ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗର ପ୍ରଫେସର୍ ଡଃ. ସୁନୀଲକାନ୍ତ ବେହେରାଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ସ୍ଥିତ ତାଙ୍କ ନିଜସ୍ୱ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସହଧର୍ମିଣୀ ଉପସ୍ଥିତ ଥିଲେ । ଏହି ଦୁଃଖଦ ଖବର ଶୁଣି ବ୍ରହ୍ମପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ତାଙ୍କ ସୁପରିଚିତ ବ୍ୟକ୍ତିଗଣ, ସାମ୍ବାଦିକତା ଗଣ-ଯୋଗାଯୋଗ ବିଭାଗର ବ୍ରହ୍ମପୁର ବିଦ୍ୟାର୍ଥୀ- ଗଣ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ପ୍ରଫେସର ଶ୍ରୀବେହେରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗଣଯୋଗାଯୋଗ ବିଭାଗରେ ଦୀର୍ଘବର୍ଷ ଅଧ୍ୟାପନା ଦେଇଆସିଥିଲେ । ପରେ ୨୦୧୫ ମସିହାରେ ସେ ଅବସରଗ୍ରହଣ କରିଥିଲେ ଏବଂ ଆସାମ୍‌ ରାଜ୍ୟର ତେଜପୁର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଗଣଯୋଗାଯୋଗ ବିଭାଗର ଡ଼ିନ୍‌ ଭାବରେ ଯୋଗଦେଇଥିଲେ । ଗତବର୍ଷ ସେଠାରୁ ଅବସର ଗ୍ରହଣ କରି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁରେ ରାଜ୍ୟସଭା ସଦସ୍ୟ ତଥା ନନ୍ଦିଘୋଷ ସକାଳ ଗୃପ୍‌ ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ଗଣେଶ୍ୱର ସେଠୀ, ଜୟନ୍ତ ପଣ୍ଡା, ବନ୍ଦନା ପଣ୍ଡା, ଚିନୂ ବହିଦାର, କଲିକୋତା ବିଶ୍ୱବିଦ୍ୟାଳୟର ଉମାଶଙ୍କର ପାଣ୍ଡେ, ହୃଷିକେଶ ପାଣିଗ୍ରାହୀ, ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭାଟ୍ଟମିଶ୍ର, କୋରାପୁଟ କେନ୍ଦୀୟ ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ପ୍ରଦୋଷ ରଥ, ବାଲେଶ୍ୱର ବିଶ୍ୱବିଦ୍ୟାଳୟ ବିଭାଗୀୟ ମୁଖ୍ୟ ଡ଼ଃ. ଭାରତୀ ବାଳା ପଟ୍ଟନାୟକ, ସିପିଏମ୍‌ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ଅଧ୍ୟାପକ ଅଧ୍ୟାପିକା ଗଭୀର ଶୋକବ୍ୟକ୍ତ କରିଛନ୍ତି । ତାହାଙ୍କ ମୃତ୍ୟୁରେ ଭାରତୀୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ଆକାଶରେ ଏକ ଉଜ୍ଵଳ ତାରା ଅଦୃଶ୍ୟ ହୋଇଗଲା ବୋଲି ବିଭିନ୍ନ ମହଲରେ ଗଣନା କରି କହିଛନ୍ତି । ସ୍ୱର୍ଗତ ବେହେରାଙ୍କ ଶବ ଅବା ମୃତଦେହ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ୍‌ର ଆନାଟୋମି ବିଭାଗକୁ ଦାନ କରାଯିବ ବୋଲି ତାଙ୍କ ପରିବାର ସୂତ୍ରରୁ କୁହାଯାଇଛି । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ବାଙ୍ଗାଲୋରରେ କାର୍ଯ୍ୟ କରୁଥିବା ହେତୁ ସେମାନେ ବାଙ୍ଗାଲୋରରେ ଅବସ୍ଥାନ କରୁଛନ୍ତି । ସେମାନେ ଫେରିବା ପରେ ସ୍ଵର୍ଗତ ବେହେରାଙ୍କ ମୃତଦେହ ଏମ୍‌କେସିଜି ମେଡ଼ିକାଲ୍‌ କଲେଜର ଆନାଟୋମି ବିଭାଗକୁ ଦାନ କରାଯିବ । ଏସମ୍ପର୍କରେ ପୂର୍ବେ ତାଙ୍କ ଘର ଲୋକେ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଇଛି ।

Leave A Reply

Your email address will not be published.

error: Content is protected !!