
- ‘କର୍ମଜୀବୀ ବୟସର ଲୋକମାନଙ୍କ ମଧ୍ୟରେ ସଂସ୍କୃତି, ବିଶ୍ରାମ ଏବଂ ଗଣମାଧ୍ୟମ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ ବୃଦ୍ଧି ଯାହାକି କାର୍ଯ୍ୟ ଓ ବିଶ୍ରାମ ସମୟ ମଧ୍ୟରେ ଅଧିକ ସନ୍ତୁଳନତା ଦର୍ଶାଉଛି’
ନୂଆଦିଲ୍ଲୀ, (ପିଆଇବି) : ଜାନୁଆରୀ-ଡିସେମ୍ବର ୨୦୧୯ ମଧ୍ୟରେ ହୋଇଥିବା ପ୍ରଥମ ସର୍ବେକ୍ଷଣ ପରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ), ଏମ୍ଓଏସ୍ପିଆଇ ଜାନୁଆରୀ -ଡିସେମ୍ବର, ୨୦୨୪ ମଧ୍ୟରେ କରାଯାଇଥିବା ଦ୍ୱିତୀୟ ସର୍ବଭାରତୀୟ ସମୟ ବ୍ୟବହାର ସର୍ବେକ୍ଷଣ (ଟିୟୁଏସ୍) ଶେଷ କରିଛି । ଅନ୍ୟ ଘରୋଇ ସର୍ବେକ୍ଷଣ ଠାରୁ ଟାଇମ୍ ୟୁଜ୍ ସର୍ଭେର ବିଶେଷତ୍ୱ ହେଉଛି ଏହା ମାନବ କାର୍ଯ୍ୟକଳାପର ବିଭିନ୍ନ ଦିଗରେ ସମୟ ଉପଯୋଗକୁ ଦର୍ଶାଇଥାଏ । ବାସ୍ତବରେ, ସମୟ-ବ୍ୟବହାର ସର୍ବେକ୍ଷଣ ସମସ୍ତ ପ୍ରକାର କାର୍ଯ୍ୟକୁ ଧରିବା ପାଇଁ ବିଶେଷ ଭାବରେ ଉପଯୋଗୀ ଅଟେ : ଏଥିରେ ଘରୋଇ କ୍ଷେତ୍ରରେ କାର୍ଯ୍ୟ, ଏବଂ ଜାତୀୟ ଆକାଉଣ୍ଟରେ ହିସାବ ଦିଆଯାଇ ନଥିବା କାର୍ଯ୍ୟ, ଯେପରିକି ବେତନ ବିହୀନ ଘରୋଇ କାର୍ଯ୍ୟ ଏବଂ ପରିବାର ସଦସ୍ୟଙ୍କ ଯତ୍ନ ନେବା କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି । ସର୍ବେକ୍ଷଣ କାର୍ଯ୍ୟ ଶେଷ ହେବାର ୩ ମାସ ମଧ୍ୟରେ ରିପୋର୍ଟ ପ୍ରକାଶ ପାଇଥାଏ । ୨୦୨୫ ଫେବ୍ରୁଆରି ମାସରେ ସର୍ଭେର ପ୍ରମୁଖ ଫଳାଫଳ ଉପରେ ଆଲୋକପାତ କରି ଏକ ଫ୍ୟାକ୍ଟ ସିଟ୍ ପ୍ରକାଶ ପାଇଥିଲା । ସମୟ ବ୍ୟବହାର ସର୍ବେକ୍ଷଣ (ଟିୟୁଏସ୍), ୨୦୨୪ର ଫଳାଫଳର ମୁଖ୍ୟ ବିଶେଷତ୍ୱ
- ବେତନପ୍ରାପ୍ତ କାର୍ଯ୍ୟକଳାପରେ ଅଂଶଗ୍ରହଣ ଏବଂ ସମୟ : ୧୫-୫୯ ବର୍ଷ ବୟସର ଜନସଂଖ୍ୟାରେ ୭୪.୫% ପୁରୁଷ ଏବଂ ୨୪.୯% ମହିଳା ଗୋଟିଏ ଦିନରେ ଏଭଳି କାର୍ଯ୍ୟକଳାପରେ ଯଥାକ୍ରମେ ହାରାହାରି ୪୨୧ ମିନିଟ୍ ଏବଂ ୩୦୫ ମିନିଟ୍ ବ୍ୟୟ କରି ପେଡ୍ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ ।
