jayashree

ଆଜି ସରିବ ପଞ୍ଚାୟତ ନିର୍ବାଚନ

କଟକ : ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟଦାନର ଶେଷ ଦିନ । ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ରାଜ୍ୟର ୨୫ଟି ଜିଲ୍ଲାର ୧୩ ହଜାର ୫୧୪ ବୁଥ୍‌ରେ ମତଦାନ ଚାଲିଥିବା ବେଳେ ଏହି ପର୍ଯ୍ୟାୟରେ ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ମଧ୍ୟ ଭୋଟ ପଡିବ । ତେଣୁ ଏହି ମାଓ ଅଧ୍ୟୁଷିତ ଅଞ୍ଚଳରେ ପୁଲିସର ଫୋକସ୍‌ ରହିଥିବା ଜଣାପଡିଛି । ଶେଷ ପର୍ଯ୍ୟାୟରେ ନିର୍ବାଚନ ଯେପରି ଅବାଧ ଓ ସ୍ୱଚ୍ଛ ରହିବ ସେନେଇ ପୁଲିସ ପକ୍ଷରୁ ଧ୍ୟାନ ଦିଆଯାଇଛି । ନିର୍ବାଚନ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯିବା ସହ ଆଇନ ଶୃଙ୍ଖଳା ଦାୟିତ୍ୱରେ ୨୫୮ ପ୍ଲାଟୁନ ଫୋର୍ସ, ୧୧୪୮ ମୋବାଇଲ୍‌ ପାଟ୍ରୋଲିଂ ଟିମ୍‌ ରହିଥିବା ଜଣାପଡିଛି । ରାଜ୍ୟର ୭ଟି ଜିଲ୍ଲା ଯଥା ଝାରୁସୁଗୁଡ଼ା, ବୌଦ୍ଧ, ଦେବଗଡ଼, ବ୍ରହ୍ମପୁର, ଅନୁଗୁଳ, ଖୋର୍ଦ୍ଧା ଓ କଟକ ସହରାଞ୍ଚଳ ପୁଲିସ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଷ୍ଟ୍ରଙ୍ଗ୍‌ରୁମ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଭୋଟ ସରିଥିବା ବିଭିନ୍ନ ଜିଲ୍ଲା ଓ ବ୍ଲକର ବାଲାଟ୍‌ ବାକ୍ସଗୁଡ଼ିକୁ ତିନି ଥାକିଆ ସୁରକ୍ଷା ବଳୟରେ ରଖାଯାଇଥିବା ବେଳେ ଫୋର୍ସ ମୁତୟନ ସହିତ ପ୍ରତି ଷ୍ଟ୍ରଙ୍ଗରୁମ୍‌ ଦାୟିତ୍ୱରେ ଜଣେ ଲେଖାଏଁ ଅଫିସରଙ୍କୁ ନିୟୋଜିତ କରାଯାଇଥିବା ଜଣାପଡିଛି । ଉଭୟ ଷ୍ଟ୍ରଙ୍ଗରୁମ୍‌ର ଭିତର ଓ ବାହାର ପାଶ୍ୱର୍ରେ ଉଚ୍ଚକ୍ଷମତା ଯୁକ୍ତ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । କଣ୍ଟ୍ରୋଲ୍‌ ରୁମ୍‌ରୁ ସିସିଟିଭି ଜରିଆରେ ଷ୍ଟ୍ରଙ୍ଗରୁମ୍‌ ଉପରେ ନଜର ରଖାଯାଇଛି । ସେହିପରି ଭୋଟ ଗଣତି ବେଳେ ଯେଭଳି ଭିଡ ନହେବ ଏବଂ ଆଇନ ଶୃଙ୍ଖଳା ସ୍ଥିତି ନଉପୁଜିବ ସେଥିପ୍ରତି ସଜାଗ ରହିବାକୁ ଡିଜିପି ସୁନିଲ ବଂଶଲ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.