jayashree

ଗ୍ରାମବାସୀଙ୍କ ସ୍ୱପ୍ନ ପୂରଣ କଲେ ଦୀପା : ଗାଁରେ ହେବ ସୌର ପାନୀୟ ଜଳ ପ୍ରକଳ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମ ହେଉଛି ଏକ ବଡ଼ ଗାଁ । ଏଠାରେ ୨୦୧୧ ଜନଗଣନା ଅନୁଯାୟୀ ୨୪୦୦ ଜଣ ବସବାସ କରନ୍ତି । ୫ ୱାର୍ଡ ବିଶିଷ୍ଟ ଏହି ଗ୍ରାମରେ ଏପର୍ୟ୍ୟନ୍ତ କୋୖଣସି ସୌର ପାନୀୟ ଜଳ ପ୍ରକଳ୍ପ ନାହିଁ । ଗାଁରେ ବସୁଧା ଯୋଜନାରେ ଜଳଯୋଗାଣ ବ୍ୟବସ୍ଥା ହୋଇଛି ସତ, କିନ୍ତୁ ତାହା ରୋଷେଇ କରିବା ତଥା ପାନୀୟ ଜଳ ରୂପେ ବ୍ୟବହାର ହୁଏନାହିଁ । ଏହି କାରଣରୁ ପାନୀୟ ଜଳ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗାଁରେ ଥିବା ନୂଆମୁଣ୍ଡା ବନ୍ଧକୁ ଗାଧୋଇବା ପାଇଁ ସମସ୍ତେ ବ୍ୟବହାର କରନ୍ତି । ଗାଁର ଅଧିକାଂଶ ଲୋକେ ନଦୀରୁ ବାଲି କୂଅ କରି ରୋଷେଇ କରିବା ପାଇଁ ବ୍ୟବହାର କରନ୍ତି । ଗ୍ରୀଷ୍ମରୁତୁରେ ନଦୀ ପାଣି ଶୁଖି ଯାଉଥିବାରୁ ଟେମରି ଗ୍ରାମରେ ରୋଷେଇ ପାଇଁ ଏବଂ ଗାଧୋଇବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ସକାଶେ ଗ୍ରାମର ଅନେକ ମହିଳା ସାମାଜିକ କର୍ମୀ ଦୀପା ବାରିକଙ୍କୁ ଭେଟିଥିଲେ । ଗତ ୧୦ ମାର୍ଚ୍ଚରେ ମହିଳାଙ୍କ ଦୁଃଖକୁ ହୃଦୟଙ୍ଗମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଗାଁରେ ଥିବା ଉକ୍ତ ସମସ୍ୟାର ସମାଧାନ ପୂର୍ବକ ସୌର ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ପାଇଁ ଅନୁରୋଧ କରିଥିଲେ । ଏହି ଚିଠିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଅଭିଯୋଗ ପରେ ସେଠାରୁ ନିର୍ଦେଶ ଆସିଥିଲା । ଏହାପରେ ବରଗଡ଼ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଆସିଥିଲା । ଇତି ମଧ୍ୟରେ ଗତ ୩୧ ମାର୍ଚ୍ଚରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବରଗଡ଼ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ, ଟେମରି ଗ୍ରାମବାସୀଙ୍କ ଏହି ଦାବୀକୁ ପୂରଣ କରାଯିବ ଏବଂ ସରକାରୀ ନିୟମାନୁସାରେ ସୌର ପାନୀୟ ଜଳ ପ୍ରକଳ୍ପ ପ୍ରଦାନ କରାଯିବ । ଏହି ଖବର ଶୁଣିବା ପରେ ଟେମରି ଗ୍ରାମବାସୀ ଉତ୍ଫୁଲ୍ଲିତ ହୋଇଯାଇଛନ୍ତି ଏବଂ ଏହି ମହତ କାମ ପାଇଁ ସାମାଜିକ କର୍ମୀ ଦୀପା ବାରିକଙ୍କୁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.