ବଲାଙ୍ଗିର, (କେପିଏନ୍ଏସ୍) : ହାଟପଦାପଡ଼ା ମୁଖ୍ୟ ଶ୍ମଶାନରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଉପଲବ୍ଧ କରିବା ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ସାରଞ୍ଜାମ ରାଜ୍ୟ ପର୍ଯ୍ୟଟନ ନିଗମର ଉଦ୍ୟମ କ୍ରମେ ଋଚି କମ୍ପାନୀ ପ୍ରଦାନ କରିଥିବା ଜଣାଯାଇଛି । ଗତ ମଇ ୯ରେ ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ପ୍ରଶାନ୍ତ ମହାକୁର ଓ ବଲାଙ୍ଗିରବାସୀଙ୍କ ପକ୍ଷରୁ ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା ରାଜ୍ୟ ପର୍ଯ୍ୟଟନ ନିଗମର ପୂର୍ବ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ସାକ୍ଷାତ କରି ବଲାଙ୍ଗିର ହାଟପଦାପଡ଼ା ଶ୍ମଶାନରେ ଏକ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଅନୁରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମତି ମିଶ୍ରଙ୍କ ଉଦ୍ୟମ କ୍ରମେ ଆବଶ୍ୟକୀୟ ଯନ୍ତ୍ର ଯୋଗାଇ ଦିଆଯାଇଥିବା କଥା ପର୍ଯ୍ୟଟନ ନିଗମ ପକ୍ଷରୁ ପ୍ରଶାନ୍ତ ମହାକୁରଙ୍କୁ ସୂଚନା ପ୍ରଦାନ କରାଯାଇଛି । ବଲାଙ୍ଗିର ଜନତାଙ୍କ ବୃହତ୍ତର ସ୍ଵାର୍ଥ୍ୟ ଦୃଷ୍ଟିରୁ ଏହାକୁ ଅତିଶୀଘ୍ର ସ୍ଥାପନ କରିବା ପାଇଁ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କୁ ନିବେଦନ କରାଯାଇଥିବା ନେଇ ଶ୍ରୀ ମହାକୁର ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗିର ଶ୍ମଶାନ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ । ଶବଦାହ ପାଇଁ ଶ୍ମଶାନକୁ ଯାଉଥିବା ଲୋକେ ପିଇବା ପାଣିର ଘୋର ଅଭାବ ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଶ୍ମଶାନରେ ପିଇବା ପାଣିର ବ୍ୟବସ୍ଥା ପାଇଁ ଦୀର୍ଘ ଦିନରୁ ଅନେକ ଅନୁଷ୍ଠାନ ଦାବୀ କରୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଫଳପ୍ରସୁ ହୋଇ ନଥିଲା । ଅତିଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଗଲେ ଜନତା ଉପକୃତ ହେବେ ବୋଲି ଯାଦବ ନେତା ଶ୍ରୀ ମହାକୁର ଜଣାଇଛନ୍ତି ।
Prev Post