ଡେଲାଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସତ୍ୟବାଦୀ ସ୍ୱାଇଁଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଳକ୍ ଅଧିନ ହାକପଡା ଗ୍ରାମର ଡେଲାଙ୍ଗ ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟବାଦୀ ସ୍ୱାଇଁ(୮୨)ଙ୍କ ନଭେମ୍ବର ୧୨ ତାରିଖ ରବିବାର ରାତ୍ର ୯ଟାରେ ଭୁବନେଶ୍ୱର କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ଶୁଣି ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଦୁଇ ଦୁଇ ଥର ଡେଲାଙ୍ଗ ବ୍ଲକ ଚେୟାରମ୍ୟାନ, ସମ୍ମିଳିତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଏବଂ ଜେନାପୁର ପଞ୍ଚାୟତର ଥରେ ସରପଞ୍ଚ ମଧ୍ୟ ହୋଇଥିଲେ । ସେ ଜଣେ ଲୋକପ୍ରିୟ ବରିଷ୍ଠ କଂଗ୍ରେସ ନେତା ଥିଲେ । ଏଥିସହ ସମାଜସେବୀ, ପରୋପକାରୀ, ମେଳାପୀ, କର୍ତ୍ତବ୍ୟନିଷ୍ଟ, ଧର୍ମପରାୟଣ ଓ ସେ ସମସ୍ତଙ୍କର ପ୍ରିୟ ମଣିଷ ଥିଲେ । ତାଙ୍କର ନିଷ୍ଠା ଓ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେଉଥିଲେ । ତାଙ୍କର ମରଶରୀରକୁ ଗ୍ରାମ ପରିକ୍ରମା ପରେ ପୁରୀ ସ୍ଵର୍ଗ ଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ବଡ଼ ପୁଅ ତପନ କୁମାର ସ୍ୱାଇଁ ମୁଖାଗ୍ନି ଦେଇଥିଲେ । ମାନବ ଜୀବନରେ କର୍ମ ସବୁଠାରୁ ବଡ଼ । ତେଣୁ ସବୁବେଳେ ଭଲ କାମ କରିବା ଉଚିତ୍ । ଭଲ କାମ, ଜଣେ ମଣିଷକୁ ଅମର କରି ରଖେ ବୋଲି ଆଜି ଶେଷ ଦର୍ଶନରେ ଯୋଗଦେଇଥିବା ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ସ୍ୱାଇଁଙ୍କ ହାକପଡା ସ୍ଥିତ ବାସଭବନରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଜିଲ୍ଲା ପରିଷଦ ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ଜିଲ୍ଲା ପରିଷଦ ସଭ୍ୟା ଦିପ୍ତୀଶ୍ରୀ ରାଉତରାୟ, ବିଜେଡି ବ୍ଲକ ସଭାପତି ବୈରାଗୀ ଜେନା, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, କଂଗ୍ରେସ କର୍ମୀ ପ୍ରହଲ୍ଲାଦ ସ୍ୱାଇଁ, ନିର୍ମଳ କୁମାର ପରିଡା, ବହୁ ନେତା, ଦଳୀୟ କର୍ମୀ, ନେତୃବୃନ୍ଦ, ଶିକ୍ଷକ, ସମାଜସେବୀ, ବୁଦ୍ଧିଜୀବୀ ପ୍ରମୁଖ ପହଂଚି ଦିବ୍ୟଙ୍ଗତ ସ୍ୱାଇଁଙ୍କ ମରଶରୀରରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏଥିସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କର ଧର୍ମପତ୍ନୀ ପୁଅ ପୁତୁରା, ବୋହୂ, ଝିଅ ଜ୍ୱାଇଁ, ନାତିନାତୁଣୀ, ବନ୍ଧୁ ବାନ୍ଧବ, ପରିବାର ବର୍ଗ, ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Leave A Reply

Your email address will not be published.