- କାମରେ ଆସୁନି ବସୁଧା ଯୋଜନା : ସାଧାରଣରେ ଅଭିଯୋଗ
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବଣ ପାହାଡ ଘେରା ଉପାନ୍ତ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ପାଣି ମୁନ୍ଦାଏ ପାଇବା ପାଇଁ ଅଞ୍ଚଳର ଲୋକେ ଡହଳ ବିକଳ ହେଉଛନ୍ତି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଟାଣ ଖରା ଯୋଗୁଁ ନଈ ନାଳ ପୋଖରୀ ଶୁଖିଯାଇଥିବା ବେଳେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅଞ୍ଚଳର ଜନସାଧାରଣ କେଉଁଠି ବାଲି ଚୁଆ ଖୋଲି ପାଣି ସଂଗ୍ରହ କରୁଛନ୍ତି ତ ଆଉ କେଉଁଠି ଝରଣାର ପାଣି ଉପରେ ନିର୍ଭର କରୁଛନ୍ତି । ଏହି ଅଞ୍ଚଳରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରଯାଇଥିବା ବସୁଧା ଯୋଜନା କାମରେ ଆସୁନ ଥିବାରୁ ଲୋକେ ବାଧ୍ୟ ହୋଇ ନଈ ନାଳ ଝରଣା ଉପରେ ଭରଷା କରୁଛନ୍ତି ବୋଲି ମତ ପ୍ରକାଶ ପାଉଛି । ସୂଚନା ଅନୁସାରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ମହକୁମାଠାରୁ ଦୀର୍ଘ ୩୦ କିଲୋମିଟର ଦୂରରେ ନଙ୍ଗଲବୋର୍ଡ଼ ଓ ଘାଟମାଳ ଗ୍ରାମପଞ୍ଚାୟତ ଅବସ୍ଥିତ । ଏହି ଦୁଇ ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ଜାମବାହଲି ସ୍ଥିତ ଉଦନ୍ତୀ ନଦୀରେ ୨୦୧୭- ୧୮ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ପମ୍ପ ହାଉସ ନିର୍ମାଣ ସାଙ୍ଗକୁ ପାଣି ଟାଙ୍କି ନିର୍ମାଣ କରାଯାଇଛି । ହେଲେ ନିର୍ମାଣ ହେବା ଦିନଠାରୁ ପାଣି ଯୋଗାଣ ହୋଇପାରୁନାହିଁ । ଏହି ନଦୀର ଦୁଇ ପାର୍ଶ୍ଵରେ ଦୁଇଟି ପମ୍ପ ହାଉସ ନିର୍ମାଣ କରାଯାଇଛି । ଗୋଟିଏ ଘାଟମାଲ ଗ୍ରାମ ସହିତ ୭ ଗୋଟି ରାଜସ୍ବ ଗ୍ରାମ ଓ ଅନେକ ପଡା ଗ୍ରାମକୁ ଜଳଯୋଗାଣ ହେବ । ଏଥି ପାଇଁ ପୋଡ଼ାପଦର, ଘାଟମାଳଠାରେ ଟାଙ୍କି ନିର୍ମାଣ କରାଯାଇଛି । ସେହିପରି ଅନ୍ୟ ପାର୍ଶ୍ଵରେ ଥିବା ପମ୍ପ ହାଉସରୁ ତାଲାକୋଟ, ନଙ୍ଗଲବବୋଡ ଅଞ୍ଚଳକୁ ଜଳଯୋଗାଣ ପାଇଁ ପ୍ରକଳ୍ପ ନିର୍ମାଣ ହୋଇଛି ହେଲେ ଆଜି ପର୍ଯ୍ୟନ୍ତ କାମକୁ ଆସୁନି । ତାଲାକୋଟ ଚାରି ଛକ ଠାରେ ପାଣି ଟାଙ୍କିି ନିର୍ମାଣ କରାଯାଇ ଏହି ଗାଁର ୧୪ ଗୋଟି ପଡା ଗ୍ରାମକୁ ଜଳଯୋଗାଣ କରିବାର ବ୍ୟବସ୍ଥା ରହିଛି ହେଲେ ପ୍ରକଳ୍ପ ହେବା ଦିନ ଠାରୁ କେବଳ ଗୋଟିଏ ସପ୍ତାହ ଚାଲିବା ପରେ ବନ୍ଦ ହୋଇଯାଇଥିଲା ବୋଲି ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି । ସେହିପରି ନଙ୍ଗଲବୋର୍ଡ଼ ଗ୍ରାମ ପଞ୍ଚାୟତରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ଭାବରେ ଫ୍ଲରୋଷିସ ଅଞ୍ଚଳ ଅଟେ । ଏହାକୁ ଦୃଷ୍ଟିରେ ରଖି ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । କିନ୍ତୁ ଏଠାରେ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଯୋଗୁଁ ଏହି ଯୋଜନାର ସୁଫଳ ଲୋକେ ପାଇପାରୁ ନାହାନ୍ତି । ଏହି ସମସ୍ୟାକୁ ନେଇ ବାରମ୍ବାର ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସେହିପରି ସିନ୍ଦୂରଶିଲ ଗ୍ରାମରେ ସୋଲାରପ୍ଲାଣ୍ଟ ମାଧ୍ୟମରେ ଜଳ ଯୋଗାଣ ପାଇଁ ଖର୍ଚ୍ଚ କରାଯାଇଥିଲେ ମଧ୍ୟ କାମରେ ଲାଗୁନି । ଏହି ଗ୍ରାମ ୫ ଶହ ଜନସଂଖ୍ୟା ବିଶିଷ୍ଟ ଥିବା ବେଳେ ନଳକୂପ ଅଚଳ ହୋଇ ରହିଛି ଫଳରେ ଗ୍ରାମବାସୀ ନିକଟସ୍ତ ଉଦନ୍ତୀ ନଦୀରେ ବାଲି ଚୁଆ ଖୋଲି ପାନୀୟ ଜଳ ସଂଗ୍ରହ କରୁଛନ୍ତି । ସେହିପରି ଚିତାରମା, ଗଡିଆଯୋର, ବେଳପାଟିପଡା, ଝୋଲାପଡା, କନ୍ଦେନଝରିଆ, ଗ୍ରିଣ୍ଡୁଲପାଣି, ସମେତ ଅନେକ ଗ୍ରାମର ଲୋକେ ବାଲି ଚୁଆ ଓ ଝରଣା ପାଣି ଉପରେ ନିର୍ଭରଶୀଳ ହେଉଛନ୍ତି । ତେବେ ସରକାର କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଯୋଜନା କାହା ସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କେବଳ ପମ୍ପ ସାଙ୍ଗକୁ ଟ୍ୟାଙ୍କ ନିର୍ମାଣ କରି କେବଳ କାମ ସାରି ଦେଉଥିବା ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ଅଭିଯୋଗ କରିଥିଲେ । ଏଥିପାଇଁ ଦୁଇଟି ଜେନେରେଟର ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ବୋଲି ପ୍ରକାଶ କରିଥିଲେ । ଏ ସମ୍ପର୍କରେ ସିନାପାଲି ଜଳ ଓ ପରିମଳ ବିଭାଗୀୟ ଯନ୍ତ୍ରୀ ପି.ସାହୁଙ୍କୁ ପଚାରିବାରୁ ସେଠାରେ ୩୩ କେ, ଭି ବିଦ୍ୟୁତ ସଂଯୋଗ ହେବାରେ ବିଳମ୍ବ ଯୋଗୁଁ ଜଳ ଯୋଗାଣ ହୋଇପାରୁନାହିଁ । ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରକାଶ କରିଥିଲେ । ଏ ଦିଗରେ ଶୀଘ୍ର ପଦକ୍ଷେପ ନ ନେଲେ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।