- ଏସ୍ଏନ୍ଏ ଉତ୍ପାଦନ ଏବଂ ଅଣ-ଏସ୍ଏନ୍ଏ ଉତ୍ପାଦନ କାର୍ଯ୍ୟକଳାପରେ ଅଂଶଗ୍ରହଣ୧: ୧୫-୫୯ ବର୍ଷ ବୟସ ବର୍ଗର ୭୯.୨% ପୁରୁଷ ଏବଂ ୪୩.୪% ମହିଳା ଏସ୍ଏନ୍ଏ ଉତ୍ପାଦନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିବା ବେଳେ ୪୫% ପୁରୁଷ ଏବଂ ୯୩.୯% ମହିଳା ରେଫରେନ୍ସ ଦିନ ରେ ଅଣ-ଏସ୍ଏନ୍ଏ ଉତ୍ପାଦନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ ।
- ରୋଜଗାର ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଯାତାୟାତ : ୧୫-୫୯ ବର୍ଷ ବୟସର ପୁରୁଷ ଯାତ୍ରୀମାନେ (ନିଯୁକ୍ତି ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ) ଦିନକୁ ହାରାହାରି ୭୭ ମିନିଟ୍ ଯାତାୟାତରେ ବିତାଉଥିବା ବେଳେ ମହିଳା ଯାତ୍ରୀମାନେ ୬୭ ମିନିଟ୍ ଯାତାୟାତରେ ବିତାଇଥାନ୍ତି ।
- ପରିବାରସଦସ୍ୟଙ୍କ ପାଇଁ ଘରୋଇ ଏବଂ ଯତ୍ନଶୀଳ କାର୍ଯ୍ୟକଳାପ ଘରର ମହିଳା ସଦସ୍ୟମାନେ ବହନ କରିବା ଜାରି ରଖିଛନ୍ତି, ଯଦିଓ ଏଭଳି କାର୍ଯ୍ୟକଳାପରେ ପୁରୁଷ ସଦସ୍ୟଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି : ୨୬.୪% ପୁରୁଷ ଏବଂ ୮୩.୧% ମହିଳା ସାଧାରଣ ଦିନରେ ପରିବାର ସଦସ୍ୟଙ୍କ ପାଇଁ ଘରୋଇ ସେବାରେ ଅଂଶଗ୍ରହଣ କରିଥିଲେ । ‘ଅନ୍ୟ ଦିନ’ (ଅର୍ଥାତ୍ ସାପ୍ତାହିକ ଛୁଟି ଦିନ, ଛୁଟି ଇତ୍ୟାଦି)ରେ ପୁରୁଷ ଓ ମହିଳାଙ୍କ ଅଂଶଗ୍ରହଣ ଯଥାକ୍ରମେ ୩୨.୨% ଓ ୬୭.୫% ଥିଲା ।
- ଗଣମାଧ୍ୟମର ବ୍ୟବହାର : ସହରାଞ୍ଚଳରେ ୧୫-୨୯ ବର୍ଷ ବୟସର ୮୭.୪% ଓ ଗ୍ରାମାଞ୍ଚଳରେ ୭୩.୪% ଯୁବକ ଗୋଟିଏ ଦିନରେ ଅତି କମରେ ଥରେ ଗଣମାଧ୍ୟମର ବ୍ୟବହାର କରିଥିବା ଜଣାପଡିଛି । ସେମାନେ ଗଣମାଧ୍ୟମର ବ୍ୟବହାରରେ ଯଥାକ୍ରମେ ୧୨୬ ମିନିଟ୍ ଓ ୧୧୬ ମିନିଟ୍ ବିତାଇଥିଲେ ।
