ଜଣେ ଉତ୍ତମ ସଂଗଠକ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ ଜଗନ୍ନାଥ ମିଶ୍ରଙ୍କ ୬୪ବର୍ଷ ବୟସରେ ଗତ ୧୬ ତାରିଖ ରାତିରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମିଶ୍ର ଛାତ୍ର ଜୀବନ କାଳରୁ ସାଂଗଠନିକ ବିଚାର ଧାରା ମଧ୍ୟରେ ନିଜକୁ ଗଢ଼ିବା ସହିତ ଜଣେ ମେଧାବୀ ଛାତ୍ର ଭାବରେ ମଧ୍ୟ ନିଜର ପରିଚୟକୁ ସୁନିଶ୍ଚିତ କରିପାରି ଥିଲେ । ଛାତ୍ର ଜୀବନ ପରେ ଜଙ୍ଗଲ ନିଗମରେ ତାଙ୍କର ନିଯୁକ୍ତି ହେବାପରେ ନିଜର କର୍ମ ଦକ୍ଷତା ସମସ୍ତଙ୍କୁ ପ୍ରଭାବିତ କରିଥିଲା । ପରବର୍ତ୍ତୀ ସମୟରେ ବନ ନିଗମ କର୍ମଚାରୀ ସଂଘର ଦାୟିତ୍ଵ ନେଇ ରାଜ୍ୟ ସମ୍ପାଦକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଚାରିବର୍ଷ ପୂର୍ବେ ଅବସର ନେଇ ଭୁବନେଶ୍ୱରରେ ରହଣି ଜାରି ରଖିଥିଲେ । ତାଙ୍କରି ମୃତ୍ୟୁ ଖବର ପ୍ରସାରିତ ହେବା ପରେ ତାଙ୍କରି ମୃତ ଶରୀରକୁ କିଛି ସମୟ ପାଇଁ ସଂଗଠନ କାର୍ଯ୍ୟାଳୟକୁ ନିଆଯାଇ କାର୍ଯ୍ୟକର୍ତ୍ତା ମାନଙ୍କ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ଗତ ରାତି ଶବ ଜନ୍ମମାଟି ଜୟପାଟଣା ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ତାଙ୍କରି ଅନ୍ତିମ ସଂସ୍କାର କରାଯାଇଥିଲା । ଶବାଧାରରେ ଶତାଧିକ ଲୋକ ସାମିଲ ହୋଇଥିଲେ । ସ୍ୱର୍ଗତ ମିଶ୍ରଙ୍କ ଏକ ମାତ୍ର ଝିଅ ଥିବାରୁ ତାଙ୍କର ପୁତୁରା ଶୁଭମ୍ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.