ଶତାୟୁ ବିଚିତ୍ରାନନ୍ଦ ମହାକୁରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଦନ୍ଦରା ଗ୍ରାମର ଶତାୟୁ ବୃଦ୍ଧ ବିଚିତ୍ରାନନ୍ଦ ମହାକୁରଙ୍କ ରବିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୪ବର୍ଷ ବୟସ ହୋଇଥିଲା । ସେ ମୁରିବାହାଲ ଚକ୍ ଷାଠିଏ ଘର ଡୁମାଳ ସମାଜର ପୂର୍ବତନ ଚକ୍ ସଭାପତି ରୂପେ କାର୍ଯ୍ୟ କରିଥିଲେ । ଏହା ସହିତ ସେ ପୁଞ୍ଜିପଥରସ୍ଥିତ ଶ୍ରୀ ଶ୍ରୀ ଡଙ୍ଗରବୁଢ଼ା ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ତଥା କମିଟିର ପୂର୍ବତନ ସଭାପତି ରୂପେ ଦୀର୍ଘ ଦିନ ଧରି ଦାୟିତ୍ୱରେ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର ତଥା ଦନ୍ଦରା ଚକ୍ ସଭାପତି ଭୋପାଳ ଚନ୍ଦ୍ର ମହାକୁର, ବୋହୂ, ଏକମାତ୍ର ଝିଅ, ଜ୍ୱାଇଁ, ନାତିନାତୁଣୀଙ୍କ ସହ ସମସ୍ତ ପରିବାର ଆତ୍ମୀୟସ୍ୱଜନ ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ଦନ୍ଦରା ଚକ୍ ସମେତ ଷାଠିଏ ଘର ଡୁମାଳ ସମାଜ ପକ୍ଷରୁ ଗଭୀର ଶୋକପ୍ରକାଶ ପାଇଛି । ଶବାଧାରରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏକମାତ୍ର ପୁଅ ଭୋପାଳ ଚନ୍ଦ୍ର ମହାକୁର ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.