ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ ପରିସରରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ରଶ୍ମି ରଞ୍ଜନ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ର-ଛାତ୍ରୀମାନଙ୍କ ଉପସ୍ଥିତରେ ନିର୍ଦ୍ଧାରିତ ସମୟରେ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ଦ୍ଵାରା ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା । ପରେ ଜାତୀୟ ସଂଗୀତ ଗାନ ସହ ଅଧ୍ୟକ୍ଷ ଡଃ ଜେନା ତାଙ୍କର ଅଭିଭାଷଣ ରଖିବା ସହ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ତଥା ସମର୍ପିତ ପ୍ରାଣୀମାନଙ୍କୁ ସ୍ମରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଭାଜନର ବିଭୀଷିକାକୁ ସ୍ମରଣ କରିବା ସହିତ ୭୯ ବର୍ଷର ଜାତୀୟ ପ୍ରଗତିର ବିଭିନ୍ନ ଦିଗକୁ ପର୍ଯ୍ୟାଲୋଚନା କରିଥିଲେ । କଲେଜର ୬୦ ବର୍ଷ ଲମ୍ବା ଯାତ୍ରା ଏବଂ ଭବିଷ୍ୟତର ଲକ୍ଷ୍ୟ ଓ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ । ରାଜନୀତି ବିଜ୍ଞାନ ମୁଖ୍ୟ ମନୋଜ କୁମାର ଦଳେଇ ମଧ୍ୟ ସ୍ୱାଧୀନତା, ସମ୍ବିଧାନ ଏବଂ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପ୍ରାଧ୍ୟାପିକା ରଶ୍ମି ପ୍ରଭା ମଥାନ ଏବଂ ଅନୁପ ଏକ୍କା ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ଛାତ୍ର-ଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ । ଷ୍ଟାର୍ଟ ଅପ୍ ଏବଂ ଗବେଷଣା ପ୍ରୋଜେକ୍ଟ ପ୍ରସ୍ତୁତ କରିଥିବା ଛାତ୍ର-ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ଉତ୍ସାହିତ କରାଯାଇଥିଲା । ପରେ ପରେ କଲେଜ ପ୍ରାଚୀର ପତ୍ରିକାର ସ୍ୱାଧୀନତା ବିଶେଷାଙ୍କ ଅଧ୍ୟକ୍ଷ ଡଃ ଜେନାଙ୍କ କରକମଳରେ ଉଦଘାଟିତ ହୋଇଥିଲା । ଶେଷରେ ପ୍ରାଧ୍ୟାପକ ରଞ୍ଜିତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
