oum

ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି ୧୦ଡିଗ୍ରୀ ତଳକୁ ଖସିଲା ପାରଦ

jsm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଶୁକ୍ରବାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାରଦ ୧୦ଡିଗ୍ରୀ ତଳକୁ ଖସି ଆସିଛି । ଶୁକ୍ରବାର ବାଲିଗୁଡା ସହରର ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ବାଲିଗୁଡା ସ୍ଥାନିତ ହୋଇ ଥଣ୍ଡା ସହର ପାଇଁ ଚର୍ଚ୍ଚାରେ ରହିଛି । ବାତ୍ୟା, ବର୍ଷା, ମେଘ ପରେ ଗତ ଦୁଇ ଦିନ ହେଲା ଆକାଶ ନିର୍ମଳ ରହିବା ସହ ଥଣ୍ଡାର ପ୍ରକୋପ ଧୀରେ ଧୀରେ ଅନୁଭୂତ ହେବା ପରେ ଗତ ରାତିରୁ ଥଣ୍ଡା ନିଜ ପ୍ରକୋପ ଦେଖେଇଛି । ପ୍ରବଳ ଥଣ୍ଡାରେ ସାରା ଅଞ୍ଚଳ ଥରୁଛି । ବାଲିଗୁଡା ସହରର ତାପମାତ୍ରା ଆଜି ୯.୪ ଡିଗ୍ରୀ ଥିବା ବେଳେ ଆଭ୍ୟନ୍ତରୀଣ ପାହାଡ଼ ପର୍ବତ ଘେରା ଗ୍ରାମାଞ୍ଚଳରେ ତାପମାତ୍ରା ଆହୁରି ଏକ ଡିଗ୍ରୀ କମ ରହୁଥିବା ସୂଚନା ମିଳିଛି । ଏହାସହ ଗ୍ରାମାଞ୍ଚଳରରେ ଶୀତର ପ୍ରକୋପ ଆହୁରି ଅଧିକ ରହିଛି । ଥଣ୍ଡା ଯୋଗୁଁ ହାତଗୋଡ଼ କାଲ ମାରିବା ସହ ନିଆଁର ସାହାରାରେ ଗ୍ରାମାଞ୍ଚଳରେ ଲୋକ ରହୁଥିବା ଦେଖିବାକୁ ମିଳିଛି । ଶୀତବସ୍ତ୍ର କାମରେ ଆସୁ ନ ଥିବା ବେଳେ ଏବେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଇଁ ନିଆଁ ଭରସା ପାଲଟିଛି । ପ୍ରବଳ ଥଣ୍ଡା ଯୋଗୁଁ ସଞ୍ଜ ନଇଁଲେ ସହର ଜନଶୂନ୍ୟ ହେବା ସହ ରାସ୍ତାଘାଟ ଖାଁ ଖାଁ ଲାଗୁଚି । ରାତି ବଢିଲେ କୁହୁଡି ଆରମ୍ଭ ହେବା ସହ ଶୀତ ବଢୁଛି ସକାଳ ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ କୁହୁଡିମୟ ଆକାଶ ରହିଥିବା ଦୃଶ୍ୟ ଦେଖୁବାକୁ ମିଳିଛି । ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ଏବଂ ହଠାତ ୧୦ଡିଗ୍ରୀ ତଳକୁ ତାପମାତ୍ରା ଖସିବା ଯୋଗୁଁ ହଠାତ ପ୍ରବଳ ଥଣ୍ଡା ପଡିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଇପଡିଛନ୍ତି । ଅଞ୍ଚଳରେ ଗରିବ ରେଖାତଳେ ଥିବା ବୃଦ୍ଧାବୃଦ୍ଧଙ୍କୁ ଅଧିକ ଶୀତ କଷ୍ଟ ଦେଉଥିବା ବେଳେ କାମଧନ୍ଦା ପାଇଁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ଅପରାହ୍ନ ୪ଟା ପରଠାରୁ ଶୀତ ବୃଦ୍ଧି ପାଇବା ସହ ସକାଳ ୧୦ଟା ପର୍ଯ୍ୟନ୍ତ ଶୀତ ଥରାଉଛି । ବାହାରେ କାକର ପଡୁଥିବାରୁ ଜାଡ଼ ଅଧିକ ଅନୁଭୂତ ହେଉଛି । ସ୍ଥାନୀୟ ଲୋକଙ୍କୁ ଶୀତ କଷ୍ଟ ହେଉଥିବା ବେଳେ ଶୀତର ମଜା ନେବା ପାଇଁ ଦାରିଙ୍ଗବାଡ଼ି ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ହାତଯୋଡି ବସିଥିବା ଗରମ ପୋଷାକ ବ୍ୟବସାୟୀ ଥଣ୍ଡା ପଡିବା ପରେ ନିଜ ବ୍ୟବସାୟକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି । ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଅପୂର୍ବ ସୌନ୍ଦର୍ଯ୍ୟକୁ ପସନ୍ଦ କରିବା ସହ ଏହାର ପରିବେଶ ଜଙ୍ଗଲ ଆଦି ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ଆଗାମୀ ଦିନରେ ପାରଦ ଆହୁରି ତଳକୁ ଖସିବା ସହ ଜାଡ ବଢିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.