ବିଶ୍ଵଦରବାରରେ ଗଞ୍ଜାମ ଜିଲ୍ଲା ଏକ ଅର୍ଥନୈତିକ ବିକାଶଶୀଳର କେନ୍ଦ୍ରବିନ୍ଦୁ ହେବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵଦରବାରରେ ଗଞ୍ଜାମ ଜିଲ୍ଲା ଏକ ଅର୍ଥନୈତିକ ବିକାଶଶୀଳର କେନ୍ଦ୍ରବିନ୍ଦୁ ଅବା ହବ ହେବାକୁ ଯାଉଛି, ଯାହା ଫଳରେ ଗଞ୍ଜାମ ଜିଲ୍ଲାର ଗଢ଼ି ଉଠିଥିବା ଶିଳ୍ପାୟନର ଅଗ୍ରଗତି ହେଲେ ଆଉ ଦାଦନ ଶ୍ରମିକ ଭାବେ ଖଟିବାକୁ ଅନ୍ୟ ଦେଶ ଓ ରାଜ୍ୟକୁ ଯିବାକୁ ପଡ଼ିବନି । ଯେପରିକି ଏଠାକୁ ଆସି ଲୋକେ ନିୟୋଜିତ ହୋଇ ରୋଜଗାର ପନ୍ଥା ଖୋଜିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ମିନି ଷ୍ଟାଡିୟମରେ ରବିବାର ଗରିବ କଲ୍ୟାଣ ଓ ବିକାଶ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲାର ଅର୍ଥନୀତିର ବିକାଶ ଦିଗରେ ଗବେଷଣା କରି ଏହା ଭବିଷ୍ୟତରେ ଉପଲବ୍ଧ ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି । ଆଜିର ନୂଆ ଓଡିଶା ଗଠନ ହେବାରେ ୧୧ ବର୍ଷ ବାକି ଅଛି । ୨୦୩୬ ସୁଦ୍ଧା ବିକଶିତ ଓଡିଶା କରିବାକୁ ପଡିବ । ଗଞ୍ଜାମ ଜିଲ୍ଲାର ବିକାଶ ହେଲେ ଓଡିଶାର ବିକାଶ ହେବ, ଓଡିଶାର ବିକାଶ ହେଲେ ବିକଶିତ ଭାରତ ଗଠନ ହୋଇପାରିବ । ଗଞ୍ଜାମ ଜିଲ୍ଲାର ଲୋକମାନେ କାମ କରିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଯୋଜନା ବଦ୍ଧ ଭାବେ ଆଗାମୀ ଦଶ ପନ୍ଦର ବର୍ଷ ଭିତରେ ବ୍ୟାବସାୟିକ ଅର୍ଥନୀତି ମଜବୁତ କରିବାକୁ ପଡିବ । ଗଞ୍ଜାମ ଜିଲ୍ଲାର ଅର୍ଥନୀତିରେ ଆକର୍ଷିତ ହୋଇ ଦେଶ ବିଦେଶରୁ ଲୋକମାନେ ଆସିବେ । ଗଞ୍ଜାମ ହେବ ତାର ପ୍ରୟୋଗଶାଳା । ଆଇଜରରେ ୧୧୦୦ କୋଟି ଟଙ୍କା ବ୍ୟୟକରି ବିଶ୍ୱସ୍ତରରେ ବୈଜ୍ଞାନିକ ପ୍ରୟୋଗଶାଳାର ଯୋଜନା କେନ୍ଦ୍ର ସରକାର କରିଛନ୍ତି । ଭାରତୀୟ ବିରଳ ମୃତ୍ତିକାରେ ଆଗରୁ ୬ ପ୍ରକାର ବିରଳ ଭୌତିକ ରତ୍ନ ଖଣିଜ ପଦାର୍ଥ (ମିନେରାଲ) ଉତ୍ପାଦିତ ହୋଇ ବିଦେଶକୁ ପଠାଯାଉଥିଲା । କିନ୍ତୁ ବର୍ତ୍ତମାନ ଦେଶ ଭିତରେ, ରାଜ୍ୟ ଭିତରେ କିଭଳି ଉପଯୋଗ ହୋଇପାରିବ ତା’ର ଯୋଜନା କରାଯାଇଛି । ସେମି କଣ୍ଡକ୍ଟର ଓ ଇଲେକ୍ଟ୍ରି ଭେହିକିଲରେ ସେହି ମିନେରାଲର ଅବଦାନ ରହିଛି । ଲୁଣିପାଣିକୁ ମଧୁର ଜଳରେ ପରିଣତ କରିବାକୁ ଭାଭା ଆଟମିକ ରିସର୍ଚ୍ଚ ସେଣ୍ଟର ତରଫରୁ ଆରମ୍ଭ କରାଯାଇ ନିକଟସ୍ଥ ଗ୍ରାମଗୁଡିକୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଲକ୍ଷାଧିକ ଟଙ୍କା ବିନିଯୋଗ କରାଯାଇଛି । ସମସ୍ତ ଗରିବଙ୍କ ମୁଣ୍ଡ ଉପରେ ପକ୍କାଘରର ଯୋଜନା କରାଯାଇଛି । ସାଢେ ତିନିକୋଟି ଲୋକଙ୍କ ଘରେ ନଳରେ ଜଳର ବ୍ୟବସ୍ଥା କରାଯାଇଛି । ମତ୍ସ୍ୟ ସମ୍ପଦକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । କୃଷି, ବ୍ୟବସାୟ, ଗୋ-ପାଳନ, ମତ୍ସ୍ୟ ଚାଷ ଆଦିକୁ ରିହାତି ବ୍ୟବସ୍ଥା କରାଯାଇଛି । ଋଷିକୂଲ୍ୟାନଦୀର ଜଳକୁ ଚାଷକାର୍ଯ୍ୟରେ ବିନିଯୋଗ କରିବାକୁ ହେବ । ଏ ଅଞ୍ଚଳର ପର୍ଯ୍ୟଟନ, କୃଷି-ଭିତ୍ତିକ ଉତ୍ପାଦନ, ଶ୍ରମ, ଖଣିଜ ସମ୍ପଦ ଆଦିର ସମ୍ଭାବନା ରହିଛି । ଆମ ସମସ୍ତଙ୍କ ମିଳିତ ସହଯୋଗରେ ଗଞ୍ଜାମର ବିକାଶ ଘଟିବ ବୋଲି କହିଥିଲେ । ମୁଖ୍ୟଅତିଥି ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଆଜି ମହାନ ଜନନାୟକ ସ୍ୱର୍ଗତ ଭି.ଭି.ଗିରିଙ୍କ ଜନ୍ମଦିନ ତାଙ୍କରି ମହାନତାକୁ ସମ୍ମାନ ଜଣାଇ ନମନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲାର ମହାନୁଭବଗଣ ତଥା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ବିଶ୍ୱନାଥ ଦାସ, ଶଶୀ ଭୂଷଣ ରଥ, ବିନାୟକ ଆଚାର୍ଯ୍ୟ, ବିଜୁ ପଟ୍ଟନାୟକ, ସଂଯୁକ୍ତା ପାଣିଗ୍ରାହୀ, ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଆଦିବାସୀ ଜନନାୟକ ଚକରା ବିଷୋୟୀ ଆଦି ଗଞ୍ଜାମ ଜିଲ୍ଲାର ସୁଯୋଗ୍ୟ ସନ୍ତାନମାନଙ୍କୁ ସର୍ବପ୍ରଥମେ ପ୍ରଣାମ ଜଣାଇ ଶ୍ରଦ୍ଧାଞ୍ଜଳିି ଜ୍ଞାପନ କରିଥିଲେ । ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଭାଷନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟଅତିଥିଙ୍କୁ ଏବଂ ଅନ୍ୟ ମଞ୍ଚାସୀନ ଅତିଥିଙ୍କୁ ପ୍ରଥମେ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ସାଂସଦ ଡ଼ଃ.ପ୍ରଦୀପ କୁମାର ପାଣିଗ୍ରାହୀ ସମାବେଶରେ ଯୋଗ ଦେଇ କହିଥିଲେ ଯେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଉନ୍ନତି, ଆଇଜରର ଉନ୍ନତି ନିମନ୍ତେ, ଏବଂ ବ୍ରହ୍ମପୁର ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ହାଇଟେକ୍ ମେଡ଼ିକାଲର ବେବସ୍ଥାପନା,
