ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ରଘୁନାଥପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ତାରାତାରିଣୀ ରାଇସ ମିଲ୍ ମାଲିକ, ଧର୍ମପରାୟଣ ବ୍ୟକ୍ତି ଗଣପତି ସାହୁଙ୍କର ଇତିମଧ୍ୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ଜଣେ ସମାଜସେବୀ, ଧର୍ମପରାୟଣ ବ୍ୟକ୍ତି ଭାବେ ପୁରପଲ୍ଲୀରେ ସୁପରିଚିତ ଥିଲେ । ମୃତ ଶଯ୍ୟା ନିକଟରେ ଦୁଇ ପୁଅ ସୂର୍ଯ୍ୟ ନାରାୟଣ ସାହୁ, ମହେନ୍ଦ୍ର କୁମାର ସାହୁ, ପତ୍ନୀ ସରସ୍ୱତୀ ସାହୁ, ବୋହୁ ନିରୋଳା ସାହୁ, ତନୁଜା ସାହୁ, ଝିଅ, ପ୍ରମିଳା, ଧରିତ୍ରୀ, ରେଣୁ ବାଳା, ଜ୍ୱାଇଁ ଯୁଧିଷ୍ଟିର, ଭୀମସେନ, ଅରୁଣ, ନାତି ନାତୁଣୀ, ପରିବାରବନ୍ଧୁ ବର୍ଗ, ଗ୍ରାମବାସୀ ଉପସ୍ଥିତ ରହିଥିଲେ । ବିଶିଷ୍ଟ ସମାଜସେବୀ ଗଣପତି ସାହୁଙ୍କ ମୃତ ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ପୁତୁରା ତଥା ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ, ଜ୍ୟୋତି ରଞ୍ଜନ ସାହୁ ଏବଂ ବହୁ ବୃଦ୍ଧିଜୀବୀ, ନେତ୍ତୃବର୍ଗ, ଗଣ୍ୟମାନ୍ୟ ବ୍ୟକ୍ତି ଗ୍ରାମବାସୀ ଯୋଗ ଦେଇ ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ତାଙ୍କ ଶେଷ ଦର୍ଶନ କରି ଗଭୀର ଶୋକବ୍ୟକ୍ତ କରିଥିଲେ । ଗଣପତି ସାହୁଙ୍କ ମର ଶରୀରକୁ ନିଜ ଜମିରେ ଶବ ସତ୍କାର କରାଯାଇଥିଲା । ତାଙ୍କର କନିଷ୍ଠ ପୁତ୍ର ମହେନ୍ଦ୍ର କୁମାର ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କର ଜୀବନ କାଳରେ ତାଙ୍କରି ଅନୁଦାନ ଅର୍ଥରେ ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରର ସିଂହଦ୍ୱାର ନିର୍ମାଣ ହୋଇପାରିଥିଲା । ରଘୁନାଥପୁର ସରସ୍ୱତୀ ଉଚ୍ଚ ବାଳିକା ବିଦ୍ୟାଳୟର ନିର୍ମାଣ, କେରାଣ୍ଡିତୋଳା ଶ୍ୟାମାକାଳୀ ମନ୍ଦିର, ତୀର୍ଥକ୍ଷେତ୍ର ବୃନ୍ଦାବନ ଠାରେ ଶ୍ରୀକୃଷ୍ଣ ବିନୋଦ ବିହାରୀ ଓଡ଼ିଆ ଆଶ୍ରମର କୋଠା ଗୃହ ନିର୍ମାଣ କରିଥିଲେ । ଗଞ୍ଜାମ ଜିଲ୍ଲାର ଛତ୍ରପୁରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପାର୍ଶ୍ଵ ଦେବଦେବୀଙ୍କର (ବିଶ୍ୱରୂପ ମୂର୍ତ୍ତି) ନିର୍ମାଣ, ଖୋର୍ଦ୍ଧା ଜିଲ୍ଲାର ଧଉଳିମୁହଁ ଷ୍ଟେସନ୍ ନିକଟସ୍ଥ ଅଣ୍ଡା ଗ୍ରାମର ପ୍ରସିଦ୍ଧ ପ୍ରାଚୀନ ଶୈବପୀଠ ମହାପ୍ରଭୁ ଶାଳେଶ୍ୱର ମହାଦେବ ପରିସରରେ ଯଜ୍ଞମଣ୍ଡପ ନିର୍ମାଣ କରିଥିଲେ ଏବଂ ପ୍ରତିବର୍ଷ ଫାଲଗୁନ ମାସରେ ସେହିଠାରେ ଯଜ୍ଞାନୁଷ୍ଠାନର ଆରମ୍ଭ କରିଥିଲେ । ଯାହାକି ଆଜକୁ ୩୭ ବର୍ଷ ଧରି ସେ ଏହି ଯଜ୍ଞାନୁଷ୍ଠାନର ପୂର୍ଣ୍ଣ ପୃଷ୍ଠପୋଷକତା କରି ଆସୁଥିଲେ । ଏହି ଦୁଃଖଦ ଖବର ପାଇ ସେହି ଅଞ୍ଚଳର ଲୋକମାନେ ଆଜି ଝୁରୁଛନ୍ତି । ସର୍ବୋପରି ଗରିବ ଲୋକଙ୍କୁ ସାହାଯ୍ୟ,ସହଯୋଗ, ଦାନ ପୂଣ୍ୟ ଅର୍ଜ୍ଜନ କରିବା ଭଳି ସେବାରେ ସେ ଅତୁଳନୀୟ ଭୂମିକା ଗ୍ରହଣ କରି ଆସିଥିଲେ । ମେଧାବୀ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ ସେବା, ଗରିବ ବ୍ରାହ୍ମଣ ପିଲାଙ୍କ ପାଠପଢା, ବିବାହ, ବ୍ରତ ଆଦି ମାଙ୍ଗଳିକ ସେବା କାର୍ଯ୍ୟ କରି ସାମାଜିକ ଦାୟିତ୍ଵ ବୋଧ ନିର୍ବାହ କରି ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଆସିଥିଲେ । ଏପରିକି ବହୁ ଧାର୍ମିକ ଅନୁଷ୍ଠାନ ସହିତ ଜଡ଼ିତ ରହି ସେବା କରି ଆସି, ଧର୍ମ ସଂସ୍କୃତି ପରମ୍ପରା ଆଦି ନିଜସ୍ଵ ଖର୍ଚ୍ଚରେ ତୁଳାଇ ଆସିଥିଲେ ।
Next Post