
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି (ଖ) ଗ୍ରାମର ଶ୍ଵଶୁର ଘର ଜମିରେ ଥିବା ଏକ ଆମ୍ବ ଗଛରେ ଜ୍ୱାଇଁ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଟିଟିଲାଗଡ ଥାନା ମାର୍ଲାଡ ପଞ୍ଚାୟତ ବାଲିପଦର ଗ୍ରାମର ବିଦ୍ୟାଧର କଟାଙ୍କ ପୁଅ ବିଶିକେଶନ କଟା (୨୫) ପତ୍ରାପାଲି (ଖ) ଗ୍ରାମର ପାର୍ଥବ ହାତୀଙ୍କ ଝିଅ ସତ୍ୟଭାମା ହାତୀ(୨୦)ଙ୍କୁ ଗତବର୍ଷ ମାର୍ଚ୍ଚ ମାସରେ ବିବାହ କରିଥିଲେ । ଗତ ୧୫ଦିନ ହେଲା ସ୍ଵାମୀ ସ୍ତ୍ରୀ ଆସି ଶ୍ଵଶୁର ଘର ଗାଁ ପତ୍ରାପାଲି (ଖ)ରେ ରହୁଥିଲେ । ସୋମବାର ସକାଳୁ ବିଶିକେଶନ କାମକୁ ନଯାଇ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିବା କହି ଗାଧୋଇବା ପାଇଁ ଘରୁ ବାହାରିଥିଲେ । ପରେ ତାଙ୍କ ମୃତଦେହ ଶ୍ୱଶୁରଙ୍କ ଚାଷ ଜମିରେ ଥିବା ଏକ ଆମ୍ବ ଗଛରେ ଝୁଲୁଥିବା ଥିବା ତାଙ୍କ ସ୍ତ୍ରୀ ସତ୍ୟଭାମା ହାତୀ ପ୍ରଥମେ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଓ ଗ୍ରାମବାସୀ ପହଞ୍ଚି ମୁରିବାହାଲ ଥାନାକୁ ସୂଚନା କରିଥିଲେ । ଘଟଣାସ୍ଥଳକୁ କଣ୍ଟାବାଞ୍ଜି ଏସ୍ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ମାଜିଷ୍ଟେଟ ଦାୟିତ୍ୱରେ ତହସିଲଦାର ଜଗଦିଶ କର୍ତ୍ତାମୀ ପ୍ରମୁଖ ପହଞ୍ଚିଥିଲେ । ତେବେ ବିଶିକେଶନଙ୍କ ପରିବାର ଲୋକେ ପହଞ୍ଚି ହତ୍ୟା ଅଭିଯୋଗ କରି ତୁମ୍ବିତୋଫାନ କରିଥିଲେ । ବହୁ ବୁଝାସୁଝା ପରେ ସମସ୍ତଙ୍କ ଉପସ୍ଥିତିରେ ପୁଲିସ ଝୁଲନ୍ତା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ଡ଼ାକ୍ତରଖାନା ପଠାଇଥିଲେ । ଏନେଇ ଥାନାରେ ଏକ ଅପମୃତ୍ୟୁ କେଶ ନଂ. ୦୯/୨୫ ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।