ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳିକାଟୁ ଅଞ୍ଚଳରେ ଏକ ଆଚମ୍ଭିତ କରୁଥିବା ଘଟଣା ଘଟିଛି । ରାଜା ତୋଟା ସାହି ନିକଟସ୍ଥ ମେଣ୍ଡାଖାଇ ପାହାଡ ମଧ୍ୟରେ ଗତ ବୁଧବାର ଦିନ ମାଟି ତଳୁ ମାଁ ମଙ୍ଗଳାଙ୍କ ମୂର୍ତ୍ତି ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଥିଲା । ଜଣେ ଛେଳି ଚରାଳି ପ୍ରାଚୀନ ମା’ ମଙ୍ଗଳାଙ୍କ ମୂର୍ତ୍ତି ଉଦ୍ଧାର କରିଥିଲେ । ସୁଗନ୍ଧ ବାରିଥିବାରୁ ମାଟି ଖୋଳିବାରେ ଏହି ଦୁର୍ଲଭ ମୂର୍ତ୍ତି ପାହାଡ ମାଟି ତଳୁ ବାହାରିଥିଲା । ଘଟଣାଟି ପ୍ରଚାର ହେବା ପରେ ଅଞ୍ଚଳରେ ଭକ୍ତଙ୍କ ସମାଗମ ଆରମ୍ଭ ହୋଇଥିଲା । ସାହି ବାସିନ୍ଦାମାନେ ପୂଜା ଆରମ୍ଭ କରି, ଏକ ମନ୍ଦିର ତୋଳିବା ପାଇଁ ପ୍ରସ୍ତୁତି ନେଇଥିଲେ । ହେଲେ ଗତ କାଲି ଅର୍ଥାତ ରବିବାର ଦିନ ବିଳମ୍ବିତ ରାତ୍ର ସମୟରେ ଅଚିହ୍ନା ଦୁର୍ବୃତ୍ତ ମାନେ ସେହି ପ୍ରାଚୀନ ମୂର୍ତ୍ତିକୁ ଚୋରି କରିଥିବା ଜଣାପଡିଛି । ସୋମବାର ସକାଳୁ ପୂଜାରୀ ଓ ଗ୍ରାମବାସୀ ମାନେ ମନ୍ଦିର ସ୍ଥଳରେ ପହଞ୍ଚି ଥିଲେ ପୂଜା କରିବା ପାଇଁ । ପୂଜା କରିବା ପୂର୍ବରୁ ମୂର୍ତ୍ତି ଗାୟବ ହୋଇଥିବା ଦେଖି ଚକିତ ହୋଇଗଲେ ଗ୍ରାମବାସୀ । ଏହି ଘଟଣାରୁ ସାହି ବାସିନ୍ଦାମାନେ ବ୍ୟାଥିତ ହୋଇ କହିଛନ୍ତି । “ଠାକୁର ନାହାନ୍ତି, ମୁଣ୍ଡିଆ ମାରିବୁ କାହାକୁ? ଆମେ ଖାଇବା ପିଇବା ଭୁଲିଗଲୁଣୁ ।”ଲୋକ ମାନଙ୍କ ଭାବାନୁଭୁତିକୁ ଆଘାତ କରିଥିବା ଏହି ମୂର୍ତ୍ତି ଚୋରି ଘଟଣା ଏବେ ସମଗ୍ର ହିଞ୍ଜିଳିକାଟୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖୁବ୍ ଶୀଘ୍ର ପୋଲିସ ତଦନ୍ତ କରି ଦୃର୍ବୁତ୍ତ (ଚୋର)କୁ ଧରି ଗିରଫ କରିବା ସହ ଉଚିତ ଦଣ୍ଡ ଦିଆଯାଉ ବୋଲି ଅଞ୍ଚଳବାସୀ ଦାବି କରିଥିବା ସାଂଗକୁ ହିଞ୍ଜିଳିକାଟୁ ଅଞ୍ଚଳରେ ଚୋରଦଳ ଆତଙ୍କ ରାଜ ଚଳାଇ ଆସୁଥିବା ବେଳେ ପୋଲିସ ପ୍ରଶାସନ ଦୃଢ଼ ପଦକ୍ଷେପ ଜରୁରୀ ବୋଲି ବିଭିନ୍ନ ମହଲରେ ଦାବୀ ଉଠିଛି ।