- ୬-୧୪ ବର୍ଷ ବୟସର ପିଲାମାନେ ଅତିରିକ୍ତ କାର୍ଯ୍ୟକଳାପରେ ବିତାଉଥିବା ସମୟ : ୬-୧୪ ବର୍ଷ ବୟସର ପିଲାମାନେ ୬୧ ମିନିଟ୍ ଅତିରିକ୍ତ କାର୍ଯ୍ୟକଳାପରେ ବିତାଇଥାନ୍ତି । ୧୫-୨୯ ବର୍ଷ ବୟସର ଯୁବକମାନେ ଦିନକୁ ହାରାହାରି ୭୪ ମିନିଟ୍ ଅତିରିକ୍ତ କାର୍ଯ୍ୟକଳାପରେ ବିତାଇଥିଲେ ।
ସର୍ଭେର ବୈଶିଷ୍ଟ୍ୟ
୧. ଏହି ସର୍ବେକ୍ଷଣରେ, ୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ପ୍ରତ୍ୟେକ ପରିବାର ସଦସ୍ୟଙ୍କ ପାଇଁ କାର୍ଯ୍ୟକଳାପ ବିବରଣୀ ବିଷୟରେ ସୂଚନା ସଂଗ୍ରହ କରାଯାଇଥିଲା, ସାକ୍ଷାତକାର ତାରିଖର ପୂର୍ବ ଦିନ ସକାଳ ୪.୦୦ରୁ ସାକ୍ଷାତକାର ଦିନ ସକାଳ ୪.୦୦ ପର୍ଯ୍ୟନ୍ତ ୨୪ ଘଣ୍ଟାର ରେଫରେନ୍ସ ଅବଧି ଥିଲା । ୨୪ ଘଣ୍ଟାର ରେଫରେନ୍ସ ଅବଧିକୁ ୪୮ଟି ଟାଇମ୍ ସ୍ଲଟରେ ବିଭକ୍ତ କରାଯାଇଥିଲା, ଯାହାର ଅବଧି ୩୦ ମିନିଟ୍ ଥିଲା । ଗୋଟିଏ ଟାଇମ୍ ସ୍ଲଟ୍ରେ ଏକାଧିକ କାର୍ଯ୍ୟକଳାପ କ୍ଷେତ୍ରରେ ୧୦ ମିନିଟ୍ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ କରାଯାଇଥିବା କାର୍ଯ୍ୟକଳାପ ରେକର୍ଡ କରାଯାଇଥିଲା, ଗୋଟିଏ ଟାଇମ୍ ସ୍ଲଟ୍ରେ ସର୍ବାଧିକ ତିନୋଟି କାର୍ଯ୍ୟକଳାପ ରହିଥିଲା ।
୨. ଉତ୍ତରଦାତାଙ୍କ ଦ୍ୱାରା ରିପୋର୍ଟ କରାଯାଇଥିବା କାର୍ଯ୍ୟକଳାପଗୁଡିକ, ସମୟ ବ୍ୟବହାର ପରିସଂଖ୍ୟାନ ପାଇଁ କାର୍ଯ୍ୟକଳାପର ଅନ୍ତର୍ଜାତୀୟ ବର୍ଗୀକରଣ ୨୦୧୬ (ଆଇସିଏଟିଏଏସ୍ ୨୦୧୬) ଅନୁସରଣ କରି ସଂଶୋଧିତ କରାଯାଇଥିଲା ।
୩. କମ୍ପ୍ୟୁଟର ସହାୟକ ବ୍ୟକ୍ତିଗତ ସାକ୍ଷାତକାର (ସିଏପିଆଇ) ମାଧ୍ୟମରେ ସମୟ ବ୍ୟବହାର ବିଷୟରେ ସୂଚନା ସଂଗ୍ରହ କରାଯାଇଥିଲା ।
