ବଲାଙ୍ଗିର, (କେପିଏନ୍ଏସ୍) : ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ତାତି ବି ବଢ଼ି ବଢ଼ି ଚାଲିଛି । ପ୍ରଚାର ଜୋର୍ ଧରିଛି । ଆସନ ହାତେଇବା ପାଇଁ ପ୍ରାର୍ଥୀ ମାନଙ୍କ ଘମାଘୋଟ ପ୍ରୟାସ ଅନୁଭବ କରି ହେଉଛି । ସଦର ବ୍ଲକରେ ପଞ୍ଚାୟତ ନିର୍ବାଚନ ମଇଦାନରେ ପତି ପତ୍ନୀ ଓହ୍ଲାଇ ଥିବା ଦେଖିବାକୁ ମିଳିଛି । ବିଜେଡ଼ିର ବଳିଷ୍ଠ ନେତା ତଥା ଗତଥରର ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ସଦେଇପାଲି ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ଲଢ଼ୁଥିବା ବେଳେ ତାଙ୍କ ପତ୍ନୀ ସରିତା ବାଗ ବିଡ଼ିଘାଟ ପଞ୍ଚାୟତରୁ ସମିତି ସଭ୍ୟ ପଦବୀ ନିମନ୍ତେ ପ୍ରାର୍ଥିନୀ ହୋଇଛନ୍ତି । ଚଳିତ ଥର ସଦର ବ୍ଲକ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଗୋଲାପ ବାଗ ପତ୍ନୀଙ୍କ ଦ୍ୱାରା ଅଧ୍ୟକ୍ଷ ପଦବୀ ହାତେଇବାର ପ୍ରୟାସ କରୁଥିବା ଆଲୋଚନା ଜୋର୍ ଧରିଛି ।