ମାଳପଡ଼ାରେ ଯୁବତୀଙ୍କ ବିଷ ପିଇ ଆତ୍ମହତ୍ୟା : ଚିକିତ୍ସାଧିନ ଅବସ୍ଥାରେ ଟିଟିଲାଗଡ ମେଡିକାଲରେ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳପଡ଼ା ଗ୍ରାମର ପୁଷ୍ପା ବାଗ(୨୨)ନାମକ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଟିଟିଲାଗଡ ମେଡ଼ିକାଲରେ ପରଲୋକ ହୋଇଯାଇଛି । ମାଳପଡ଼ା(ପୁରୁଣା ବସ୍ତି) ଗ୍ରାମର କାମଦେବ ବାଗଙ୍କ ଦୁଇ ପୁଅ ଓ ଏକମାତ୍ର ଝିଅ ପୁଷ୍ପା । ମା’ଙ୍କ ବହୁ ଦିନରୁ ପରଲୋକ ହୋଇଯାଇଛି । ଝିଅ ପୁଷ୍ପା ଘରର ଜମିବାଡ଼ି କାମ କରିବାକୁ ଯାଉନଥିବାରୁ ବାପା, ଭାଇ ତାଙ୍କ ଉପରେ ବିରକ୍ତି ପ୍ରକାଶ କରି ଗାଳିଗୁଲଜ କରୁଥିଲେ । ଏଥିରେ ରାଗି ଯାଇ ପୁଷ୍ପା ଗତ ୨୭ ତାରିଖ ଦିନ ଘରେ ଥିବା କୌଣସି ବିଷ ପିଇ ଦେଇଥିଲେ । ଏହା ଜାଣି ପାରି ପରିବାର ଲୋକେ ତାଙ୍କୁ ଟିଟିଲାଗଡ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଶୁକ୍ରବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା । ଖବର ପାଇ ମୁରିବାହାଲ ଥାନା ପୁଲିସ ଏସ୍‌ଆଇ ପ୍ରମୋଦ କୁମାର ପଧାନ ମେଡ଼ିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏ ସମ୍ପର୍କରେ ଥାନାରେ ଅପମୃତ୍ୟୁ କେଶ ନଂ ୧୬/୨୪ ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ୍ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.