ବଲାଙ୍ଗିର ଟିକ୍ରାପଡ଼ାରେ ପଞ୍ଚକୁଣ୍ଡୀୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଓ ୫୦ତମ ଅହୋରାତ୍ର ନାମଯଜ୍ଞ ଆୟୋଜନ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନଭେମ୍ବର ୨୦ ଓ ପଞ୍ଚକୁଣ୍ଡୀୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ନଭେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣମୀରେ ସମାପନ ହେବ । ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନି ଆୟୋଜନ କରି ଏହି ଅନୁଷ୍ଠାନର ସଭାପତି ପ୍ରକାଶ କୁମାର ନେପାକ ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଆୟୋଜନ ହେବାକୁ ଥିବା ନାମଯଜ୍ଞ, ପଞ୍ଚକୁଣ୍ଡୀୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞର ରୂପରେଖ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଆସନ୍ତା ୫୦ତମ ଅହୋରାତ୍ର ନାମଯଜ୍ଞର କଳସ ଶୋଭାଯାତ୍ରା ଓ ଅଧିବାସ ୧୯ ତାରିଖ ଅପରାହ୍ନ ୪ ଘଣ୍ଟା ସମୟରେ ସ୍ଵାମୀ ମୁକ୍ତାନନ୍ଦ ସରସ୍ୱତୀ ଉପସ୍ଥିତିରେ ଶୁଭାରମ୍ଭ ହେବ । ସୋମବାର ୨୦ ତାରିଖ ଦିବା ୯ ଘଣ୍ଟା ସମୟରେ ସ୍ୱାମୀଜୀଙ୍କ ଦ୍ୱାରା ନାମାରମ୍ଭ ହେବ । ଏହି ନାମଯଜ୍ଞରେ ଦୂର ଦୁରାନ୍ତରୁ କୀର୍ତନ୍ୟ ଦଳ ପ୍ରଭୁଙ୍କ ନାମ ନେବାକୁ ଆସିବେ । ଆସନ୍ତା ୨୨ ତାରିଖ ଠାରୁ ପାଞ୍ଚ ଦିନ ଧରି ପଞ୍ଚକୁଣ୍ଡୀୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ସ୍ଵାମୀ ତେଜୋମୟନନ୍ଦ ସରସ୍ୱତୀଙ୍କ ଦ୍ୱାରା ଶୁଭାରମ୍ଭ କରାଯିବ । ନାମଯଜ୍ଞ କର୍ତ୍ତା ଅଙ୍କୁଶ ପ୍ରସାଦ ହୋତା ଓ ସହଧର୍ମିଣୀ ସାଗରିକା ହୋତା ଏବଂ ମହାଯଜ୍ଞର ମୁଖ୍ୟ କର୍ତ୍ତା ବୈଷ୍ଣବ ସାହୁ ଓ ସହଧର୍ମିଣୀ ସ୍ନେହଲତା ସାହୁ ସହ ଏକୋଇଶୀ ଜଣ ଯୋଡି ଯଜ୍ଞ କର୍ତ୍ତା ରହିବେ । ବିଭିନ୍ନ ସହରରୁ ସାଧୁସନ୍ଥ ମାନେ ଏହି ମହାଯଜ୍ଞରେ ଯୋଗଦାନ ଦେଇ ଜନସାଧାରଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ବୋଲି ଏହି ସଂସ୍ଥାର ଉପସଭାପତି ପ୍ରଦୀପ ସାହୁ ସୂଚନା ଦେବା ସହ ପ୍ରତିଦିନ ସନ୍ଧ୍ୟାରେ ବିଦ୍ୟାଳୟ ସ୍ତରୀୟ ଆଧ୍ୟାତ୍ମିକତା ଉପରେ ଆଧାରିତ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ ବୋଲି କହିଛନ୍ତି । ପ୍ରତିଷ୍ଠାତା ସଭ୍ୟ ମୁଖ୍ୟ ଉପଦେଷ୍ଟା ଭଗବାନ ବଗର୍ତି ଦୀର୍ଘ ପଚାଶ ବର୍ଷ ଧରି ଗୌରବ ଅର୍ଜନ କରିଥିବା ସୁବର୍ଣ୍ଣ ଜୟନ୍ତୀ ଅବସରରେ ସ୍ୱର୍ଗତ ପ୍ରତିଷ୍ଠାତା ସଭ୍ୟ ତଥା ପ୍ରତିଷ୍ଠାତା ସଭ୍ୟ, କୀର୍ତନ୍ୟ ଗୁରୁ ମାନଙ୍କୁ ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ୟ୍ୟକ୍ରମରେ ସମ୍ବର୍ଦ୍ଧନା ଦେବା ସହ ସହରର ପାଞ୍ଚ ଜଣ ବ୍ୟକ୍ତି ବିଶେଷ ଯେଉଁ ମାନେ ଆଧ୍ୟାତ୍ମିକ ତଥା ବିଭିନ୍ନ ଧର୍ମାନୁଷ୍ଠାନ ସହ ସଂଶ୍ଲିଷ୍ଟ ରହି ସନାତନ ଧର୍ମର ପ୍ରଚାର କରି ଆସୁଛନ୍ତି ସେମାନଙ୍କୁ ସମ୍ବଦ୍ଧିତ କରାଯିବ ବୋଲି କହିଛନ୍‌ନ୍ତି । ସଂସ୍ଥାର ସମ୍ପାଦକ ଅଙ୍କୁଶ ହୋତା ୨୨ ଠାରୁ ୨୬ ପର୍ୟ୍ୟନ୍ତ ଆଧ୍ୟାତ୍ମିକ କାର୍ୟ୍ୟକ୍ରମ, ସଭା କାର୍ୟ୍ୟକ୍ରମ, ଭଜନ ଇତ୍ୟାଦି ଆୟୋଜକ କରାଯିବାର ସୂଚନା ଦେଇଥିଲେ । ବରିଷ୍ଠ ସଭ୍ୟ ସନ୍ତକ ବହିଦାର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଏକ ସ୍ମରଣିକା ପ୍ରକାଶ କରାଯିବ ବୋଲି ସୂଚନା ଦେଇଥିଲେ । ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା ମହିଳା ମାନଙ୍କର ରଙ୍ଗୋଲି, ହୁଳହୁଳି, ଶଙ୍ଖ ଫୁଙ୍କା ଓ ଛପନ ଭୋଗ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ ବୋଲି କହିଥିଲେ । ମହିଳା କମିଟି ଉପସଭାପତି ଦମୟନ୍ତୀ ବାଗ, କୋଷାଧ୍ୟକ୍ଷ ହରେକୃଷ୍ଣ ପାତ୍ର, ଯୁଗ୍ମ ସମ୍ପାଦକ ଦୁର୍ଗା ସାହୁ ସମସ୍ତ କାର୍ୟ୍ୟକ୍ରମରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.