ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଏନଏସି ନଗରପାଳ ସତ୍ୟବାନ ଅଗ୍ରୱାଲ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହେଉଥିଲା । ପଦ୍ମପୁର ସହରର ସ୍ୱର୍ଗତ ଅଗ୍ରୱାଲ ମୋନୁ ନାଁରେ ଘରେ ଘରେ ବେଶ ପରିଚିତ ଥିଲେ । ସେ ପଦ୍ମପୁର ସହରର ନଗରପାଳ ଭାବରେ ୧୯୯୭ରୁ ୨୦୦୩ ପର୍ଯ୍ୟନ୍ତ ଦାୟିତ୍ୟ ତୁଲାଇ ଥିବା ବେଳେ ସହରର ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିଲେ । ସେ ସବୁବେଳେ ଗରିବ ଲୋକର ସାଥି ହୋଇ ପଦ୍ମପୁରବାସୀଙ୍କ ଆସ୍ଥା ଭାଜନ ହୋଇଥିଲେ । ତା’ସହ ପଦ୍ମପୁର ସହରର ଅନେକ ସମସ୍ୟାର ସମାଧାନ କରିବା ସହ ବିଭିନ୍ନ ସମୟରେ ପ୍ରଶାସନ ସହିତ ଲଢେଇ ମଧ୍ୟ କରୁଥିଲେ । ସ୍ୱର୍ଗତ ଅଗ୍ରୱାଲ ବିଜେପିର ବରିଷ୍ଠ ନେତା ଭାବରେ କାର୍ଯ୍ୟ କରି ବିଜେପିକୁ ଏକ ପ୍ରଭାବଶାଳୀ ଦଳ ଭାବେ ପଦ୍ମପୁର ସହରରେ ସାବ୍ୟସ୍ତ କରି ପାରିଥିଲେ । ଆଜି ତାଙ୍କର ଅନ୍ତିମ ସଂସ୍କାରରେ ବିଜେପିର ବହୁ ବରିଷ୍ଠ ନେତା ତଥା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ତାଙ୍କ ଧର୍ମପତ୍ନୀ ତ୍ରିଶଳା ଦେବୀ, ଭାଇ କୈଲାଶ, ନରସିଂହ, ରାମତୋର, ଏକ ମାତ୍ର ପୁତ୍ର ସୁନିଲ, ପୁତ୍ରବଧୂ ସନ୍ଧ୍ୟା ଝିଅ ଆଶା, ଜ୍ୟୋତି, ପ୍ରୀତି, ଶୃତି, ବୁଳ୍ବୁଳ୍ ସମେତ ନାତି ନାତୁଣୀଙ୍କୁ ଛାଡି ଚାଳିଯାଇଛନ୍ତି । ତାଙ୍କର ବିୟୋଗରେ ସମଗ୍ର ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଅଗ୍ରୱାଲଙ୍କ ପୁତ୍ର ସୁନିଲ ଅଗ୍ରୱାଲ ଭାରତୀୟ ଜନତା ପାର୍ଟିର ପଦ୍ମପୁର ସହରର ନଗର ସଭାପତି ଦାୟିତ୍ୱରେ ବର୍ତ୍ତମାନ ଅଛନ୍ତି । ତାଙ୍କ ବାପାଙ୍କ ବିୟୋଗରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଗୋବର୍ଦ୍ଧନ ଭୁଏ, ପ୍ରୀତେଶ ବହିଦାର, ଚିନ୍ମୟ ପଣ୍ତା, ସରୋଜ ସାମଲ, ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ପାଣିଗ୍ରାହୀ, ଶ୍ରୀକାନ୍ତ ପାଣିଗ୍ରାହୀ ଏବଂ ଦଳୀୟ କର୍ମୀ ଯୋଗଦେଇ ଅଗ୍ରୱାଲଙ୍କ ମରଶରୀର ଉପରେ ପୁଷ୍ପମାଲ୍ୟ ସହ ଦଳୀୟ ପତାକା ଘୋଡାଇଥିବା ବେଳେ ଶୋକ ପ୍ରକାଶ କରିବା ସହ ପରିବାରଙ୍କୁ ସମବେଦନା ଜଣାଇଥିଲେ । ପରେ ସ୍ଥାନୀୟ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିବା ବେଳେ ତାଙ୍କର ଏକ ମାତ୍ର ପୁତ୍ର ସୁନିଲ ମୁଖାଗ୍ନି ଦେଇଥିଲେ ।
Prev Post
Next Post