ବ୍ରହ୍ମପୁର ବିମାନବନ୍ଦର, ବ୍ରହ୍ମପୁର ରେଳ ଷ୍ଟେସନକୁ ଅତ୍ୟାଧୁନିକକରଣ କରାଯିବା ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶାର ଦ୍ୱିତୀୟ ରେଳଷ୍ଟେସନ ଭାବେ ଗଢ଼ି ତୋଳିବାକୁ ସରକାର ସହଯୋଗର ହାତ ବଢାଇ ଅନୁଦାନ ଦେଇଛନ୍ତି । ଭାରତୀୟ ବିରଳ ମୃତ୍ତିକାକୁ ଭାରତବର୍ଷରେ ଶ୍ରେଷ୍ଠ କେନ୍ଦ୍ର କରିବା ଓ ଗଞ୍ଜାମର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି । ଗରିବ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି, ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଭାରେ ସୂଚାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗଞ୍ଜାମ ଜିଲ୍ଲାରେ ଶିଳ୍ପର ବିକାଶ ହୋଇଛି ବୋଲି ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଦୃଷ୍ଟିପାତ କରି ଶିଳ୍ପର ବିକାଶ ହେଲେ ଗଞ୍ଜାମ ଜିଲ୍ଲାର ବିକାଶ ହେବ ଆମ ରଜ୍ୟର ଉନ୍ନତି ହେବ ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ସମାବେଶରେ ମାନନୀୟା ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ବିଧାୟକ ସୋରଡା ନୀଳମଣୀ ବିଷୋୟୀ, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ସୁଭଦ୍ରା ଯୋଜନା, ପେନସନ ଯୋଜନା, ରାସନକାର୍ଡ, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା, ଆୟୁଷ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ ସୂଘର ଯୋଜନା, ମିଶନ୍ କାର୍ଡ ଯୋଜନା ଆଦିର ବହୁ ହିତାଧିକାରୀ, ବିଭିନ୍ନ ବିଭାଗର ଅଧିକାରୀଗଣ, ସାମ୍ବାଦିକ ବନ୍ଧୁଗଣ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନାରାୟଣ ମହାରଣା ଓ ସୁକାନ୍ତ ବେହେରାଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ଶ୍ୱକର୍ମା ପ୍ରମାଣ ପତ୍ର, ଛତ୍ରପୁର ବ୍ଲକର ସି.ଏଚ୍ ଆଦିଆମ୍ମା, ରେଖୀ ଦାସ, ଲକ୍ଷ୍ମଣ ବେହେରାଙ୍କୁ ଭତ୍ତା (ପେନସନ୍), ଛତ୍ରପୁର ବ୍ଲକର ପଟ୍ଟିକାମନା, କବିତା ସ୍ୱାଇଁ, ଜୟନ୍ତୀ ପ୍ରଧାନଙ୍କୁ ରାସନ୍ କାର୍ଡ, ସିମାଞ୍ଚଳ ବେହେରା, ଉମାକାନ୍ତ ବେହେରାଙ୍କୁ ଆୟୁଷ୍ମାନ କାର୍ଡ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଏସ୍. ରେଣାବାବୁ ରେଡ୍ଡି, ଡି.ମହେଶ ଏବଂ ଗଞ୍ଜାମ ବ୍ଲକର କେ. ଭାରତୀ ରେଡ୍ଡି, ଶିବାନୀ ସାହୁ ଓ ସୋନାଲୀ ମହାନ୍ତିଙ୍କୁ ମିଶନ୍ କାର୍ଡ ବଣ୍ଟନ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।