
- ଦୁବାଇରୁ କାମ କରୁଥିଲା ମାଷ୍ଟରମାଇଣ୍ଡ
ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱାସନୀୟ ଗୁଇନ୍ଦା ସୂଚନା ଆଧାରରେ, ଓଡ଼ିଶା ପୋଲିସର ରାଉରକେଲା ସାଇବର କ୍ରାଇମ(ସିସି) ଏବଂ ଇକୋନୋମିକ୍ ଅଫେନ୍ସ(ଇଓ) ଥାନା ଏକ ଅନ୍ତରାଷ୍ଟ୍ରୀୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାସ କରିବା ସହିତ ପୋଲିସ୍ ରାଉରକେଲାର ସିଭିଲ ଟାଉନସିପ୍ ଏବଂ ବାସନ୍ତୀ କଲୋନୀ ଅଞ୍ଚଳରେ ଚଢାଉ କରି ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ତଦନ୍ତ ସମୟରେ ଛତିଶଗଡ଼ର ରାୟପୁରରୁ ଆଉ ୨ ଜଣ ଅଭିଯୁକ୍ତଙ୍କୁ ମିଶାଇ ମୋଟ୍ ୯ ଜଣ ଅଭିଯୁକ୍ତଙ୍କୁ ଧରାଯାଇଛି ବୋଲି ଆଜି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନୀ । ସୂଚନା ଅନୁସାରେ ଅଭିଯୁକ୍ତ ମାନେ ଟ୍ରେଡ ନାଁଓ ନାମକ ଏକ ନକଲି ଆପ୍ ମାଧ୍ୟମରେ ଅନଲାଇନ୍ ଟ୍ରେଡିଂ ନାମରେ ଲୋକଙ୍କୁ ଠକୁଥିଲେ । ଏହି ଗ୍ୟାଙ୍ଗ୍ ଭାରତ ସମେତ କେତେକ ଦେଶରେ ବ୍ୟାପିଥିବା ସଂଗଠିତ ସାଇବର ଅପରାଧ ସହିତ ଜଡିତ । ଯେଉଁଥିରେ ହାୱାଲା ମାଧ୍ୟମରେ କୋଟି କୋଟି ଟଙ୍କାର କାରବାର କରାଯାଉଥିଲା । ଏହି ରାକେଟର ମାଷ୍ଟରମାଇଣ୍ଡ କିଶନ ଅଗ୍ରୱାଲ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇରୁ ସମଗ୍ର କାର୍ଯ୍ୟ ପରିଚାଳନା କରୁଥିଲା ବୋଲି ରାଉରକେଲା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଛତିଶଗଡ ରାୟପୁରର କିଶନ ଅଗ୍ରୱାଲ (୨୬), ଛତିଶଗଡ଼ ରାୟପୁରର କୁନାଲ ଅଗ୍ରୱାଲ (୨୫), ଉତ୍ତରାଖଣ୍ଡର ଅର୍ଜୁନ ସିଂହ (୨୭), ଛତିଶଗଡ଼ ଜଶପୁରର ଗିରିଧାରୀ ସିଂହ ଓରଫ ରାମ (୨୪), ଛତିଶଗଡ଼ କରୋବାର ଅଜୟ କୁମାର (୨୫), ଛତିଶଗଡ଼ ବଲୌଦା ବଜାରର ସନ୍ଦୀପ କୁମାର ସୋନୀ (୨୮), ଛତିଶଗଡ଼ ଜାଞ୍ଜଗୀର-ଚାମ୍ପାର ସୌମେନ୍ଦ୍ର ସିଂହ ରାଜପୁତ (୨୭), ଛତିଶଗଡ଼ ସରଂଗଡର ଅଭିଜିତ୍ ଭରଦ୍ୱାଜ (୨୭), ଛତିଶଗଡ଼ ଜାଞ୍ଜଗୀର – ଚାମ୍ପାର ଦୀନେଶ କୁମାର ସାହୁ (୨୫ ବର୍ଷ) । ଏହି ୯ ଜଣ ସାଇବର ଅପରାଧୀଙ୍କ ଠାରୁ ଜବତ୍ ହୋଇଥିବା ଜିନିଷଗୁଡିକ ମଧ୍ୟରେ ରହିଛି ୫ଟି ଲାପଟପ୍, ୩୧ଟି ମୋବାଇଲ୍ ଫୋନ୍, ୬୮ଟି ନକଲି ସିମ୍ କାର୍ଡ, ୨ଟି ଜିଓ ଫାଇବର ରାଉଟର, ୨୦ଟି ନକଲି ପରିଚୟ ପତ୍ର (ଆଇ ଡି ପ୍ରୁଫ), ୪ଟି ବ୍ୟାଙ୍କ ପାସବୁକ୍ ଏବଂ ଚେକ୍ ବୁକ୍, ୨ଟି ପେନ୍ ଡ୍ରାଇଭ୍, ୧୯ଟି ଏଟିଏମ୍/ଡେବିଟ୍ କାର୍ଡ, ଗୋଟିଏ ମାରୁତି ସ୍ୱିଫ୍ଟ କାର୍ ଏବଂ ଗୋଟିଏ ସ୍କୁଟି ଯାହାର ରେଜିଷ୍ଟ୍ରେସନ ନମ୍ବର ସିଜି ୧୩ ଏଏଚ୍ ୦୬୫୯ (CG 13AH 0659) । ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପରେ ୨୩ଟି ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧ କୋଟି ୪୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଏଥିସହିତ ୧୭୬ଟି ବ୍ୟଙ୍କ୍ ଆକାଉଣ୍ଟର ତଦନ୍ତ ଜାରି ରହିଛି ବୋଲି ସୂଚନା ଦିଆଯାଇଛି । ଦେଶବ୍ୟାପୀ ଏହି ଗ୍ୟାଙ୍ଗ୍ ବିରୋଧରେ ୨୭ଟି ମାମଲା ରୁଜୁ ହୋଇଥିଲା ବେଳେ ଗୃହ ମନ୍ତ୍ରଣାଳୟର ୧୪ସି (ଓ୪ଉ) ପୋର୍ଟାଲ୍ ସମନ୍ୱୟ ଦ୍ୱାରା ନିଶ୍ଚିତ କରାଯାଇଛି । ପୋଲିସ୍ ପକ୍ଷରୁ ସତର୍କ ରହିବାକୁ ନିବେଦନ କରାଯାଇଛି ଯେ, କୌଣସି ଅଜଣା ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ବିପୁଳ ଲାଭର ପ୍ରଲୋଭନରେ ନ ପଡ଼ିବାକୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ନିବେଦନ କରିଛି । ଅନେକ ସମୟରେ ଏପରି ନକଲି ଆପ୍ ସୋସିଆଲ ମିଡିଆ ଏବଂ ସେଲିବ୍ରିଟି ପ୍ରମୋସନ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିଥାଏ । ନିବେଶ କରିବା ପୂର୍ବରୁ, ନିଶ୍ଚିତ ଭାବରେ ସେବି(ଏସ୍ଇବିଆଇ) ଠାରୁ ଆପ୍ ଏବଂ ବ୍ରୋକରର ପ୍ରାମାଣିକତା ଯାଞ୍ଚ କରିବା ପାଇଁ ପୋଲିସ୍ ପକ୍ଷରୁ କୁହାଯାଇଛି ।