୪. କଭରେଜ : ଏହି ସର୍ବେକ୍ଷଣରେ ୧,୩୯,୪୮୭ ପରିବାର (ଗ୍ରାମୀଣ : ୮୩,୨୪୭ ଏବଂ ସହରାଞ୍ଚଳ : ୫୬,୨୪୦) ଅନ୍ତର୍ଭୁକ୍ତ କରାଯାଇଥିଲା । ଚୟନ କରାଯାଇଥିବା ପରିବାରର ୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ପ୍ରତ୍ୟେକ ସଦସ୍ୟଙ୍କଠାରୁ ସମୟ ବ୍ୟବହାର ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇଥିଲା । ଏହି ସର୍ବେକ୍ଷଣରେ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ୪,୫୪,୧୯୨ ଜଣ (ଗ୍ରାମୀଣ: ୨,୮୫,୩୮୯ ଏବଂ ସହରାଞ୍ଚଳ: ୧,୬୮,୮୦୩) ଲୋକଙ୍କୁ ଗଣନା କରାଯାଇଥିଲା ।
୫. ଆକଳନର ଉପସ୍ଥାପନା : ଟାଇମ୍ ୟୁଜ୍ ସର୍ଭେ, ୨୦୨୪ରୁ ପ୍ରାପ୍ତ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ସର୍ବଭାରତୀୟ ଏବଂ ରାଜ୍ୟସ୍ତରୀୟ ଆକଳନ ରିପୋର୍ଟରେ ଉପସ୍ଥାପିତ ହୋଇଛି ।
ପ୍ରମୁଖ ସୂଚକ : ଟିୟୁଏସ୍, ୨୦୨୪ରୁ ସୃଷ୍ଟି ହୋଇଥିବା ପ୍ରମୁଖ ସୂଚକଗୁଡିକ ଏଠାରେ ବର୍ଣ୍ଣନା କରାଯାଇଛି ।
ଅଂଶଗ୍ରହଣ ହାର: କୌଣସି କାର୍ଯ୍ୟକଳାପରେ ଗୋଟିଏ ଦିନରେ ଅଂଶଗ୍ରହଣ ହାର ଦିନରେ ସେହି କାର୍ଯ୍ୟକଳାପ କରୁଥିବା ବ୍ୟକ୍ତିଙ୍କ ପ୍ରତିଶତ ଭାବରେ ଗଣନା କରାଯାଏ ।
ପ୍ରତି ଅଂଶଗ୍ରହଣକାରୀଙ୍କ ଦିନରେ ବିତାଇଥିବା ହାରାହାରି ସମୟ : କୌଣସି କାର୍ଯ୍ୟକଳାପ ପାଇଁ ପ୍ରତି ଅଂଶଗ୍ରହଣକାରୀଙ୍କ ପାଇଁ ଗୋଟିଏ ଦିନରେ ବିତାଇଥିବା ହାରାହାରି ସମୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ବିଚାର କରି ଗଣନା କରାଯାଏ ।
ବ୍ୟକ୍ତି ପିଛା ଗୋଟିଏ ଦିନରେ ବିତାଇଥିବା ହାରାହାରି ସମୟ : କୌଣସି କାର୍ଯ୍ୟକଳାପ ପାଇଁ ବ୍ୟକ୍ତି ପିଛା ଗୋଟିଏ ଦିନରେ ବିତାଇଥିବା ହାରାହାରି ସମୟ ସମସ୍ତ ବ୍ୟକ୍ତିଙ୍କୁ ବିଚାର କରି ଗଣନା କରାଯାଏ ଯେ ସେମାନେ କାର୍ଯ୍ୟକଳାପରେ ଅଂଶଗ୍ରହଣ କରନ୍ତି କି ନାହିଁ । ଏହି ପଦ୍ଧତି ଦ୍ୱାରା ବିଭିନ୍ନ କାର୍ଯ୍ୟରେ ବ୍ୟକ୍ତି ପିଛା ଦିନର ମୋଟ ୧୪୪୦ ମିନିଟ୍ ସମୟକୁ ଆବଣ୍ଟିତ କରାଯାଏ ।