ପାଇକମାଲ ପଞ୍ଚାୟତ ସମିତିର ସପ୍ତମ ବୈଠକ : ପିସି କାରବାରକୁ ନେଇ ହଟ୍ଟଗୋଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତିର ସପ୍ତମ ବୈଠକ ବ୍ଲକ ସଭାଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଚେୟାରମେନ ଭାବନା ସିଂ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଥିଲେ । ବିଡିଓ ପ୍ରଫୁଲ୍ଲ କୁମାର ଓଦୁ ଉପସ୍ଥିତ ସମସ୍ତ ବିଭାଗର ଲାଇନ ଅଫିସର, ସମିତି ସଭ୍ୟ, ସରପଞ୍ଚ, ଭାଇସ ଚେୟାରମେନ, ସାମ୍ବାଦିକ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିଂ ମଧ୍ୟ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟା ବାସନ୍ତୀ ବାଲାନ ବ୍ଲକରେ ପିସି କାରବାର ଚାଳିଛି ବୋଲି ଦୃଢ ବରରେ ଅଭିଯୋଗ କରିବା ସହ ଟେମରୀ ଗ୍ରାମ ପଞ୍ଚାୟତର ଜିଲ୍ଲା ପରିଷଦର ପାଣ୍ଠିର ପ୍ରଧାନ ଦରା ରାସ୍ତା କଂକ୍ରିଟ କାମ ୩ ଲକ୍ଷ ୪୦ ହଜାର ଟଙ୍କାର କାମ କରାଯାଇଥିବା ବେଳେ ୮୦ ହଜାର ଟଙ୍କା ବ୍ଲକ ଜେଇ ପିସି କାଟିକରି ବାକି ଟଙ୍କା ପେମେଣ୍ଟ ଦେଇଥିଲେ ବୋଲି ଶ୍ରୀମତୀ ବାଲାନ ଅଭିଯୋଗ କରିଥିଲେ । ଏହା ଶୁଣି ସଭାଗୃହରେ ଅନେକ ସମୟ ଧରି ହଟ୍ଟଗୋଳ ହେବା ପରେ ଅନେକ ସରପଞ୍ଚ ଓ ସମିତି ସଭ୍ୟ ପିସି କାରବାର ବନ୍ଦ କର ବୋଲି କହିଥିଲେ । ବିଦ୍ୟୁତ ବିଲ ୩୦୦ ୟୁନିଟ ଛାଡ କରିବା, ପାଣି ସପ୍ଲାଇ ପାଇଁ ବ୍ୟବହୃତ ପମ୍ପ ଗୁଡିକର ବହୁତ ବିଦ୍ୟୁତ ବିଲ ଆସୁଥିବା, ସ୍କୁଲ ମାନଙ୍କରେ ଆବଶ୍ୟକ ଅନୁଯାଇ ଶିକ୍ଷକ ନଥିବା, ଆରଡି ରାସ୍ତା ଗୁଡ଼ିକ କାମ ଠିକ ଭାବେ ହେଉ ନଥିବା, ପାଣି ଜଳ ଯୋଗାଣ ବିଭାଗର ପିଇବା ପାଣି ଯୋଗାଣରେ ବ୍ୟଘାତ ହେଉଥିବା, ସରେଇକେଲା ଆଶ୍ରମ ସ୍କୁଲରେ ୯୨ ଜଣ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶିକ୍ଷକ ପଢାଉଥିବା, ସମ୍ୱଲପୁରୀ ଆଶ୍ରମ ବିଦ୍ୟାଳୟରେ ୭୨ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଶିକ୍ଷକ ପଢାଉଥିବା ପ୍ରମୁଖ ଅଭିଯୋଗ ଗୁଡିକ ଆସିଥିଲା । ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ପରିଚୟ ଦେବା ପାଇଁ କହିଥିଲେ, ଏହାପରେ ସମସ୍ତ ସମିତି ସଭ୍ୟ, ସଭ୍ୟା ସମସ୍ତ ସରପଞ୍ଚ ମାନେ ମିଳିମିଶି ପାଇକମାଲ ବ୍ଲକର ଉନ୍ନତି ସକାଶେ ଆଗେଇ ଆସିବା ପାଇଁ ପରାମର୍ଶ ଦେଇଥିଲେ । ବିଧାୟିକା ବର୍ଷା ସିଂ ବରିହା ସମସ୍ତ ସମିତି ସଭ୍ୟସଭ୍ୟା ଓ ସରପଞ୍ଚମାନଙ୍କୁ ଆପତ୍ତି ଅଭିଯୋଗ କରିବା ପାଇଁ ସମାନ ସମୟ ଦିଆଗଲେ ଭଲ ହେବ ବୋଲି କହିଥିଲେ, କାରଣ କେତେ ଜଣ ବେଶି ସମୟ ଧରି ଅଭିଯୋଗ କରୁଥିବା ବେଳେ ଅନ୍ୟ ମାନଙ୍କୁ କହିବା ପାଇଁ ସମୟ ମିଳୁ ନଥିବାର ଦେଖାଯାଉଛି ବୋଲି ବିଧାୟିକା ବର୍ଷା ସିଂ କହିଥିଲେ । ପାଇକମାଲ ବ୍ଲକରେ ପିସି କାରବାର ନେଇ ସାମ୍ବାଦିକ ମାନେ ବିଡିଓଙ୍କୁ ପଚାରିବାରୁ ବିଡିଓ ଶ୍ରୀ ଓଦୁ ମୋ ଥିବା ସମୟରେ ପିସି କାରବାର ହେଉନାହିଁ ବୋଲି କହିଥିଲେ । ତେବେ ସାମ୍ବାଦିକ ମାନେ ଜିଲ୍ଲା ପରିଷଦ ସଦସ୍ୟ ବାସନ୍ତୀ ବାଲାନଙ୍କୁ ପଚାରିବାରୁ ବର୍ତ୍ତମାନ କାର୍ୟ୍ୟରତ ବିଡିଓଙ୍କ ସମୟରେ ପଧାନ ଦରା ରାସ୍ତା କଂକ୍ରିଟ କାମର ୮୦ ହଜାର ଟଙ୍କା ପିସି କଟା ଯାଇଛି ବୋଲି ଶ୍ରୀମତୀ ବାଲାନ ଦୃଢତାର ସହ କହିଛନ୍ତି । ଆଜି ପଞ୍ଚାୟତ ସମିତିର ବୈଠକ ଦୀର୍ଘ ୧୬ ମାସ ହେବା ପରେ ବୈଠକ ଅନୁଷ୍ଠିତ ହେଉଥିବାରୁ ଆଗାମୀ ବୈଠକ ଗୁଡିକ ପ୍ରତି ୩ ମାସରେ କରାଯିବ ବୋଲି ବିଡିଓ ଶ୍ରୀ ଓଦୁ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.