କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିଅମଠାରେ ଜିଲ୍ଲା ସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଓ ପ୍ୟାରେଡ଼ାର ଅଭିବାଦନ ଗ୍ରହଣ କରିଥିଲେ । ପରେ ଦେଶର ମହାପୁରୁଷ ମାନଙ୍କୁ ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ କଳାହାଣ୍ଡି ମାଟିର ବରପୁତ୍ର ରେଣ୍ଡୋ ମାଝୀଙ୍କ ଅବଦାନ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଓଡ଼ିଶାକୁ ତଥା ଭାରତ ବର୍ଷକୁ ବିକଶିତ ଭାବରେ ଗଢି ତୋଳିବା ତଥା କଳାହାଣ୍ଡିକୁ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଆମେ ସମସ୍ତେ ସଂକଳ୍ପ ବଦ୍ଧ ହେବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଉଦବୋଧନ ଦେଇଥିଲେ । ପରେ ରିଜର୍ଭ ଇନ୍ସପେକ୍ଟର ସୁରେଶ ବଳିଆରସିଂଙ୍କ ତତ୍ୱାବଧାନରେ ୪୬ଟି ପ୍ଲାଟୁନ ସାମୁହିକ ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ତଥା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଏହି ଅବସରରେ ଶିକ୍ଷା ତଥା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା ।