଆସିବା ପାଇଁ ଗୋଟିଏ ହିଁ ରାସ୍ତା । ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ଗ୍ରାମବାସୀଙ୍କ ବହୁ ଅଭିଯୋଗ ପରେ ମଞ୍ଜୁର ହୋଇଥିଲା ରାସ୍ତା । କିନ୍ତୁ ଠକି ଦେଲା ଠିକାଦାର । ଅଧାକାମ କରି ହୋଇଗଲେ ଫେରାର । ନୀତି ଦିନିଆ ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ରାମପାତ୍ରପୁଟ ଗାଁ ଲୋକଙ୍କୁ ନାରିଗାଁ ପଞ୍ଚାୟତ ଖୁଣ୍ଟିଆପାଲା ଏବଂ ପଡାପଦାର ଦେଇ ୧୦ କିଲୋମିଟର ଦୂର ଯିବା ଆସିବାକୁ ପଡ଼ିଥାଏ । ଗାଁ ରାସ୍ତାକୁ ଦେଖିଲେ ଲାଗୁଛି ସଡ଼କ ଯୋଜନା ଏଠି ପ୍ରହସନ । କାଦୁଅ ପଚପଚ ରାସ୍ତା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନେ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାଦୁଅ ପଚ ପଚ ରାସ୍ତାରେ ଚାଲିକି ଯିବା ବି ମୁସ୍କିଲ । ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ ବର୍ଷା ଦିନେ ଲୋକେ ଏକ ପ୍ରକାର ବନ୍ଦୀ ଜୀବନ କାଟୁଛନ୍ତି । ରାସ୍ତାର ହାଲ ଟିକିଏ ଦେଖନ୍ତୁ କାଦୁଅ ଏମିତି ଯେ ପାଦ ଟିକିଏ ପକାଇବା ପାଇଁ ଯାଗା ପାଇବେ ନାହିଁ । ଏ ଦୃଶ୍ୟ ହେଉଛି ବୋରିଗୁମ୍ମା ବ୍ଲକ ନାରିଗାଁ ପଞ୍ଚାୟତ ରାମପାତ୍ରପୁଟ ଗାଁର ଦୃଶ୍ୟ । ବାଇକ ଏବଂ ସାଇକେଲ ଆରୋହୀ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନେ ଯଦି ଗାଁରେ କେହି ଅସୁସ୍ଥ ହୁଅନ୍ତି କିମ୍ବା ଗର୍ଭବତୀ ମହିଳାଙ୍କ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ଏହି ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡ଼େ । ଦଶ କିଲୋମିଟର ବୁଲିକି ଯିବାକୁ ପଡେ ବୋଲି ଅଭିଯୋଗ କରିଛନ୍ତି । ଚାରି ଚକିଆ ଯାନ ବର୍ଷା ଦିନରେ ଗାଁରେ ପଶି ପାରେ ନାହିଁ । ବାଧ୍ୟ ହୋଇ ଆଜି ଗ୍ରାମବାସୀ ଏକଜୁଟ ହୋଇ ରାସ୍ତାରେ ଧାନ ଗଛ ଲୋଗାଉଥିବା ଦେଖିବାକୁ ମିଳିଛି । ଗାଁକୁ ଖଣ୍ଡିଏ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ନେତାମନ୍ତ୍ରୀ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଧା କିଛି ଫରକ ପଡିଲା ନାହିଁ । ଗ୍ରାମର ଯିବା ଆସିବା ପାଇଁ ବ୍ରିଜ ନିର୍ମାଣ କରାଗଲା ସତ କିନ୍ତୁ ପକା ରାସ୍ତା କରିବା ପାଇଁ ଭୁଲିଗଲେ ଠିକାଦାର । ଗୋଟିଏ ଗାଁକୁ ରାସ୍ତା ଅଛି କିନ୍ତୁ ବର୍ଷା ଦିନେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କେବେ ପ୍ରଶାସନର ଦୃଷ୍ଟି ପଡ଼ିବ ଆଉ ପକ୍କା ରାସ୍ତା ନିର୍ମାଣ ହେବ ତା ଅପେକ୍ଷାରେ ଗ୍ରାମବାସୀ ।