୫ମ ତୁରେକେଲା ପଂଚାୟତ ସମିତି ବୈଠକ

  • ୮ଟି ବିଭାଗ ଉପରେ ଆଲୋଚନା
  • ବ୍ଲକର ୧୯ ଗୋଟି ପଂଚାୟତର ସାମୁହିକ ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ଆବଶ୍ୟକ-ବିଧାୟକ ଶ୍ରୀ ବାଗ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ପଂଚାୟତ ସମିତିର ୫ମ ବୈଠକ ଶୁକ୍ରବାର ଦିନ ଅପରାହ୍ନରେ ପଂଚାୟତ ସମିତି ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଧ୍ୟକ୍ଷା ଶ୍ରୀମତୀ ପୂଜା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ତୁରେକେଲା ବ୍ଲକ ସଦର ଗ୍ରାମ ପଂଚାୟତ ସରପଂଚ ଜଲନ୍ଧର ମହାକୁଡ ସୂଚନା ପ୍ରଦାନ କରିଥିଲେ । ଏହା ପରେ ତୁରେକେଲା ବ୍ଲକ ସରପଂଚ ସଂଘ ତରଫରୁ ୧୯ ଗୋଟି ପଂଚାୟତର ସରପଂଚମାନେ ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ପୁଷ୍ପତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭାଆରମ୍ଭରେ ବ୍ଲକର ଗ୍ରାମ ପଂଚାୟତ ଅଧିକାରୀ ଗଜାନନ ନାଏକ ପୂର୍ବ ବୈଠକର ବିବରଣି ପଠନ କରିଥିଲେ । ଏହା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା କାର୍ଯ୍ୟ ଆରମ୍ଭରେ ତୁରେକେଲା ଗ୍ରାମ ପଂଚାୟତ ସରପଂଚ ମହାକୁଡ ବ୍ଲକ କୃଷି ଅଧିକାରୀ ବ୍ଲକ ସଦର ମହକୁମାରେ ନିଜର କାର୍ଯ୍ୟ ତୁଳାଉ ନଥିବା ବେଳ ନିୟମିତ ରହୁନଥିବାରୁ ଚାଷୀମାନେ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ କରିଥିଲେ । ଏପରିକି ଚଳିତ ଖରିଫ ଋତୁରେ ଚାଷୀମାନେ ଚାଷପୋଯୋଗୀ ବିହନ କିପରି ସୁବିଧାରେ ପାଇପାରିବେ, ଫସଲ ବୀମା କରି ପାରିବେ ସେଥିପାଇଁ ବ୍ଲକ ପରିସରରେ ନିୟମିତ ଅଫିସ ଖୋଲିବା ପାଇଁ କହିଥିଲେ । ଏହାର ପ୍ରତିତ୍ୟୁତରରେ କୃଷି ଅଧିକାରୀ ପରିସରରେ ଅଫିସ କୋଠା ନଥିବାରୁ କଣ୍ଟାବାଞ୍ଜି ସ୍ଥିତ ସହକାରୀ କୃଷି କାର୍ଯ୍ୟାଳୟରେ ଦାୟୀତ୍ୱ ତୁଳାଉ ଥିବା କହିଥିଲେ । ଏପରିକି ବ୍ଲକ ପ୍ରଶାସନ ତରଫରୁ ଏକ ସରକାରୀ ବାସ ଭବନ ଦିଆଗଲେ କାର୍ଯ୍ୟାଳୟ ନିୟମିତ କାର୍ଯ୍ୟକାରୀ କରାଯିବା ନେଇ ପ୍ରସ୍ତାବରେ ବ୍ଲକ ପ୍ରଶାସନ ତରଫରୁ ସରକାରୀ କୋଠା ଦେବା ପାଇଁ ଅନୁମତି ଦିଆଯାଇଥିଲା । ବ୍ଲକର ବିଭିନ୍ନ ୮ଟି ବିଭାଗ ଉପରେ ଉପସ୍ଥିତ ଅଧିକାରୀମାନଙ୍କଠାରୁ ବିଚାର ବିମର୍ଷ କରାଯାଇ ସମସ୍ୟା ଗୁଡିକର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । କୃଷି, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଶିକ୍ଷା ସହ ଅଧ୍ୟକ୍ଷା ଶ୍ରୀମତୀ ବେହେରାଙ୍କ ଅନୁମତି କ୍ରମେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଛି । ବିଧାୟକ ଶ୍ରୀ ବାଗ ନିଜ ବକ୍ତବ୍ୟରେ ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତର ସାମୁହିକ ବିକାଶ ପାଇଁ ସମସ୍ତ ସରପଂଚ, ସମିତି ସଭ୍ୟ ଦଳମତ ନିର୍ବିଶେଷରେ ପରସ୍ପରକୁ ସହଯୋଗ କଲେ ବିକାଶ ସମ୍ଭବ ବୋଲି କହିଥିଲେ । ଏପରିକି ଗାଁର ଉନ୍ନତି ହେଲେ ଆମ୍ଭର ଉନ୍ନତି ହୋଇପାରିବ ତେଣୁ ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି ସମସ୍ତ ବ୍ଲକ କର୍ମଚାରୀମାନଙ୍କୁ ସହଯୋଗ କରିବା ଉଚିତ୍‌ ବୋଲି କହିଥିଲେ । ଏହି ପଂଚାୟତ ସମିତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତୁରେକେଲା ବିଡିଓ ଶଙ୍କର୍ଷଣ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ନବ ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷା ଧନମତି ଖୁରା, ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେର ମଂଚାସୀନ ଥିଲେ । ଏହି ବୈଠକରେ ବ୍ଲକର ସମସ୍ତ ବିଭାଗର ଅଧିକାରୀ ସାମିଲ ଥିଲେ । ଏପରିକି ପୂର୍ବାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ସଭା ଗୃହରେ ମଧ୍ୟ ପଂଚାୟତ ସମିତି ବୈଠକରେ ବିଧାୟକ ଶ୍ରୀ ବାଗ ଯୋଗଦେଇ ବଙ୍ଗୋମୁଣ୍ଡା ବ୍ଲକର ସାମୁହିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.