ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗୌନ୍ତିଆ ତଥା ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦୀପକ କୁମାର ଭୋଇଙ୍କ ସୋମବାର ଅପରାହ୍ନରେ ରାୟପୁର ସ୍ଥିତ ଶ୍ରୀବାଲାଜୀ ମଲଟିସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହେଉଥିଲା । ସେ ଜଣେ ଛାତ୍ର ବତ୍ସଳ ବ୍ୟକ୍ତି ଭାବେ ଅଂଚଳରେ ବେଶ ଜଣାଶୁଣା ଥିଲେ । ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀ ଏବେ ରାଜ୍ୟ ତଥା ଦେଶ ବାହାରେ ବଡ଼ ବଡ଼ ପଦ ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି । ବରଗଡ ଜିଲ୍ଲାର ମେଲଛାମୁଣ୍ଡା ହାଇସ୍କୁଲ, ଦିପ୍ତୀପୁର ହାଇସ୍କୁଲ, ସତୀଭଟା ହାଇସ୍କୁଲ ଏବଂ କଳାହାଣ୍ଡି ଜିଲ୍ଲାର ମୋହନଗିରି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିବା ପରେ ମୋହନଗିରି ହାଇସ୍କୁଲରୁ ଅବସର ଗ୍ରହଣ କରିଥିଲେ । ଚାକିରୀରୁ ଅବସର ନେଲା ପରେ ନିଜ ଗାଁରେ ରହିଲା ଭିତରେ ଗାଁର ପ୍ରଜା ମାନଙ୍କ ଦୁଃଖ ସୁଖରେ ସାମିଲ ହେବା ସହ ଗାଁ ତଥା ଅଞ୍ଚଳର ଉନ୍ନତିରେ ଲାଗି ପଡ଼ିଥିଲେ । ଗ୍ରାମ ଉନ୍ନୟନ କମିଟି, ଦୁର୍ଗାପୂଜା କମିଟି, ଆଞ୍ଚଳିକ ଉନ୍ନୟନ ପରିଷଦର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ଆସୁଥିଲେ । କିଛିଦିନ ହେଲା ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିବା ସହ ରାୟପୁର ସ୍ଥିତ ଶ୍ରୀବାଲାଜୀ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଥିଲେ । ସେ ତାଙ୍କ ପଛରେ ତାଙ୍କ ସ୍ତ୍ରୀ ବବିତା ଭୋଇ, ଦୁଇ ପୁଅ ଶକ୍ତିରାଜ ଓ ସ୍ୱରାଜ, ଝିଅ ବର୍ଷା, ଜ୍ୱାଇଁ, ଦୁଇ ବୋହୂ, ନାତୁଣୀଙ୍କୁ ଛାଡି ଯାଇଛନ୍ତି । ସେ ଜଣେ ଶାନ୍ତ, ସରଳ ତଥା ମିଷ୍ଟଭାଷୀ ଥିଲେ । ତାଙ୍କ ଦେହାନ୍ତର ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟାଖେଳି ଯାଇଥିଲା । ତାଙ୍କର ମର ଶରୀର ମେଲଛାମୁଣ୍ଡାକୁ ଆଣିଲା ପରେ ଅଂଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ତାଙ୍କ ମରାଶରୀରକୁ ଶୋଭଯାତ୍ରାରେ ଗାଁ ମଶାଣିକୁ ନେଇ ସନ୍ଧ୍ୟାରେ ଦାହ କରାଯାଇଥିଲା । ବଡ଼ ପୁଅ ଶକ୍ତିରାଜ ଭୋଇ (ବବୁନ) ମୁଖାଗ୍ନି ଦେଇଥିଲେ ।