ପାନୀୟଜଳ ଟ୍ୟାଙ୍କରେ ନର୍ଦ୍ଧମାଜଳ ପ୍ରବାହିତ ହେଉଥିବା ଅଭିଯୋଗ ଆଣିଲେ ଶାନ୍ତିନଗରବାସୀ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଶାନ୍ତିନଗର ଅଞ୍ଚଳରେ ଏକ ପାଣିଟାଙ୍କି ରହିଛି । ସାହେବଜେନାପଲ୍ଲୀ ଗ୍ରାମକୁ ଯାଇଥିବା ରାସ୍ତାପାର୍ଶ୍ଵରେ ଏକ ଭୂମିସଂଲଗ୍ନ ଏହି ପାଣିଟାଙ୍କି ବହୁ ବର୍ଷହେଲା ନିର୍ମାଣ ହୋଇଛି । ଛତ୍ରପୁର ସହରର ପ୍ରାୟ ଅର୍ଦ୍ଧେକ ଲୋକ ଏହି ପାଣିଟାଙ୍କି ଉପରେ ନିର୍ଭରକରି ଆସୁଛନ୍ତି । ପ୍ରକାଶ ଥାଉକି, ଶାନ୍ତିନଗର, ନିୟୁପୋଲିସ କଲୋନୀ, ସାଇନଗର, ବୀରେଶ୍ଵର କଲୋନୀ, ସାହେବଜେନାପଲ୍ଲୀ ଗ୍ରାମ, ସୂର୍ୟ୍ୟନଗର ସମେତ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ବ ପରିବାର ଲୋକ ଏହି ଟାଙ୍କି ଜଳକୁ ପାନୀୟଜଳ ଭାବେ ବ୍ୟବହାରକରି ଆସୁଛନ୍ତି । ଏହି ପାଣି ଟାଙ୍କିର ଜଳରେ ନର୍ଦ୍ଧମାଜଳ ମିଶ୍ରିତ ହେଉଥିବା ଏକ ସଂଗୀନ ଅଭିଯୋଗ ଏଠାକାର ପ୍ରତ୍ୟକ୍ଷଦର୍ଶୀଙ୍କ ମାଧ୍ୟମରେ ଅଣାଯାଇଛି । ଯାହାକି ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଏହି ଅଞ୍ଚଳର ବହୁ ବ୍ୟକ୍ତି ସର୍ବଦଳୀୟ କ୍ରମେ ଆସି ଏକ ସ୍ମାରକପତ୍ର ଦେଇ ଅଭିଯୋଗ କରିଛନ୍ତି । ପାଣିଟାଙ୍କିରେ କାଦୁଅଭରି ରହିଛି, ବାହାରର ନର୍ଦ୍ଧମାନାଳ ବା ଡ୍ରେନେଜ ଏହି ପାଣିଟାଙ୍କିରେ ପଡୁଛି । ବର୍ଷାଦିନ ଆସିଲେ ସବୁ ପ୍ରକାର ଦୂଷିତଜଳ ଏଥିରେ ପ୍ରବାହିତ ହେଉଛି ବୋଲି ଅଭିଯୋଗ କରିଛନ୍ତି, ପାଣିଟାଙ୍କିରେ ପୋକ, ଜୋକ, ସାଲୁବାଲୁ ହୋଇ କାଦୁଅ, ପଙ୍କ ଭରି ରହିଛି ବୋଲି ସ୍ଥାନୀୟ ଲୋକେ ଅବା ପ୍ରତକ୍ଷ୍ୟଦର୍ଶୀଙ୍କ ଠାରୁ ପ୍ରକାଶ କରାଯାଉଛି । ଏନେଇ ହଇଜା, ମହାମାରୀ, ଆମାଶୟ, ଝାଡାବାନ୍ତି ଭଳି ବହୁ ଦୂରାରୋଗ୍ୟ ଲୋକଙ୍କୁ ବ୍ୟାପିବାର ଆଶଙ୍କା ରହିଛି । ଏ ସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗୀୟ କାର୍ଯ୍ୟନିର୍ବାହୀଯନ୍ତ୍ରୀ, ପିଏଚ୍‌ଇଡି ଛତ୍ରପୁର ଏସ୍ଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଏହାର ଆଶୁ ପ୍ରତିକାର ବ୍ୟବସ୍ଥା ଏଯାବତ ହୋଇନାହିଁ । କନିଷ୍ଠଯନ୍ତ୍ରୀ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ କୌଣସି ବ୍ୟବସ୍ଥା ହୋଇନାହିଁ, ଟାଙ୍କିର ନିୟମିତ ସଫେଇ ହେଉନାହିଁ । କନିଷ୍ଠ ଯନ୍ତ୍ରୀ ଜଣକଙ୍କୁ ଏ ସମ୍ପର୍କରେ କହିବାରୁ ଅଶାଳୀନ ମନ୍ତବ୍ୟ ଦେଉଥିବା ଅବା କଂପ୍ଲେନ କଲେ ମୋର କେହି କିଛି କରିପାରିବେ ନାହିଁ ବୋଲି କନିଷ୍ଠ-ଯନ୍ତ୍ରୀ କହୁଥିବା ସ୍ଥାନୀୟ ବାସୀ ଅଭିଯୋଗ କରିଛନ୍ତି । ତେଣୁ କ୍ଷୁବ୍ଧ ହୋଇ ଉକ୍ତ କନିଷ୍ଠଯନ୍ତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ଲୋକେ ଦାବୀ କରିଛନ୍ତି । ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍‌ଙ୍କ ଉକ୍ତ ଅଞ୍ଚଳର ଯୁବନେତା କାଳିଆ ରାଉଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ଏହାର ବିହିତ ପ୍ରତିକାର ଏବଂ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଭାଗିରଥି ବେହେରା, ସଞ୍ଜିତ ରାଉଳ, ଆଡ୍‌ଭୋକେଟ୍‌ ରାମଚନ୍ଦ୍ର ବେହେରା, ଲିଙ୍ଗରାଜ ନାୟକ ପ୍ରମୁଖ ବହୁବ୍ୟକ୍ତି ଯୋଗଦେଇ ଏହାର କୌଣସି ଆଶୁ ପ୍ରତିକାର ନହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ଗଣମାଧ୍ୟମ ଆଗରେ ଚେତାବନୀ ସ୍ୱରୂପ କହିଛନ୍ତି ।

Leave A Reply

Your email address will not be published.