ହଳଦୀ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ରମାରଞ୍ଜନ ସେଠ୍‌ଙ୍କୁ ଜେଲ୍‌

  • ଖବର ପ୍ରସାରଣକୁ ନେଇ ସାମ୍ବାଦିକମାନଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ ଅଭିଯୋଗ
  • ଖଣ୍ଡା ସହ ବୁଲେଟ୍ ଜବତ
  • ସରପଞ୍ଚଙ୍କ ଏକ ପାଲଟା ଅଭିଯୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତର ସରପଞ୍ଚ ସୌମିନା ସେଠ୍‌ଙ୍କ ସ୍ଵାମୀ ରମାରଞ୍ଜନ ସେଠ୍‌ ଏକ ଖବର ପ୍ରସାରଣକୁ ନେଇ କେତେକ ସାମ୍ବାଦିକମାନଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ସହ ଜେଲ୍‌ ଯିବା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାରେ ବ୍ୟବହୃତ ଏକ ଖଣ୍ଡା ଓ ବୁଲେଟ୍‌(ଓଡ଼ି ୧୫ପି ୩୪୭୭)କୁ ମୁରିବାହାଲ ଥାନା ପୁଲିସ ଜବତ କରିଛି । ମୁରିବାହାଲ ଅଞ୍ଚଳର ୨ ଯୁବ ସାମ୍ବାଦିକ ନବୀନ କୁମାର ତାଣ୍ଡି ଓ ଜୟନ୍ତ କୁମାର ସାହୁ ହଳଦୀ ପାଖ ସେମେଲପାଲି ଗ୍ରାମର ସବୁଦିନିଆ ରାସ୍ତା ସମସ୍ୟା ସମ୍ପର୍କିତ ଏକ ଖବର ପ୍ରସାରଣ କରିଥିଲେ । ଏହି ଖବରକୁ ନେଇ ସରପଞ୍ଚଙ୍କ ସ୍ୱାମୀ ରମାରଞ୍ଜନ ସେଠ୍ ଶନିବାର ସନ୍ଧ୍ୟାରେ ସାମ୍ବାଦିକମାନଙ୍କୁ ଆଲୋଚନା ପାଇଁ ହଳଦୀ ଛକକୁ ଡାକିଥିଲେ।ତାଙ୍କୁ ଭେଟିବାକୁ ସାମ୍ବାଦିକ ନବୀନ କୁମାର ତାଣ୍ଡି, ଜୟନ୍ତ କୁମାର ସାହୁ, ମୋତିଲାଲ ତାଣ୍ଡି ଓ ନିବେଶ କୁମାର ପାଣିଗ୍ରାହୀ ହଳଦୀ ଛକକୁ ପହଞ୍ଚିଥିଲେ । ଏହି ସମୟରେ ସେ ଅତ୍ୟଧିକ ନିଶା ସେବନ କରି ସହଯୋଗୀ କୁର୍ତ୍ତି ହାତୀ, କୁର୍ତ୍ତିଙ୍କ ବଡଭାଇ ତୁଲାମଣି ହାତୀ(ଖେଞ୍ଜୁ)ଙ୍କ ସହ ବହୁ ଗୁଣ୍ଡାଶ୍ରେଣୀୟ ଲୋକଙ୍କୁ ନେଇ ଅତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ସାମ୍ବାଦିକମାନଙ୍କୁ ଏକ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ସାମ୍ବାଦିକମାନେ ନିଜ ଜୀବନ ବଞ୍ଚାଇ ପୁଲିସକୁ ସୂଚନା ଦେଇଥିଲେ । ମୁରିବାହାଲ ଥାନା ପୁଲିସ ପହଞ୍ଚି ସରପଞ୍ଚଙ୍କ ସ୍ଵାମୀ ରମାରଞ୍ଜନ ସେଠ୍‌ ବ୍ୟବହାର କରିଥିବା ଏକ ବୁଲେଟ୍‌ ଓ ଖଣ୍ଡାକୁ ଜବତ କରିଥିଲା । ଏହି ଖବର ପାଇ ପାଖ ସେମେଲପାଲି ଗ୍ରାମବାସୀ ଓ ଭୀମ ଆର୍ମିର ଶତାଧିକ ସଦସ୍ୟମାନେ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚିଥିଲେ । ରାତିରେ ସମସ୍ତ ସାମ୍ବାଦିକ ଥାନାକୁ ପହଞ୍ଚି ଏତଲା ଦେଇଥିଲେ । ନବୀନ କୁମାର ତାଣ୍ଡିଙ୍କ ଏତଲା ଆଧାରରେ ପୁଲିସ କେଶ ନଂ ୨୬୩/୨୪ ରୁଜୁ କରି ଥାନା ଏସ୍‌ଆଇ ଦନାର୍ଦନ ଓରାମ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିଲେ । ଏତଲା ଦେଇ ମଧ୍ୟ ରାତ୍ରୀରେ ସାମ୍ବାଦିକ ନବୀନ ତାଣ୍ଡି ତାଙ୍କ ଚାଉଳଫୁପଡ଼ା ଗ୍ରାମ ଘରକୁ ଫେରିବା ବେଳେ ତାଙ୍କୁ ପୁଣି ମାରିବା ପାଇଁ ତାଙ୍କ ଗାଁ ଛକରେ ରମାରଞ୍ଜନ ନିଜର ସହଯୋଗୀଙ୍କ ସହ ଛକି ରହିଥିବା ବେଳେ ପୁଲିସ ମୁଖ୍ୟ ଅଭିଯୁକ୍ତ ରମାରଞ୍ଜନ ସେଠଙ୍କୁ କାବୁ କରିଥିବା ବେଳେ ଅନ୍ୟ ସହଯୋଗୀମାନେ ସେଠାରୁ ଫେରାର ହୋଇଯାଇଥିଲେ । ରବିବାର ତାଙ୍କୁ ଗିରଫ କରି ଅଧିକ ତଦନ୍ତ ପରେ ବିଏନ୍‌ଏସ୍‌ ଦଫା ୧୨୬(୨), ୨୯୬, ୧୧୫(୨), ୧୧୮(୧), ୩୫୧(୨) ଓ ୩(୫)ରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ସେହିପରି ହଳଦୀ ସରପଞ୍ଚ ସୌମିନା ସେଠ୍‌ ମଧ୍ୟ ଏକ ପାଲଟା ଅଭିଯୋଗ କରିଥିବା ବେଳେ ତାଙ୍କ ଅଭିଯୋଗ ଆଧାରରେ ମଧ୍ୟ ପୁଲିସ କେଶ ନଂ ୨୬୪/୨୪ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଫେରାର୍‌ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଆଇଆଇସି ପ୍ରକାଶ କରିଛନ୍ତି । ଏକ ଖବର ପ୍ରସାରଣକୁ ନେଇ ଜଣେ ଛାୟା ସରପଞ୍ଚ ସଂପୃକ୍ତ ସାମ୍ବାଦିକମାନଙ୍କୁ ଖଣ୍ଡା ଦ୍ଵାରା ମରଣାନ୍ତକ ଆକ୍ରମଣ ଉଦ୍ୟମ ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସାମ୍ବାଦିକ ମହଲରେ ତୀବ୍ର ନିନ୍ଦା କରାଯାଇଛି ଏବଂ ଆମର ଆଇନ ପ୍ରତି ସମ୍ପୂର୍ଣ୍ଣ ଆସ୍ଥା ରହିଛି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.